ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତରାୟଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍ କଲେ । ଆଜି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ତାଗିଦ୍ କରିଥିବାର ଚର୍ଚ୍ଚା କିଛି ଗଣମାଧ୍ୟମର ବ୍ରେକିଂ ଖବର ପାଲଟିଛି । ଖବରଟିର ସତ୍ୟାସତ୍ୟ କାହାରି ପାଖରେ ନାହିଁ କି କୌଣସି ମନ୍ତ୍ରୀ ଗଣମାଧ୍ୟମକୁ ବାଇଟ୍ରେ ଏକଥା କହିନାହାନ୍ତି । କ୍ୟାବିନେଟ୍ ବୈଠକ ଦେଖି ନ ଥିବା ବିଜେଡ଼ିର ଜଣେ ମୁଖପାତ୍ର ଉଡ଼ା ଖବର ଉପରେ ଚିରାଚରିତ ବାଇଟ୍ ଦେଇଛନ୍ତି ଯାହା ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମର ମାଧ୍ୟମ ହୋଇଛି ।
ଆମେ ଏ ସମ୍ପର୍କରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ଯୋଗାଯୋଗ କରିଥିଲୁ । ମାତ୍ର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେଭଳି କିଛି ତାଗିଦ୍ କରି ନ ଥିବା ସେ କହିଛନ୍ତି । ନିଜ ନିଜ ବିଭାଗ ଉପରେ ମନ୍ତ୍ରୀମାନେ ଗଣମାଧ୍ୟମରେ କହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିବା ସେ କହିଛନ୍ତି । ଆଉ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେମାନେ ଦାମବାବୁଙ୍କ ମତ ସହ ଏକମତ ହୋଇ ଟିଭି ବ୍ରେକିଂ ନିଉଜ୍ ଉପରେ ନିଜେ ନିଜେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ସୂତ୍ରରୁ ମଧ୍ୟ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ତାଗିଦ୍ ଖବର ଉପରେ କୌଣସି ଟେର୍ ମିଳିନାହିଁ । ଏସବୁକୁ ଧରିଲେ ନିର୍ଦ୍ଦିଷ୍ଟ ଭାବେ ଦାମ ଓ ବିଜୟଶ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ଖବରର ଯେ ସତ୍ୟତା ନାହିଁ ତାହା ବୁଝି ହେଉଛି ।
ତେବେ ଏଭଳି ବ୍ରେକିଂ ଖବର ଗଣମାଧ୍ୟମକୁ ଆସିଲା କେମିତି? ଅନୁସନ୍ଧାନ ବେଳେ ଏହା ପଛରେ ଥିବା ରହସ୍ୟର ସୁରାକ୍ ମିଳିଛି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଭାବେ ଦୁଇ ପାୱାରଫୁଲ୍ ଯୁବମନ୍ତ୍ରୀ ଗଣମାଧ୍ୟମକୁ ଏହି ଖବର ଛାଡ଼ିଛନ୍ତି । ଖବରକୁ ବାଁ ଡାହାଣ କରି ଜନମାନସରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଏହି ଚାଲ୍ ଖେଳାଯାଇଛି । ଖାସ୍ କରି କ୍ୟାବିନେଟ୍ ବୈଠକ ପରେ ପରେ ତୃତୀୟ ମହଲାର ବ୍ଲୁ ଆଇଡ଼ ବନିଥିବା ଯୁବମନ୍ତ୍ରୀ ନିର୍ଦ୍ଦିଷ୍ଟ ଟିଭି ଚାନେଲ୍କୁ ପ୍ରଥମେ ଏହି ଖବର ଛାଡ଼ିଥିଲେ । ଆଉ ଏଭଳି ଗରମ ପ୍ରସଙ୍ଗକୁ ବ୍ରେକିଂ ଖବର ଭାବେ ନେଇଥିଲା ସଂପୃକ୍ତ ଟିଭି । ଦେଖାଦେଖି ଅନ୍ୟମାନେ ଏହାକୁ କପି କରିନେଇଥିଲେ । ଖବରକୁ ନେଇ ଦ୍ୱନ୍ଦରେ ପଡ଼ିଥିବା ଆଉ ଚାନେଲ୍ ବିଜେଡ଼ି ମୁଖପାତ୍ରଙ୍କ ବାଇଟ୍ ଆଣି ଖବରର ଆଧାର ନାଁରେ କାମ ଚଳାଇ ଦେଇଥିଲେ ।
କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ଭଳି ଅପଭ୍ରଂଶ ଖବରକୁ ଗଣମାଧ୍ୟମରେ ଛାଡ଼ିବା ପଛରେ ନିର୍ଦ୍ଦିଷ୍ଟ ଯୁବମନ୍ତ୍ରୀଙ୍କ ଉଦ୍ୟେଶ ସ୍ପଷ୍ଟ ହୋଇଛି । ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନେଇ ଗତ କିଛି ଦିନ ଧରି ଦଳରେ ଲାଗି ରହିଥିବା କନ୍ଦଳ ଓ ବରିଷ୍ଠ ନେତାଙ୍କ ମୁହଁରୁ ଯୁବମନ୍ତ୍ରୀଙ୍କ ଉପରେ ବିସ୍ଫୋରକ ବୟାନବାଜିର ଏହା ହେଉଛି କାଉଣ୍ଟର ଯୋଜନା । ବରିଷ୍ଠ ନେତାଙ୍କ ଟାର୍ଗେଟ୍ ହୋଇଥିବା ଯୁବମନ୍ତ୍ରୀମାନେ ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ଗଣମାଧ୍ୟମରେ ଏଭଳି ନାଟକ ବିଛାଇଥିବା ସୂଚନା ମିଳିଛି । ଏଥିରୁ ଦଳ ଭିତରେ ଯୁବ ବନାମ ବରିଷ୍ଠଙ୍କ ଲଢ଼େଇ ଜଟିଳ ରୂପ ନେଇଥିବା ବାରି ହୋଇପଡୁଛି । ଏକଥା ସତ ଯେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତରାୟଙ୍କ ବୟାନ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢ଼ାଇଦେଇଛି । ବରିଷ୍ଠର ଦ୍ୱାହି ଦେଇ ନେତାମାନେ ଯୁବମନ୍ତ୍ରୀଙ୍କ କାଟ୍ତିକୁ ସହ୍ୟ କରିପାରୁ ନ ଥିବା ବେଳେ ଉଭୟ ସରକାର ଓ ଦଳର ସଂଗଠନକୁ ସମ୍ଭାଳିବାରେ ଏହି ଯୁବମନ୍ତ୍ରୀମାନଙ୍କ କଠିନ ପରିଶ୍ରମକୁ ଅଣଦେଖା କରିପାରୁନାହାନ୍ତି । ହାତଗଣତିଙ୍କ ପାଇଁ ସମଗ୍ର ଯୁବବର୍ଗଙ୍କୁ ବଦନାମ କରିବାର ଯୁକ୍ତି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅବୁଝା ହୋଇଥିବାରୁ ସେ ଚୁପ୍ ରହିଛନ୍ତି । ହୋଇପାରେ ଦଳରେ ବିବାଦ ଏଡାଇବାକୁ ମୁଖ୍ୟମନ୍ତ୍ରୀ ସାମଗ୍ରିକ ଭାବେ ମନ୍ତ୍ରୀମାନଙ୍କୁ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟପ୍ରତି ସଜାଗ କରିଦେଇଛନ୍ତି ।