ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସିର ଖବର । ଲୋକସଭାର ବାଚସ୍ପତି ପଦ ଚର୍ଚ୍ଚାରେ ଜୁଏଲ୍ ଓରାମଙ୍କ ନାଁ । ମାଦି-୨ ଟିମ୍ ରୁ ବାଦ୍ ପଡ଼ିଥିବା ଓଡ଼ିଶାର ଏହି ବରିଷ୍ଠ ସାଂସଦଙ୍କ ସମେତ ଏସ.ଏସ.ଆହୁଲୱାଲିଆ ଏବଂ ମେନକା ଗାନ୍ଧୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଉପବାଚସ୍ପତି ପଦ ପାଇଁ ଚର୍ଚ୍ଚିତ ତାଲିକାରେ ବିଜେଡ଼ିର ବରିଷ୍ଠ ସାଂସଦ ଭର୍ତ୍ତୃହରି ସାଂସଦଙ୍କ ନାଁ ରହିଛି । ଲୋକସଭାର ଏହି ଦୁଇଟି ସର୍ବୋଚ୍ଚ ପଦବୀରେ ଜୁଏଲ୍ ଓରାମ୍ ଓ ଭର୍ତ୍ତୃହରି ମହତାବଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଚର୍ଚ୍ଚା ସତ୍ୟ ହେଲେ ଏଥର ଦୁଇ ଓଡ଼ିଆ ପୁଅ ଚଳାଇବେ ଲୋକସଭା । ରବି ରାୟଙ୍କ ପରେ ଜୁଏଲ୍ ହେବେ ଲୋକସଭାର ଦ୍ୱିତୀୟ ଓଡ଼ିଆ ବାଚସ୍ପତି ।
ଜୁନ୍ ୧୯ରେ ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବରିଷ୍ଠତା ଭିତ୍ତିରେ ମେନକା ଗାନ୍ଧୀଙ୍କୁ ବାଚସ୍ପତି ପଦ ପାଇଁ ଯୋଗ୍ୟ ବିଚାର କରାଯାଉଛି । ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଥିବା ମେନକାଙ୍କୁ ଏଥର ତାଙ୍କ ଟିମ୍ ରେ ସ୍ଥାନ ମିଳିନାହିଁ । ତେଣୁ ବାଚସ୍ପତି ପଦ ପାଇଁ ତାଙ୍କ ପାଖରେ ସୁଯୋଗ ରହିଛି । କିନ୍ତୁ ବିଜେପିର ଏକ ବଡ଼ଗୋଷ୍ଠୀ ତାଙ୍କ ସପକ୍ଷରେ ନାହାନ୍ତି । ସୁମିତ୍ରା ମହାଜନଙ୍କ ଭଳି ଗୃହକୁ ସୁରୁଖୁରୁରେ ଚଳାଇବାର କଳା ତାଙ୍କ ପାଖରେ ନାହିଁ ବୋଲି ସେମାନଙ୍କ ଯୁକ୍ତି ।
ଏସ.ଏସ୍. ଆହୁଲୱାଲିଆ ୪ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସଂସଦୀୟ ନୀତି ନିୟମ ଉପରେ ତାଙ୍କର ଯଥେଷ୍ଟ ଦଖଲ ରହିଛି । ସଂଖ୍ୟାଲଘୁ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କ ପାଇଁ ଆଉ ଏକ ପ୍ଲସ୍ ପଏଣ୍ଟ ଯୋଡି ହୋଇଛି ।
ତେବେ ସବୁ ଦୃଷ୍ଟିକୋଣରୁ ସୁନ୍ଦରଗଡ଼ର ସାଂସଦ ଜୁଏଲ୍ ଓରାମ୍ ଙ୍କ ପାଇଁ ବାଚସ୍ପତି ସୁଯୋଗ ଅଧିକ ରହିଛି । ବିଜେପିର ଆଦିବାସୀ ଫେସ୍ ଭାବେ ତାଙ୍କର ପରିଚୟ ଥିବା ବେଳେ ଅଭିଜ୍ଞତା, ସରଳତା ଓ ସମସ୍ତଙ୍କ ସହ ସୁସମ୍ପର୍କ ପାଇଁ ଯଥେଷ୍ଟ ଖ୍ୟାତି ରହିଛି । ଜୁଏଲ୍ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଦୁଇଥର ବିଧାୟକ ହୋଇଛନ୍ତି । ଗତ ସରକାରରେ ସେ ମନ୍ତ୍ରୀ ଥିବା ବେଳେ ଏଥର ବାଦ୍ ପଡ଼ିଛନ୍ତି । ସୁତରାଂ ବାଚସ୍ପତି ଦୌଡ଼ରେ ଜୁଏଲ୍ ଆଗରେ ରହିଥିବା କୁହାଯାଇଛି ।
ଅନ୍ୟପକ୍ଷରେ ଲୋକସଭାର ପରମ୍ପରା ଅନୁଯାୟୀ ଉପବାଚସ୍ପତି ପଦ ବିରୋଧୀ ଦଳ ହାତରେ ରହୁଥିବାରୁ ରେସ୍ ରେ ଓଡ଼ିଶାର ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ରହିଛି । ଶ୍ରୀ ମହତାବ ଗତଥର ଲୋକସଭାରେ ବିଜେଡ଼ି ସଂସଦୀୟ ଦଳର ନେତା ଥିଲେ ଏବଂ ଜଣେ ଦକ୍ଷ ପାର୍ଲିଆମେଣ୍ଟାରିଆନ୍ ଭାବେ ତାଙ୍କର ସୁଖ୍ୟାତି ରହିଛି । ଷୋଡ଼ଶ ଲୋକସଭାରେ ଏଆଇଏଡ଼ିଏମକେ ସାଂସଦ ଏମ.ଥାମ୍ବିଦୁରାଇ ଥିଲେ ଉପବାଚସ୍ପତି । କିନ୍ତୁ ବର୍ତ୍ତମାନ ଏଆଇଏଡ଼ିଏମକେ ଏନଡିଏ ସହ ସାମିଲ ହୋଇଛି । ତେଣୁ ବିରୋଧୀ ଦଳ ଭାବେ ବିଜେଡ଼ିର ଭେଟେରାନ୍ ଶ୍ରୀ ମହତାବଙ୍କ ନାଁ ଉପବାଚସ୍ପତି ପଦ ପାଇଁ ବିଚାର କରାଯାଉଥିବା କୁହାଯାଉଛି । ତେବେ ଏଭଳି ପ୍ରସ୍ତାବ ଆସିଲେ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ ।