ନୟାଗଡ଼(ମିଡ-ଡେ ଓଡ଼ିଶା): ୯୦ ବର୍ଷର ଦମ୍ପତ୍ତିଙ୍କୁ ୪୩ଂ ଖରାରେ ଦିନତମାମ ସିଝାଇଥିବା ଫତେଗଡ଼ ଥାନାବାବୁଙ୍କ ବର୍ବରତା ସୀମା ଲଂଘିଛି । ନାଟକୀୟ ଢ଼ଙ୍ଗରେ ଗତକାଲି ରାତି ଅଧରେ ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କୁ ଘରୁ ଉଠାଇ ଆଣି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ବିରୋଧରେ ୩୪୧,୩୨୬,୩୨୩,୨୯୪,୩୨୪,୩୫୪ ଏବଂ ୫୦୬ ଭଳି ସଙ୍ଗୀନ ଦଫା ଲଗାଯାଇଛି । ସାମାନ୍ୟ ଏକ ପାରିବାରିକ ବିବାଦରେ ପୁଲିସର ଏଭଳି ବର୍ବୋରଚିତ କାଣ୍ଡ ପଛରେ ଖୋଦ୍ ମନ୍ତ୍ରୀ ଅରୁଣ ସାହୁଙ୍କ ଇସାରା ରହିଥିବା ସ୍ପଷ୍ଟ ହୋଇଛି । ବୃଦ୍ଧ ଦମ୍ପତ୍ତିଙ୍କ ନିର୍ଦୋଷତା ଓ ଅସହାୟତାକୁ ବୁଝିଥିବା ଥାନାର ଜଣେ ପୁଲିସ କର୍ମଚାରୀ ଏକଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆମେ ସବୁ ବୁଝୁଛୁ । ମାତ୍ର ଆମର ଉପାୟ ନାହିଁ । ମନ୍ତ୍ରୀଙ୍କ ଆଡୁ ପ୍ରବଳ ଚାପ ପଡୁଛି ।
ଏଠାରେ ସୂଚନାଯୋଗ୍ୟ ଯେ ଘଟଣା ସମ୍ପର୍କରେ ଆମ ପ୍ରତିନିଧିଙ୍କଠାରୁ ଭଲଭାବେ ଅବଗତ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଆଉ ମନ୍ତ୍ରୀଙ୍କ ବୋଲକରା ତଥା କଲେଜ ସାଙ୍ଗ ଥାନାବାବୁ ସୁଧାକର ସାହୁଙ୍କ ସାମନାରେ ଦାଦାଗିରି ଦେଖାଉଥିବା ଅଭିଯୋଗକାରିଣୀ ବୋହୁଙ୍କ ଭାଇ ପ୍ରଭାତ ବଲିଆରସିଂ ଶାସକ ଦଳର କୁଜିନେତା । ନିଜେ ସେ ଭାପୁର ଡାକ୍ତରଖାନାରେ ଡ୍ରାଇଭର ଚାକିରି କରୁଥିଲା ବେଳେ ପତ୍ନୀ ହେଉଛନ୍ତି ବିଜେଡ଼ି ସରପଞ୍ଚ । ମନ୍ତ୍ରୀ ଅରୁଣଙ୍କ ଖାସ୍ଲୋକ ଭାପୁରର ବାହୁବଳୀ ବିଜେଡ଼ି ନେତା ଗୟାଧର ପରିଡ଼ାଙ୍କର ପ୍ରଭାତ ହେଉଛନ୍ତି ଡାହାଣ ହାତ । ଏହି ହିସାବରେ ପ୍ରଭାତଙ୍କୁ ସୁରକ୍ଷା ଦେବାକୁ ଅରୁଣ ଅଂଟା ଭିଡ଼ିଥିବା ପରିଷ୍କାର ହୋଇଛି । ଖାଲି ଅରୁଣ ନୁହଁନ୍ତି, ଏହି ମାମଲାରେ ମୁଣ୍ଡ ପୂରାଇଛନ୍ତି ବେଗୁନିଆର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବୁଢ଼ାବୁଢ଼ୀଙ୍କ ସପକ୍ଷରେ ନ ଯିବାକୁ ସେ ଥାନାବାବୁଙ୍କୁ ଚାପ ପକାଇଛନ୍ତି । ନିଜେ ଥାନାବାବୁ ଆମ ପ୍ରତିନିଧିଙ୍କ ଆଗରେ ଏକଥା ସ୍ୱୀକାର କରିଛନ୍ତି । ଏକ ସାମାନ୍ୟ ପାରିବାରିକ ଘଟଣାରେ ମନ୍ତ୍ରୀ, ବିଧାୟକଙ୍କ ଚାପରେ ବୁଢ଼ାବୁଢ଼ୀଙ୍କୁ ପୁଲିସର ତାଲିବାନ୍ ଶାସ୍ତି ଖବର ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ଉଲ୍ଲେଖଯୋଗ୍ୟ ଯେ ୯୦ ବର୍ଷର ଶାଶୁ, ଶ୍ୱଶୁରକୁ ଘରୁ ତଡ଼ିପାର୍ କରିଥିବା ବିଧବା ବୋହୁ ଶୁକ୍ରବାର ଥାନାରେ ଅଭିଯୋଗ କଲା ଦୁହେଁ ତାକୁ ବାଡେଇ ମୁଣ୍ଡ ଫଟେଇ ଦେଇଛନ୍ତି । ବୁଢ଼ାବୁଢ଼ୀଙ୍କ ପାଲଟା ଅଭିଯୋଗ ଥିଲା ବୋହୁ ସେମାନଙ୍କୁ ବିଧା ଗୋଇଠା ମାରି ନିସ୍ତୁକ ପିଟିଛି । ଏମିତିକି ବୋହୁର ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି ବୋଲି ଶ୍ୱଶୁର ବାନାମ୍ବର ସ୍ୱାଇଁ ଦର୍ଶାଇଥିଲେ । ତାଙ୍କ ଦୁର୍ଭାଗ୍ୟକୁ ରାଜନୈତିକ ଚାପର ବଶବର୍ତ୍ତୀ ଭାପୁର ଡାକ୍ତର ବାବୁ ବୋହୁର ତଥାକଥିତ ଆଘାତରେ ଯୁଦ୍ଧକାଳୀନ ଷ୍ଟିଚ୍ ପକାଇ ପୁଲିସକୁ ରିପୋର୍ଟ ଦେଇଥିଲା ବେଳେ ବୃଦ୍ଧ ବାନାମ୍ବରଙ୍କୁ ନାଲି ଆଖି ଦେଖାଇ ଫେରାଇ ଦେଇଥିଲେ । ଚିକିତ୍ସାରୁ ବଞ୍ଚିତ ବୃଦ୍ଧ ବାନାମ୍ବର ନିଜ ଗାମୁଛାରେ ପଟି ଭିଡ଼ିଥିଲେ । ଥାନାବାବୁ ସବୁ ଦେଖୁଥିଲେ ବି ରାତି ୧୨ଟା ଯାଏଁ ବୁଢ଼ାବୁଢ଼ୀଙ୍କୁ ଅଖିଆ ଅପିଆ ବସାଇ ରଖିଥିଲେ ।
ପରଦିନ ସକାଳ ୮ଟାରୁ ରାତି ୬ଟା ଯାଏଁ ଥାନାବାବୁ ବୁଢ଼ାବୁଢ଼ୀଙ୍କୁ ଥାନା ବାହାରେ ୪୩ଂ ଖରାରେ ବସାଇ ରଖିଲେ । ଜନୈକ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ କଥା ଛିଣ୍ଡିଲା ସୋମବାର ମାମଲାର ଫୈସଲା ହେବ । ରବିବାର ଦିନ ତମାମ ପୁଲିସ ନିଜ ଭଲମନ୍ଦ ବୁଝାସୁଝା କରି ସେହି ଆଭିମୁଖ୍ୟରେ ରହିଲା । ମାତ୍ର ରାତି ୪ ଟା ବେଳକୁ ପୁଲିସ ଅଚାନକ ନିଃସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ସେମାନେ ଭଡ଼ାରେ ରହୁଥିବା ଜାମୁସାହିସ୍ଥିତ କୁଡ଼ିଆ ଘରୁ ଉଠାଇନେଲା । ଭୟ ଓ ଚିନ୍ତାରେ ୪ ଦିନ ଧରି ଉପାସ ଥିବା ଦମ୍ପତ୍ତି ଭୋ ଭୋ କାନ୍ଦି ସମସ୍ତଙ୍କୁ ବିକଳିଆ ହୋଇ ଚାହୁଁଥିଲେ । ଦିନ ପ୍ରାୟ ସାଢ଼େ ୧୨ ଟା ବେଳକୁ ପୁଲିସ ଏକା ବୃଦ୍ଧ ବାନାମ୍ବରଙ୍କୁ କୋର୍ଟ ଚାଲାଣ କରିଥିଲା। ଏବେ ସେ ଖଣ୍ଡପଡ଼ା ଜେଲ୍ର ଚାରିକାନ୍ଥ ଭିତରେ ।