ଭୁବନେଶ୍ୱର: ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ । ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର କଠୋରତା ଦେଖାଇଛନ୍ତି । ଶେଷରେ ଦାମଙ୍କୁ ଆଜି ବିଜେଡ଼ିରୁ ବହିଷ୍କୃତ କରିଛନ୍ତି । ଦଳୀୟ ଶୃଙ୍ଖଳା ଭାଙ୍ଗି ଦାମ ଏଇ କିଛି ଦିନ ହେଲା ବିଜେଡ଼ି ଉପରେ ପ୍ରତିଶୋଧପରାୟଣ ହୋଇପଡ଼ିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରିଥିଲେ । ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାର ହଜାର ହଜାର ବିଜେଡ଼ି କର୍ମୀ ଦାମଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେବା ପରେ ମାମଲା ନିର୍ଣ୍ଣାୟକ ମୋଡ଼ ନେଇଗଲା ।
ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ସୂଚନା ମିଳିଥିଲା । ତେବେ ଅଭିଯୋଗକୁ ବିଚାର କରୁଛନ୍ତି କହି ମୁଖ୍ୟମନ୍ତୀ ଦିଲ୍ଲୀ ପଳାଇଥିଲେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ପର୍ଯ୍ୟନ୍ତ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ତାଙ୍କ ନିଷ୍ପତ୍ତି ଘୋଷଣା କରାଯାଇଛି ।
ମନ୍ତ୍ରୀ ପଦରେ ଥାଇ ଦାମ ସରକାରଙ୍କୁ ଅପଦସ୍ଥ କରିବାକୁ ପଛାଉ ନ ଥିଲେ । ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଦଳ ଓ ସରକାରଙ୍କୁ ଅଡୁଆରେ ପକାଉଥିଲେ । ଶେଷରେ ବ୍ରାହ୍ମଣମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ସେ ବିପଦକୁ ଡାକିଆଣିଲେ । ଗତବର୍ଷ ଡିସେମ୍ବର ୨୩ ତାରିଖରେ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ହୋଇଥିଲେ । ଦଳର ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ତାଙ୍କୁ ବିଦା କରାଯାଇଥିଲା । ଏହାପରେ ବି ଦାମ ଚୁପ୍ ହୋଇ ନ ଥିଲେ । ବିଭିନ୍ନ ସମୟରେ ଦଳ ଓ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେଉଥିଲେ ଏବଂ ନିଜ ଖବରକାଗଜରେ ସ୍ତମ୍ଭ ଲେଖୁଥିଲେ ।
ବିଧାନସଭା ଆରମ୍ଭ ହେବା ଦିନଠୁ ଦାମ ଅଧିକ ପ୍ରତିଶୋଧପରାୟଣ ହୋଇପଡ଼ିଥିଲେ । ସରକାରଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣି ହମଲା କରିଥିଲେ । ସୋମବାର ଦିନ ଦାମଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ଫେରାଦ ହେବା ପରେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏକରକମ ନିଶ୍ଚିତ ହୋଇଯାଇଥିଲା । ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଜାଣି ଆଜି ଦାମ ନରମ ଭାବ ଦେଖାଇ ଚତୁରତାର କାର୍ଡ ଖେଳିଥିଲେ । ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । ତେବେ ଦାମଙ୍କ ଏହି ଚାଲ୍ କାମ କରିନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି ।