ଭୁୁବନେଶ୍ୱର: ଦଳୀୟ କାର୍ଯ୍ୟାନୁଷ୍ଠାନକୁ ବୋଧହୁଏ ଡରିଗଲେ ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । କିଛି ଦିନର ଗର୍ଜନ ତର୍ଜନ ପରେ ଆଜି ସେ ନରମ ପଡ଼ିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ କେବେହେଲେ ଆକ୍ଷେପ କି ସମାଲୋଚନା କରିନାହିଁ । ତାଙ୍କ ବିରୋଧରେ ଶବ୍ଦଟିଏ କହିନି କି ଦୋଷ ଦେଇନି । ସେ ବହୁତ ଭଲ ଲୋକ ଓ ସ୍ୱଚ୍ଛ । ଅଧସ୍ତନ ଅଫିସରମାନେ ସବୁ ହେରାଫେରି କରୁଛନ୍ତି । ଚାରା ଘୋଟାଲାରେ ଅଭିଯୁକ୍ତ ଅଫିସରଙ୍କୁ ପୁରସ୍କୃତ କରାଯାଉଛି, ଅଥଚ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଉଛି । ଏହା କିଭଳି ସମ୍ଭବ ବୋଲି ଦାମ ପ୍ରଶ୍ନ କରିଛନ୍ତି ।
ତେବେ ଏତିକିରେ ଦାମଙ୍କ ସଫେଇ ସରିନାହିଁ । ସେ କହିଛନ୍ତି, ମୁଁ ସରକାର କି ଦଳ ନାଁରେ କହିନି । ଦୁର୍ନୀତି ଉପରେ କହିଛି । ଚାରା ଘୋଟାଲାରେ ଦୁର୍ନୀତି କରିଥିବା ଲୋକଙ୍କୁ ସେ ସସପେଣ୍ଡ କରିଥିବା ବେଳେ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ଅଥଚ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା । ଏକଥା ତାଙ୍କୁ ବାଧିଥିବା ଦାମ ଇଙ୍ଗିତରେ ଜଣାଇ ଦେଇଛନ୍ତି । ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଗାଳି କରି ଆସୁଥିବା ଦାମ ଆଜି ବିରୋଧୀଙ୍କ ଉପରକୁ ତୀର ଛାଡ଼ିଛନ୍ତି । ଦୁର୍ନୀତିର ପର୍ଦ୍ଦାଫାସ ବିରୋଧୀଙ୍କ କାମ । ମାତ୍ର ସେ କରୁ ନ ଥିବାରୁ ଦାମ କଡ଼ା ସମାଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ସରକାରଙ୍କ ବିଭିନ୍ନ ବିଭାଗରେ ଦୁର୍ନୀତିକୁ ଦାମ କିଛି ଦିନ ହେଲା ଗଣମାଧ୍ୟମ ସାମ୍ନାରେ ଲଗାତର ରଖି ଆସୁଛନ୍ତି । ଦଳୀୟ କାର୍ଯ୍ୟ କିଭଳି ଚାଲୁଛି ତାହା ବି ଖୋଲିଛନ୍ତି । ସେପଟେ ଦାମ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ବୋଲି ତାଙ୍କ ଜିଲ୍ଲାରୁ ଅଭିଯୋଗ ଆସିଛି । ସୋମବାର ଦିନ ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଦାମଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ । ଗତକାଲି ଦାମଙ୍କ ଜନ୍ମମାଟି ଏରସମା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩ ହଜାର ବିଜେଡ଼ି କର୍ମୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ । ଦାମ ଦଳବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳରୁ ତୁରନ୍ତ ବହିଷ୍କାର କରିବାକୁ ସେମାନେ ଦାବି କରିଥିଲେ ।
ମୁଖ୍ୟମନ୍ତ୍ରୀ ସବୁ ଅଭିଯୋଗ ଶୁଣି ଗତକାଲି ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରୁ ଫେରିଲା ପରେ ତାଙ୍କ ନିଷ୍ପତ୍ତି ନେବେ । ତେବେ କାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ବେଳକୁ ଦାମ ପୂରା ଗରମରେ ଥିଲେ । ତାଙ୍କର ମନ୍ତ୍ରୀ ପଦ, ଦଳୀୟ ଉପସଭାପତି ପଦ ଓ ପର୍ଯ୍ୟବେକ୍ଷକ ଦାୟିତ୍ୱ ଚାଲିଯାଇଥିବାରୁ ଆଉ ଯିବାର କିଛି ନାହିଁ । ବିଜେଡ଼ିରେ ବସ୍ତୁତଃ ସେ ଆଉ ନାହାନ୍ତି ବୋଲି ଦାମ କହିଦେଇଥିଲେ । ତେବେ କ’ଣ ହେଲା କେଜାଣି, ଆଜି ହଠାତ୍ ତାଙ୍କର ମନ ପରିବର୍ତ୍ତନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେଇ ସେ ନରମଭାବ ଦେଖାଇଛନ୍ତି । ଏବେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି ।