ଭୁବନେଶ୍ୱର: ବିଧାୟକ ଦେବାଶିଷ ନାୟକ ଏବେ ବିଜେଡ଼ି ପାଇଁ ଭାରି ହୋଇଛନ୍ତି । ତାଙ୍କର ହମବଡ଼ା ନୀତି ବହୁକ୍ଷେତ୍ରରେ ଦଳକୁ ଅଡୁଆରେ ପକାଉଛି । ସହଯୋଗୀ ନେତାମାନଙ୍କୁ ସେ ପାସଙ୍ଗରେ ନେଉ ନ ଥିବା ନେଇ ବହୁ ଅଭିଯୋଗ ଆସିଛି । ନିଜ ବରୀ ନିର୍ବାଚନମଣ୍ଡଳୀଠାରୁ ଆରମ୍ଭ କରି ଦଳୀୟ ପର୍ଯ୍ୟବେକ୍ଷକ ଥିବା ଖୋର୍ଦ୍ଧା ଜିଲ୍ଲାରେ ସବୁ ନେତାଙ୍କୁ ନେଇ ଚାଲିବା ବଦଳରେ ଦେବାଶିଷ ଦଳକୁ ଗୋଷ୍ଠୀଭୁକ୍ତ କରି ବିଭାଜନମୁହାଁ କରାଉଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ, ଭୁବନେଶ୍ୱରରେ ଦଳୀୟ ନିଷ୍ପତ୍ତିକୁ ତାଙ୍କର ଖାତିର ରହୁ ନ ଥିଲା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କୁ ମଧ୍ୟ ତାଙ୍କର ଭୃକ୍ଷେପ ନ ଥିବା କୁହାଯାଇଛି ।
ଦେବାଶିଷଙ୍କ ହାମବଡ଼ା ନୀତିରୁ ବେଶୀ ପ୍ରଭାବିତ ହୋଇଛି ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଂଗଠନ । ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ଦେବାଶିଷ । ମାତ୍ର ଜିଲ୍ଲାରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସେ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ପଚାରୁନାହାନ୍ତି କି ତାଙ୍କର ସହଯୋଗ ଲୋଡୁନାହାନ୍ତି । ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ ଯେତେ କାର୍ଯ୍ୟକ୍ରମ କରିଛନ୍ତି ସେଥିରେ ସଭାପତିଙ୍କୁ ଡାକି ନ ଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସେହିଭଳି ନିକଟରେ ବିଜେଡ଼ିରେ ଯୋଗ ଦେଇଥିବା ମାନସ ମଙ୍ଗରାଜଙ୍କୁ ତାଙ୍କ ଚିଲିକା ନିର୍ବାଚନମଣ୍ଡଳୀରେ କୌଣସି କାର୍ଯ୍ୟକ୍ରମରେ ଦେବାଶିଷ ସାମିଲ କରୁନାହାନ୍ତି । ସେଠାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଧରି ଏକପାଖିଆ କାର୍ଯ୍ୟକ୍ରମ କରୁଥିବାରୁ ମାନସ ଅଣନିଶ୍ୱାସୀ ହୋଇପଡ଼ିଥିବା ଜଣାପଡ଼ିଛି । ରଘୁନାଥ ସାହୁ ଓ ମାନସ ମଙ୍ଗରାଜଙ୍କ ମଧ୍ୟରେ କୌଣସି ତିକ୍ତତା ନ ଥିଲା ବେଳେ ଦେବାଶିଷଙ୍କ କୁଟନୀତି ଦଳ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି ।
ନିଜ ନିର୍ବାଚନମଣ୍ଡଳୀ ବରୀରେ ମଧ୍ୟ ଦେବାଶିଷଙ୍କ ନିଜର କାଟତି ନାହିଁ କି ଜନସମ୍ପର୍କ ନାହିଁ । ଦଳୀୟ ନେତାଙ୍କୁ ଏକାଠି ନେଇ ଚାଲିବାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଦେବାଶିଷ ସବୁବେଳେ ନବୀନ ପଟ୍ଟନାୟକଙ୍କ ନାଁରେ ହିଁ ଭୋଟ ପାଆନ୍ତି । ନିର୍ବାଚନମଣ୍ଡଳୀ ଲୋକେ ବ୍ୟକ୍ତିଗତ ଭାବେ ତାଙ୍କୁ ନାକ ଟେକନ୍ତି । ମୁସଲିମ୍ ବହୁଳ ବ୍ରହ୍ମବରଦା ଅଞ୍ଚଳର ଜଣେ ଆଗଧାଡ଼ିର ବିଜେଡ଼ି କର୍ମୀ କହିଛନ୍ତି, ଏଥର ଯଦି ଦେବାଶିଷ ଟିକେଟ୍ ପାଆନ୍ତି ତେବେ ଆମେ ଆଖିବୁଜି ବିଜେପିକୁ ଭୋଟ ଦେବୁ । ଦେବାଶିଷଙ୍କ ଭଳି ବ୍ୟକ୍ତିଙ୍କୁ ଆଉ ବିଧାୟକ ଭାବେ ଆମେ ଦେଖିବାକୁ ଚାହୁଁନୁ ବୋଲି ସେ ସ୍ପଷ୍ଟ ମତ ଦେଇଛନ୍ତି । ଖାଲି ବ୍ରହ୍ମବରାଦ ନୁହେଁ, ସମଗ୍ର ନିର୍ବାଚନମଣ୍ଡଳୀରେ ଦେବାଶିଷଙ୍କ ଉପରେ ସବୁ ନେତା ଓ କର୍ମୀଙ୍କ ରାଗ । ଦଳକୁ ସୁଦୃଢ଼ କରିବା ବଦଳରେ ଦିନକୁ ଦିନ ସେ ଦୁର୍ବଳ କରୁଥିବା ସବୁଆଡୁ ଅଭିଯୋଗ ହେଉଛି ।
ବିଜେଡ଼ିକୁ ଦେବାଶିଷ ଗଣମାଧ୍ୟମରେ ସବୁବେଳେ ଅସୁବିଧାରେ ପକାଉଥିବାର ମଧ୍ୟ ଅଭିଯୋଗ ରହିଛି । ବିଜେଡ଼ିର ମୁଖପାତ୍ର ଓ ପାନେଲିଷ୍ଟ ତାଲିକାରେ ତାଙ୍କ ନାଁ ନ ଥିଲେ ମଧ୍ୟ ସେ ମନଇଚ୍ଛା ସବୁ ଟିଭିରେ ଯାଇ ବସିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ପସନ୍ଦ ହୋଇନି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ଦୁଇଥର ତାଗିଦ୍ କରିସାରିଲେଣି ବୋଲି ଜଣେ ଦଳୀୟ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କୁ ଖାତିର ନ କରି ଟିଭିରେ ଦଳ ପାଇଁ ବାଇଟ୍ ଦେବା ଏବଂ ଡିବେଟ୍ ରେ ବସିବା ଦଳୀୟ ଶୃଙ୍ଖଳାର ଅବମାନନା ବୋଲି ସେ କହିଛନ୍ତି । ତାଙ୍କ ମନ୍ତବ୍ୟ ଦଳକୁ ସୁହାଇବା ପରିବର୍ତ୍ତେ ଅଧିକ କ୍ଷତିଗ୍ରସ୍ତ କରୁଛି ବୋଲି ଦଳର ଅନେକ ନେତା ମତ ଦେଇଛନ୍ତି ।
ଏହି ସବୁ ଅଭିଯୋଗ ସଂକ୍ରାନ୍ତରେ ଦେବାଶିଷଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲୁ । ହେଲେ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।