ନୟାଗଡ଼(ମିଡ-ଡେ ଓଡ଼ିଶା): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ରାମପଡ଼ା ଗାଁର ୯୦ ବର୍ଷୀୟ ବୃଦ୍ଧ ବାନାମ୍ବର ସ୍ୱାଇଁ । ପତ୍ନୀ କାଞ୍ଚନଙ୍କ ବୟସ ୮୫ ରୁ ଅଧିକ । ଅସହାୟ ଏହି ଦମ୍ପତ୍ତି ଶନିବାର(ଏପ୍ରିଲ୍ ୧୬) ଦିନତମାମ ବସିଥିଲେ ଫତେଗଡ଼ ଥାନା ସାମନା ରାସ୍ତାକଡ଼ରେ । ପାଖରେ କେଉଁଠି ଯାଇ ଗଣ୍ଡେ ଖାଇବାକୁ କି ମୁନ୍ଦେ ପାଣି ପିଇଯିବାକୁ ଚାରା ନ ଥିଲା । ଥାନାବାବୁଙ୍କ ହୁକୁମ୍- କୁଆଡେ ଯାଇପାରିବନି, ସେଠି ବସିଥା, ଡାକିଲେ ଆସିବ । ପୂର୍ବଦିନ ଥାନାବାବୁ ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ଅପରାହ୍ନ ୫ ଟାରେ ଥାନାକୁ ଡକାଇ ରାତି ୧୨ଟାରେ ଘରକୁ ଛାଡ଼ିଥିଲେ । ଦୁଇଦିନ ଯାକ ଭୋକ ଓପାସରେ ଖରାରେ ସିଝି ଥିବା ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ ନିର୍ଦ୍ଦୟ ହୋଇଯାଇଥିଲେ ଥାନା ହାକିମ ।
ବୟସର ବୋଝରେ ଆଖିକୁ ଭଲ ଦିଶୁ ନ ଥିବା ଏବଂ ଦୁର୍ବଳରେ ଦେହ ଥରୁଥିବା ବାନାମ୍ବର ଓ କାଞ୍ଚନଙ୍କ ଦୋଷ, ନିଜର ୪୦/୪୫ ବର୍ଷୀୟା ସୁସ୍ଥ ସବଳ ବୋହୁକୁ କୁଆଡେ କାଠ ଫାଳିଆରେ ମାରି ମୁଣ୍ଡ ଫଟେଇ ଦେଇଛନ୍ତି । ଆଉ ବିନା ତଦନ୍ତରେ ଥାନାବାବୁଙ୍କର ବୁଢ଼ାବୁଢ଼ୀଙ୍କ ପାଇଁ ଏହା ଥିଲା ତାଲିବାନ୍ ଶାସ୍ତି । ଥାନାରେ ବୋହୁ ଯେ ଖାଲି ଏତଲା ଦେଇଛନ୍ତି ତାହା ନୁହେଁ । ବୁଢ଼ାବୁଢ଼ୀ ବି ପାଲଟା ଏତଲା ଦେଇଛନ୍ତି । ବୁଢ଼ାବୁଢ଼ୀ ତାଙ୍କ ଏତଲାରେ ନିଜ ବଡ଼ବୋହୁ ସେମାନଙ୍କୁ ନିର୍ଧୂମ୍ ବିଧାଚାପୁଡ଼ା ମାରି ମୁଣ୍ଡ ଫଟାଇ ଦେଇଥିବା ଲେଖିଛନ୍ତି । ତେବେ ଏହି ପାରିବାରିକ ଗଣ୍ଡଗୋଳରେ ରାଜନୀତିର ଗନ୍ଧ ଜାଣିବା ପରେ ଆମ ପ୍ରତିନିଧି ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ଶନିବାର ସକାଳୁ ସକାଳୁ ଯାଇ ପହଞ୍ଚିଥିଲେ ଫତେଗଡ଼ ଥାନାରେ । ଆଉ ସେଠାରେ ଯାଇ ଯାହା ଦେଖିଲେ ତାହା ଅବିକଳ ଏହିଭଳି ।
ଥାନାବାବୁ ସୁଧାକର ସାହୁଙ୍କ ନିର୍ଦେଶ ଅନୁଯାୟୀ ବୁଢ଼ାବୁଢ଼ୀ ସକାଳ ୮ଟା ସୁଦ୍ଧା ଥାନାରେ ହାଜର୍ ହୋଇଯାଇଥିଲେ । ବାହାରେ ଅପେକ୍ଷା କରିଥା, ଡାକିଲେ ଭିତରକୁ ଆସିବ ବୋଲି ଥାନାବାବୁ ନିର୍ଦେଶ ଦେବାରୁ ଅସହାୟ ବୁଢ଼ାବୁଢ଼ୀ ରାସ୍ତାକଡ ମୁଣ୍ଡଫଟା ଖରାରେ ଅପେକ୍ଷା କଲେ । ଦିନ ଗଡ଼ି ଗଡ଼ି ୧୨ ଟା ହୋଇଯାଇଥିଲେ ସୁଦ୍ଧା ନା ଥାନାବାବୁଙ୍କର ଡାକରା ଆସିଲା ନା ତାଙ୍କୁ ସେଠାରୁ ଯିବାକୁ ଅନୁମତି ଦିଆଗଲା । ଆମ ପ୍ରତିନିଧି ଏ ସମ୍ପର୍କରେ ଥାନାବାବୁଙ୍କୁ ପଚାରିଲାରୁ ସେ କହିଲେ ଅଭିଯୋଗକାରୀ ମହିଳାଙ୍କୁ ବି ଥାନାକୁ ଡକାଯାଇଛି । ସେ ଆସିଲେ ଯାଇ ଯାହା ହେବ । କିନ୍ତୁ ତାଙ୍କୁ କେତେବେଳକୁ ଡକାଯାଇଛି ବୋଲି ପ୍ରଶ୍ନ କଲାରୁ ଥାନାବାବୁ ଗାଲେଇବା ସହ ରାଗ ତମ ତମ ହୋଇଥିଲେ ।
