ନୂଆଦିଲ୍ଲୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି । ଆସନ୍ତା ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ କୁ ସଫଳ କରିବା ପାଇଁ ମୁମ୍ବାଇ ପରେ ଆଜି ଦିଲ୍ଲୀରେ ନିବେଶକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଥିବା ଦର୍ଶାଇଛନ୍ତି । ନିବେଶକାରୀଙ୍କୁ ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଶକ୍ତି ଏହାର ଖଣିଜ ସମ୍ପଦ । ବିଗତ ୧୮ ବର୍ଷ ଧରି ରାଜ୍ୟ ସରକାର ଏହାର ସଦୁପଯୋଗ ପାଇଁ କାର୍ଯ୍ୟ କରୁଛନ୍ତି । ଆଜି ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ୍ କ୍ୟାପିଟାଲ୍ ର ମାନ୍ୟତା ପାଇପାରିଛି । ଦେଶର ଆଲିମିନିୟମ୍ ଉତ୍ପାଦନରେ ଓଡ଼ିଶାର ଭାଗ ୫୪ ପ୍ରତିଶତ । ଇସ୍ପାତ ନିର୍ମାଣରେ ମଧ୍ୟ ଅଗ୍ରଣୀ ଭୂମିକାରେ ଥିବାରୁ ଓଡ଼ିଶାକୁ ଦେଶର ଷ୍ଟିଲ୍ ହବ୍ ଭାବେ ଗଣାଯାଉଛି । ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ୧୮ ବର୍ଷ ଭିତରେ ବନ୍ଦର କ୍ଷମତା ୧୦ ଗୁଣା ବଢ଼ିଥିବା ବେଳେ ଶକ୍ତି ଉତ୍ପାଦନ ୩ ଗୁଣା ବଢ଼ିଛି । ରାସ୍ତାଘାଟ ବିକାଶରେ ୫୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ରାଜ୍ୟ ସରକାର ଥ୍ରି- ଟି ମନ୍ତ୍ର (ଟିମୱାର୍କ, ଟେକ୍ନୋଲୋଜି ଏବଂ ଟ୍ରାନସପେରନ୍ସି)ଆଧାରରେ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରୁଛନ୍ତି । ଗତ ୬ ମାସରେ ୫୦ ଟି ପ୍ରକଳ୍ପରେ ୧୭ ହଜାର କୋଟି ପୁଞ୍ଜିନିବେଶ ହୋଇ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଷ୍ଟାର୍ଟ- ଅପ୍ ଓଡ଼ିଶା ଆରମ୍ଭର କିଛି ମାସ ମଧ୍ୟରେ ୨୫୦ଟି ଷ୍ଟାର୍ଟ ଅପ୍ ପଂଜିକୃତ ହୋଇଛି ଏବଂ ୨୦୨୦ ସୁଦ୍ଧା ଦେଶର ଶ୍ରେଷ୍ଠ ୩ ଷ୍ଟାର୍ଟ-ଅପ୍ ହବ୍ ଭିତରେ ଓଡ଼ିଶା ସ୍ଥାନ ପାଇବାର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁଯୋଗ ଓ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସମ୍ମିଳନୀରେ ଦେଶର ବହୁ ନାମୀ ଦାମୀ ଶିଳ୍ପସଂସ୍ଥାର ପ୍ରତିନିଧି ଓ ନିବେଶକାରୀମାନେ ଯୋଗଦେଇଥିଲେ ।