ସମ୍ବଲପୁର(ମିଡ-ଡେ ଓଡ଼ିଶା): ଆଜି ସଂଧ୍ୟାରେ ଦେବଗଡ଼ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ୩୦ ଜଣ କଳାକାରଙ୍କ ଜୀବନ ନେଇଯାଇଛି । ଦେବଗଡ଼ରୁ ଭାରତୀ ଗଣନାଟ୍ୟର ଯାତ୍ରା କଳାକାରଙ୍କୁ ସୋହେଲା ନେଉଥିବା ବସ୍ (ନମ୍ବର ଓଆର-୦୫-ଏବି-୯୫୩୫) ତିଳେଇବଣି ଗଇଲୋ ଘାଟିରେ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ତଳକୁ ଖସିପଡ଼ିଥିଲା । ଅନ୍ଧାର ରାତି ସାଙ୍ଗକୁ ଘଞ୍ଚ ଜଙ୍ଗଲ ଭିତରେ ବସ୍ଟି ତଳେ କଚାଡ଼ି ହେଲାବେଳକୁ ଛିନ୍ଛତ୍ର ହୋଇଯାଇଥିଲା । ସେତେବେଳେ ବସ୍ରେ ୪୦ ଜଣ ଯାତ୍ରୀ ଥିଲେ । ବସ୍ ଭିତରେ ଚାପି ହୋଇ ୨୭ ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା ବେଳେ ପରେ ପରେ ହସ୍ପିଟାଲ୍ ନେବା ବାଟରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ଘନ ଅନ୍ଧାର ଯୋଗୁଁ ଘାଟିର ୩୦୦ ଫୁଟ ତଳେ ବସ୍ ରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ରିପୋର୍ଟ ଲେଖା ହେଲାବେଳକୁ ୮ଟି ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବଞ୍ଚି ଯାଇଥିବା ଯାତ୍ରୀଙ୍କୁ ବସ୍ ଭିତରୁ କଟର୍ ସାହାଯ୍ୟରେ ଉଦ୍ଧାର କରାଯାଉଛି । ଶେଷ ଖବର ଅନୁଯାୟୀ ଉଦ୍ଧାର ହୋଇଥିବା ୮ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛ ଏବଂ ସେମାନଙ୍କ ଜୀବନ ବଞ୍ଚାଇବାକୁ ବୁର୍ଲା ଡାକ୍ତରଖାନା ନିଆଯାଇଛି ।
ବରଗଡ଼ ଜିଲ୍ଲା ରେମତାର ଯାତ୍ରା ପାର୍ଟି ହେଉଛି ଭାରତୀ ଗଣନାଟ୍ୟ । ବସ୍ରେ ମାଲିକ ସୀତାରାମ ପ୍ରଧାନ ମଧ୍ୟ ଯାତ୍ରା କରୁଥିଲେ । ତେବେ ସୀତାରାମଙ୍କ ସମେତ ଯାତ୍ରା ପାର୍ଟିର ମ୍ୟାନେଜର, ହୀରୋ, ହୀରୋଇନ୍, ଭିଲିଆନ୍ କେହି ବଞ୍ଚିନାହାନ୍ତି । ଦୁର୍ଘଟଣାର ଭୟାନକ ଦୃଶ୍ୟ ଆଖପାଖ ଅଞ୍ଚଳବାସୀଙ୍କ ହୃଦୟ ଚହଲାଇ ଦେଇଛି । ବସ୍ ଭିତରେ ଓ ବାହାରେ ରକ୍ତ ଜୁଡ଼ୁବୁଡୁ ଶବଗୁଡ଼ିକ ଛିନ୍ଛତ୍ର ହୋଇ ପଡ଼ିଛନ୍ତି । ଆହତଙ୍କ ଆର୍ତ୍ତ ଚିକ୍ରାରରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଏହି ଲୋମଟାଙ୍କୁରା ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି । ଖବର ପାଇ ପ୍ରଶାସନ କଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛି । ଘଟଣାସ୍ଥଳରେ ଦେବଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସମସ୍ତ ଅଧିକାରୀ ପହଞ୍ଚିଛନ୍ତି ।