ଭୁବନେଶ୍ୱର: ଏଥର ମନ୍ତ୍ରୀମାନଙ୍କୁ ନିସ୍ତାର ନାହିଁ । ନିର୍ବାଚନ ବେଳେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରାଯିବ ଏବଂ ମନ୍ତ୍ରୀମାନେ ସେଥିପାଇଁ ସିଧାସଳଖ ଦାୟୀ ରହିବେ । ଧାର୍ଯ୍ୟ ସମୟରେ ସବୁ କାମ ସାରିବାକୁ ପଡ଼ିବ । ପଞ୍ଚମ ଥର ପାଇଁ ରାଜ୍ୟର ଶାସନଭାର ସମ୍ଭାଳିବାର ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ସ୍ପଷ୍ଟ ଆଭିମୁଖ୍ୟ ପୋଷଣ କରିଛନ୍ତି । ଠିକ୍ ଢ଼ଙ୍ଗରେ ମନ୍ତ୍ରୀମାନଙ୍କଠାରୁ କାମ ଆଦାୟ ପାଇଁ ମୁଖ୍ୟମନ୍ତ୍ରୀ ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଦଳୀୟ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗଗୁଡ଼ିକ କ’ଣ ପଦକ୍ଷେପ ନେଇଛନ୍ତି ସଂପୃକ୍ତ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ମାସରେ ରିପୋର୍ଟ କରିବେ । ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ରିପୋର୍ଟ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାସରୁ ଏହା କାର୍ଯ୍ୟକାରୀ ହେବ ।
ମେ ୨୯ ତାରିଖରେ ପଞ୍ଚମ ପାଳି କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟ ଭାବେ ଗ୍ରହଣ କରିଥିଲେ । ଆଜିଠାରୁ ଠିକ୍ ୩୬୫ ଦିନ ରେ ୨୦୨୦ ମେ ୨୯ ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଜଣାଇବୁ ବୋଲି ମୁଖ୍ୟମନ୍ତ୍ରୀ ସଂକଳ୍ପ ରଖିଥିଲେ । ମନ୍ତ୍ରୀମାନେ ଏହି ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନର ଟି ମନ୍ତ୍ରୀ (ଟିମ୍ ୱାର୍କ, ଟ୍ରାନ୍ସପରେନ୍ସ ଓ ଟେକ୍ନୋଲୋଜି) ସହ ଟ୍ରାନସଫରମେସନ୍ ଏବଂ ଟାଇମ୍ କୁ ଯୋଡିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ସଶକ୍ତ ଓ ସମୃଦ୍ଧ ଭାବେ ଗଢ଼ି ତୋଳି ବିଶ୍ୱ ପରିଚୟ ଆଣିବାକୁ ଟାର୍ଗେଟ୍ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଫତୱା ପରିପ୍ରେକ୍ଷୀରେ ମନ୍ତ୍ରୀମାନଙ୍କ ନିଦ ହଜିଯାଇଛି । ବିଭାଗ ସମ୍ପର୍କରେ ଜ୍ଞାନ ପାଇବା ଆଗରୁ ଅତର୍ଚ୍ଛିଆ ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମନ ଜିଣି ମନ୍ତ୍ରୀ ପଦ ବଞ୍ଚେଇ ରଖିବା ସେମାନଙ୍କ ପାଇଁ ଚାଲେଂଜ ହୋଇଛି । ସଚିବାଳୟରେ ଏ ପର୍ଯ୍ୟନ୍ତ ଚାମ୍ବର ପାଇ ନ ଥିଲେ ମଧ୍ୟ ନୂଆ ମନ୍ତ୍ରୀମାନେ ଅପେକ୍ଷା ନ କରି ବିଭାଗୀୟ ଦପ୍ତର ବୁଲି ସମୀକ୍ଷା ବୈଠକ କରୁଛନ୍ତି । ବିଭାଗର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଅଫିସରଙ୍କ ଜରିଆରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାସିକିଆ ରିପୋର୍ଟ ପାଇଁ ମୁଖ୍ୟମନ୍ତ୍ରୀ ଏବେ ନିର୍ଦ୍ଦେଶ ଦେଇଥିବାରୁ ମନ୍ତ୍ରୀମାନେ ଆହୁରି ଟାଇଟ୍ ହୋଇଯାଇଛନ୍ତି । ନିଜ ଅଞ୍ଚଳରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବକୁ ଯିବା ଆଉ ସମ୍ଭବ ହେବ ନାହିଁ ବୋଲି ଜଣେ ମନ୍ତ୍ରୀ କହିଛନ୍ତି ।