ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କାର ଆଦେଶ ଶୁଣିଲା ପରେ ରାଗି ପାଚି ଲାଲ୍ ହୋଇଯାଇଛନ୍ତି ଡାକ୍ତର ଦାମୋଦର ରାଉତ । ଏମିତି ଅବସ୍ଥା ସତେ ଯେମିତି ତାଙ୍କ ମୁଣ୍ଡ କାମ କରୁନି । ୭ ଥର ବିଧାୟକ ଓ ୬ ଥର ମନ୍ତ୍ରୀ ହୋଇଥିବା ଦାମ ଅତ୍ୟନ୍ତ ବିଚଳିତ ହୋଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ଯେଉଁ ନବୀନ ପଟ୍ଟନାୟକଙ୍କୁ ଆଜି ସକାଳେ ସେ ଦଳର ସୁପ୍ରିମୋ ମାନି ସ୍ୱଚ୍ଛ ଓ ଭଲ ଲୋକ ବୋଲି କହିଥିଲେ ଏବେ ଦଳରୁ ବହିଷ୍କୃତ ହେଲା ପରେ ତାଙ୍କୁ ଗାଳି କରିବା ଆରମ୍ଭ କରିଦେଇଛନ୍ତି । ନବୀନ ପଟ୍ଟନାୟକ ଦଳର ସଭାପତି ନୁହେଁ ବୋଲି ବିଷୋଦଗାର କରିଛନ୍ତି । ବିଜେଡ଼ିର ସମ୍ବିଧାନ ନାହିଁ ବୋଲି ଚାଲେଂଜ କରିଛନ୍ତି । ନବୀନ ସ୍ଥିତି ରଖିବା ପାଇଁ ନୀତି ବଦଳାଇବା ଲୋକ ବୋଲି କହି ସମାଲୋଚନା କରିଛନ୍ତି ।
ଗତ ଡିସେମ୍ବର ମାସରେ ମନ୍ତ୍ରୀ, ଦଳର ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବହିଷ୍କୃତ ହେଲା ପରଠୁ ସେ ବିଜେଡ଼ିରେ ନାହାନ୍ତି ବୋଲି ଦାମ କହିଛନ୍ତି । ତେଣୁ ସେ ଦଳରୁ ବହିଷ୍କୃତ ହେବା ଖବରରେ ବିଚଳିତ ନୁହେଁ ବୋଲି ସଫେଇ ଦେଇଛନ୍ତି । ତେବେ ଯେଉଁ ନବୀନ ପଟ୍ଟନାୟକଙ୍କ ଦୟା ଓ ଆର୍ଶିବାଦରେ ସେ ଚାରି ଚାରି ଥର ମନ୍ତ୍ରୀ ହୋଇଥିଲେ ସେହି ନବୀନ ପଟ୍ଟନାୟକଙ୍କୁ ଆଜି ନେତା ମାନିବାକୁ କୁଣ୍ଠା ପ୍ରକାଶ କରିଛନ୍ତି । ଆଗକୁ ବିଜେଡ଼ିର ବହୁ ଗୁମର ଖୋଲିବାକୁ ଧମକ ବି ଦେଇଛନ୍ତି ।
ଅନ୍ୟ କୌଣସି ଦଳରେ ଯୋଗଦାନକୁ ସେ ଅସ୍ୱୀକାର କରିଛନ୍ତି । ଦମ୍ଭ ଦେଖାଇଛନ୍ତି, ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ । ଖାଲି ପାରାଦ୍ୱୀପ କାହିଁକି, ଓଡ଼ିଶାର ଯେ କୌଣସି ସ୍ଥାନରୁ ସେ ନିର୍ବାଚନ ଲଢ଼ିବାର କ୍ଷମତା ରଖିଛନ୍ତି ବୋଲି କହିଛନ୍ତି । ୧୬ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସଲାମି କରୁଥିବା ଦାମଙ୍କୁ ଏବେ ଯାଇ ନବୀନଙ୍କଠାରେ ଦୁର୍ନୀତିର ଗନ୍ଧ ଆସିଛି । ନବୀନ ସରକାରର ଦୁର୍ନୀତି ବିରୋଧରେ ଲଢ଼େଇ କରିବେ ବୋଲି ଧମକ ଦେଇଛନ୍ତି ।
ତେବେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିଜେଡ଼ି ମହଲରେ ସ୍ୱାଗତ କରାଯାଇଛି । ଦାମଙ୍କ ଭଳି ବିଶୃଙ୍ଖଳ ନେତାଙ୍କୁ ଦଳରୁ ବାହାର କରିବା ଅନିବାର୍ଯ୍ୟ ଥିଲା ବୋଲି ଦଳର ନେତାମାନେ ପ୍ରତିକ୍ରିୟା ଦେଇଛନ୍ତି । ଦାମଙ୍କ ପାରମ୍ପରିକ ଶତ୍ରୁ ତଥା ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସ ତାଙ୍କ ପ୍ରତିକ୍ରିୟାରେ ଦାମଙ୍କ ଧ୍ୱଜା ଉଡ଼ାଇଛନ୍ତି । ତାଙ୍କୁ ସମାଜ ବିରୋଧୀ, ଦୁର୍ନୀତିଗ୍ରସ୍ତ ଓ ଲମ୍ଫଟ୍ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି । ଦାମଙ୍କ ସମକକ୍ଷ ଦୁର୍ନୀତିଗ୍ରସ୍ତ ନେତା ବିଜେଡ଼ିରେ ନ ଥିଲେ ବୋଲି କିଛି ନେତା କଟାକ୍ଷ କରିଛନ୍ତି ।
ଦାମଙ୍କୁ ଦଳରୁ ବହିଷ୍କାର କରିବା ଛଡ଼ା ନବୀନଙ୍କ ପାଖରେ ଅଲଗା ବାଟ ନ ଥିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଦାମ ଲଗାତର ଦଳ ବିରୋଧରେ ଯେଭଳି ବୟାନବାଜି କରୁଥିଲେ ତାହା ଦଳକୁ ବହୁ କ୍ଷତି ପହଞ୍ଚାଉଥିଲା । ଦଳୀୟ ଲକ୍ଷ୍ମଣରେଖାକୁ ସେ ଟପି ଯାଇଥିଲେ । ଯେ କୌଣସି ଦଳର ମୁଖିଆଙ୍କ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ ବୋଲି ସେମାନେ ମନ୍ତବ୍ୟ ଦେଇଛନ୍ତି ।
ସେପଟେ ଦାମଙ୍କ ବହିଷ୍କାର ଖବର ବିରୋଧୀ କଂଗ୍ରେସ ଓ ବିଜେପି ନେତାଙ୍କୁ ବେଶ୍ ଉତ୍ସାହିତ କରିଛି । ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେମାନେ ନିଜର ରାଜନୈତିକ ଫାଇଦାରେ ଖଟାଇବାକୁ ଅଣ୍ଟା ଭିଡ଼ିଛନ୍ତି । ଦାମଙ୍କ ତୁଣ୍ଡକୁ ଏଣିକି ନବୀନ ବିରୋଧୀ କ୍ୟାମ୍ପେନ୍ ରେ ଲଗାଇପାରିବେ ବୋଲି ଖୁସି ହୋଇଛନ୍ତି ।