ପାଖାପାଖି ୧ଟା ବେଳକୁ ଥାନାରେ ଦେଖିବାକୁ ମିଳିଲେ ଅଭିଯୋଗକାରିଣୀ ମହିଳାଙ୍କ ଭାଇ । ସେହି ବାବୁ ହେଉଛନ୍ତି ପେଶାରେ ସରକାରୀ ଡ୍ରାଇଭର । କିନ୍ତୁ ବିଜେଡ଼ିର କୁଜିନେତା ଭାବେ ଅଞ୍ଚଳରେ ବେଶ୍ ପତିଆରା ତାଙ୍କର । ତାଙ୍କ ଆଗରେ ଥାନାବାବୁ ଜାକିଜୁକି ହୋଇପଡୁଥିଲେ । ତେବେ ଅପେକ୍ଷାରତ ବୁଢ଼ାବୁଢ଼ୀଙ୍କ ଦୁର୍ଦ୍ଦଶା ଦେଖି ଆମ ପ୍ରତିନିଧି ଥାନାବାବୁଙ୍କ ଦୃଷ୍ଟି ଆକର୍ଷଣ କଲାରୁ ଥାନାବାବୁ ସେମାନଙ୍କୁ ଡାକିଲେ । ମାତ୍ର ଥାନାବାବୁଙ୍କ ତୁଣ୍ଡ ଛଡ଼ାଇ ବୁଢ଼ାବୁଢ଼ୀଙ୍କ ଉପରେ ପ୍ରବଳ ହାର୍କିନ ଦେଖାଇଲେ କୁଜିନେତା । ତାହାକୁ ଥାନାବାବୁଙ୍କର ବି ଅକୁଣ୍ଠ ସମର୍ଥନ ଥିଲା । ତେବେ କେସ୍ ରେଜିଷ୍ଟ୍ରି ନାଁ କହି ଥାନାବାବୁ ବୁଢ଼ାବୁଢ଼ୀଙ୍କୁ ବାହାରେ ଯାଇ ପୁଣି ଅପେକ୍ଷା କର ବୋଲି ନିର୍ଦେଶ ଦେଲେ । ଇତିମଧ୍ୟରେ ଥାନାବାବୁ ଖାଇବା ପାଇଁ ବସାକୁ ଚାଲିଗଲେ ଏବଂ ଖାଇସାରି ଏସିରେ ଆରାମ୍ ରେ ଶୋଇଗଲେ । ସଂଧ୍ୟା ନଇଁଗଲା ପଛେ ଆଉ ଦେଖା ମିଳିଲେନି ।
ଏପଟେ ବୁଢ଼ାବୁଢ଼ୀ ସେମିତି ବସିଲେ ଥାନାବାବୁଙ୍କ ଡାକରା ଅପେକ୍ଷାରେ । ସେତେବେଳକୁ ଡହ ଡହ ଖରାରେ ସିଝି ସିଝି ଶେତା ପଡ଼ିଯାଇଥିଲେ ବୁଢ଼ାବୁଢ଼ୀ । ୪୩ଂର ପ୍ରଚଣ୍ଡ ତାତିରେ ବୃଦ୍ଧ ବାନାମ୍ବର ଦୁଇଥର ବେହୋସ ହୋଇଯାଇଥିଲେ । ଉଭୟଙ୍କ ପେଟରେ ଦୁଇ ଦିନ ହେଲା ଦାନା ପଡ଼ି ନ ଥିଲା କି ଡରରେ ପାଣି ବି ତଣ୍ଟିରେ ଯାଉ ନ ଥିଲା । ଥାନାବାବୁଙ୍କ ହୁକୁମ୍ କୁ ଅପେକ୍ଷା କରିଥିବା ବୁଢ଼ାବୁଢ଼ୀ ସେତେବେଳେକୁ ଭୟରେ ଥରୁଥିଲେ । ଯାହାକୁ ଦେଖୁଥିଲେ ଭୋ ଭୋ ହୋଇ କାନ୍ଦୁଥିଲେ । ତେବେ ଶେଷରେ ଜଣେ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଇନସ୍ପେକ୍ଟର ବୁଢ଼ାବୁଢ଼ୀଙ୍କୁ ଥାନାରୁ ଛାଡ଼ିଲେ । ମାମଲାରେ ଦୋଷୀ କିଏ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ତ ଅଲଗା କଥା ମାତ୍ର ଯେଭଳି ଭାବେ ନିର୍ଦ୍ଦୟ ଥାନାବାବୁ ୯୦ ବର୍ଷର ବୁଦ୍ଧ ଦମ୍ପତ୍ତିକୁ ଦିନ ତମାମ ଖରାରେ ସିଝାଇଲେ ତାହା ମାନବିକ ମୂଲ୍ୟବୋଧ ରଖିଥିବା ଭଦ୍ର ସମାଜର କୌଣସି ବ୍ୟକ୍ତି ପାଇଁ ଆଦୌ ସହ୍ୟ ନୁହେଁ ।