ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଆଜି ହୋଇନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଫେରନ୍ତା ପର୍ଯ୍ୟନ୍ତ ଏହା ଅଟକି ଯାଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପୂର୍ବରୁ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ପୂର୍ବରୁ ସୂଚନା ମିଳିଥିଲା । ମାତ୍ର ତାହା ହୋଇନାହିଁ । ଦାମଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ଉପରେ ସେ ବିଚାର କରୁଛନ୍ତି ବୋଲି ଆଜି ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦାମ ବରାବର ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି ଏବଂ ନିଜ ଜିଲ୍ଲାରେ ବିଜେଡ଼ି ବିରୋଧରେ କାର୍ଯ୍ୟ କରୁଛନ୍ତି । ଗତକାଲି ଦଳର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାମଙ୍କ ବିରୋଧରେ ଏଭଳି ଲମ୍ବା ଅଭିଯୋଗ ଜଣାଇଲା ପରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବିଶେଷ କରି ଦାମଙ୍କ ଜନ୍ମମାଟି ଏରସମାରୁ ହଜାର ହଜାର ବିଜେଡ଼ି କର୍ମୀ ସମାନ ଅଭିଯୋଗ ଆଣିଥିଲେ । ସକାଳେ ପ୍ରାୟ ୩ ହଜାର କର୍ମୀ ନବୀନ ନିବାସ ଆସି ଦାମଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ । ଦାମଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିବା ପାଇଁ ସେମାନେ ଦାବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଲିଖିତ ଅଭିଯୋଗ ରଖିଥିଲେ ଏବଂ କର୍ମୀଙ୍କ ମୁହଁରୁ ଅଭିଯୋଗ ଶୁଣିଥିଲେ ।
ଏହା ଭିତରେ ଦାମ ଆଜି ବି ଚୁପ୍ ରହିନାହାନ୍ତି । ନିଜ ଦଳ ବିରୋଧରେ ଆଟାକ୍ ଜାରି ରଖିଛନ୍ତି । ବିଜେଡ଼ି ଏବେ ଜଣେ ଅଫିସର ଓ ୩ ଜଣ ବିଧାୟକଙ୍କ ଦ୍ୱାରା ଚାଲିଛି ବୋଲି ସେ ଆକ୍ଷେପ କରିଛନ୍ତି । ଏହି ତିନି ବିଧାୟକଙ୍କ ନାଁ ବି ନେଇଛନ୍ତି ଦାମ । ସେମାନେ ହେଲେ ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଏବଂ ପ୍ରଣବ ପ୍ରକାଶ ଦାସ । ଦାମ କହିଛନ୍ତି, ମୁଁ ଆଉ ସେ ଦଳରେ ନାହିଁ । ମୋ ଅଜାଣତରେ ମତେ ମନ୍ତ୍ରୀ ପଦରୁ ବାହାର କରିଦେଲେ । ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ କାଢ଼ି ଦିଆଗଲା । ଆଉ କ’ଣ ଅଛି ଯେ ମୋର କରିବେ? ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବା କଥା ନିଅନ୍ତୁ ବୋଲି ଦାମ କହିଛନ୍ତି ।
ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ମଧ୍ୟ ଖୁବ୍ ବର୍ଷିଛନ୍ତି ଦାମ । ବିଷ୍ଣୁଙ୍କ ପ୍ରତି ସେ ତାଙ୍କ ଚିରାଚରିତ କଟୁ ଭାଷା ଲଗାଇଥିବା ବେଳେ ପ୍ରଶାନ୍ତ ମୁଦୁଲିଙ୍କ ମୁଣ୍ଡକୁ କଙ୍କଡ଼ା ବିଛା କାମୁଡିଛି ବୋଲି କଟୁକ୍ତି କରିଛନ୍ତି । ଦାମଙ୍କ ଏହି ବୟାନ ବିଜେଡ଼ି ମହଲରେ ପୁଣି ହଇଚଇ ସୃଷ୍ଟି କରିଛି । ଦାମଙ୍କ ବିରୋଧରେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳର ଅନେକ ବରିଷ୍ଠ ନେତା ଦାବି କରିଛନ୍ତି । ବିଜେଡ଼ିର ଅଧିକ କ୍ଷତି କରିବାକୁ ଆଉ ଦାମଙ୍କୁ ସୁଯୋଗ ନ ଦେବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିଛନ୍ତି ।