ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରକୁ ପ୍ରମାଦ ଆଣିଛି । ବୈଜୟନ୍ତଙ୍କ ହେଭି ବାର୍ଗେନିଂକୁ ଦଳୀୟ ନେତୃତ୍ୱ କାଳେ ଗ୍ରହଣ କରିନେବେ ସେହି ଆଶଙ୍କାରେ ପଡ଼ିଛନ୍ତି । ଓଡ଼ିଶାରେ ଦଳର ଫେସ୍ ବନିବାକୁ ବୈଜୟନ୍ତ ଗୋଟିଚାଳନା କରୁଥିବା ତାଙ୍କର ବିଭିନ୍ନ କାର୍ଯ୍ୟକଳାପରୁ ଧରାପଡ଼ିଯାଇଛି । ରିପବ୍ଲିକ୍ ଟିଭିରେ ସେ ଦେଇଥିବା ଇଣ୍ଟରଭ୍ୟୁରୁ ତାହାର ଆଭାସ ମିଳିଛି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବାକୁ ବୈଜୟନ୍ତ ଯେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ତାହା ସ୍ପଷ୍ଟ ହୋଇଗଲାଣି । ଏଭଳି ସ୍ଥିତି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସ୍ୱାଭାବିକ ଭାବେ ବିପଦ ସୃଷ୍ଟି କରିଛି ।
ଇତିମଧ୍ୟରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସହ ବୈଜୟନ୍ତ ତାଙ୍କ ସମ୍ପର୍କ ଆହୁରି ନିବିଡ଼ କରିଛନ୍ତି । ଅମିତ୍ ଶାହାଙ୍କ ସହ ମଧ୍ୟ ଲଗାତର ସମ୍ପର୍କରେ ଅଛନ୍ତି । ଏମିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ଆଦର୍ଶ ବନାଇ ସାରିଛନ୍ତି । ଆରଏସଏସ୍ ସମେତ ଦଳର ସାଂଗଠନିକ ଦାୟିତ୍ୱ ବୁଝୁଥିବା ନେତାଙ୍କ ସହ ସମ୍ପର୍କ ବଢ଼ାଇଛନ୍ତି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଆର୍ଶିବାଦ ତାଙ୍କ ସାଥୀରେ ଅଛି । ବଂଶୀଧର ପଣ୍ଡାଙ୍କ ମୃତ୍ୟୁରେ ବୈଜୟନ୍ତଙ୍କୁ ସମବେଦନା ଜଣାଇବାକୁ ରାମ ମାଧବ ତାଙ୍କ ବାସଭବନ ଆସିଥିଲେ । ଓଡ଼ିଶା ବ୍ୟାପାରରେ ରାମ ମାଧବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ବୈଜୟନ୍ତଙ୍କ ସହ ତାଙ୍କ ସମ୍ପର୍କକୁ ଗୁରୁତ୍ୱ ଦିଆଯାଉଛି । ରାମମାଧବଙ୍କ ସମେତ ବିଜେପିର ବହୁ ହେଭିୱେଟ୍ ନେତାଙ୍କୁ ବୈଜୟନ୍ତ ମନାଇ ସାରିଥିବା କୁହାଯାଉଛି ।
ବୈଜୟନ୍ତଙ୍କ ଲକ୍ଷ୍ୟ ସେ ହିଁ ଓଡ଼ିଶା ବିଜେପିର ମଙ୍ଗ ଧରି ନବୀନ ପଟ୍ଟନାୟକଙ୍କ ସହ ଲଢ଼େଇ କରିବେ । ଆଉ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କର ପତ୍ତା କାଟିବାକୁ ପଡ଼ିବ । କାରଣ ବୈଜୟନ୍ତଙ୍କ ପାଇଁ କଣ୍ଟା ହେଉଛନ୍ତି ଧର୍ମେନ୍ଦ୍ର । ବୈଜୟନ୍ତଙ୍କର ଉଚ୍ଚାଭିଳାଷ ଜାଣି ଧର୍ମେନ୍ଦ୍ର ମଧ୍ୟ ତାଙ୍କର ଗୋଟିଚଳାନା କରୁଛନ୍ତି । ବୈଜୟନ୍ତ ତାଙ୍କ ପାଇଁ କଣ୍ଟା ହୋଇପାରନ୍ତି ବୋଲି ସେ ମଧ୍ୟ ଜାଣିଛନ୍ତି । ସୁତରାଂ ଧର୍ମେନ୍ଦ୍ର ବି ଛାଡ଼ିବାର ନୁହଁନ୍ତି । ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କର ଏଭଳି ଭିତିରିଆ ଲଢ଼େଇ ଜୋର୍ ହୋଇଥିବା ବେଳେ ବୈଜୟନ୍ତ ନିଜର ଦିଲ୍ଲୀ ଲବିକୁ ଆହୁରି ତେଜ୍ କରିଛନ୍ତି । ନିଜର ପ୍ରମୋସନ୍ ପାଇଁ ବନ୍ଧୁ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ରିପବ୍ଲିକ୍ ଚାନେଲ୍ ର ସହଯୋଗ ନେଇଛନ୍ତି ।
ଅର୍ଣ୍ଣବଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ ବୈଜୟନ୍ତ ନିଜର ପିଆର୍ ଏକ୍ସରସାଇଜ୍ କରିଛନ୍ତି । ଜଣାଇ ଦେଇଛନ୍ତି.. ମୁଁ ଓଡ଼ିଶାର ଲୋକ ଓ ଲୋକଙ୍କ ସମସ୍ୟା ସାଥୀରେ ଅଛି । ପଇସା ଲଢ଼ାଇବାର ତାକତ୍ ଅଛି । ନବୀନ ପଟ୍ଟନାୟକଙ୍କୁ ସିଧା ସିଧା ଗାଳି ଦେବାର ସାମର୍ଥ ଅଛି । ମୁଁ ଭଲ ଇଂରାଜୀ କହିପାରୁଥିବା ଜଣେ ସଫଷ୍ଟିକେଟେଡ଼୍ ଲିଡର୍ । ଓଡ଼ିଶାରେ ବିଜେପି ପାଇଁ ମୁଁ ଆସେଟ୍ । ବିଜେପିର ଫେସ୍ ହେବାର ଦକ୍ଷତା ଓ ସାମର୍ଥ୍ୟ ରଖିଛି । ବିଜେପିର ଯଦି ଭବିଷ୍ୟତ ଦେଖୁଛ ତେବେ ମତେ ହୀରୋ କର । ସେଥିପାଇଁ ମୋ ଦ୍ୱାର ଖୋଲା ଅଛି..
ବୈଜୟନ୍ତ ଅତି ସୁନ୍ଦର ଭାବରେ ତାଙ୍କର ଚାଲ୍ ଖେଳୁଛନ୍ତି । ଏକ ଆଞ୍ଚଳିକ ଦଳ ଗଠନ କିମ୍ବା ବିଜେପିରେ ଯୋଗଦାନର ବିକଳ୍ପରେ ନିଜକୁ ସୀମିତ ନ ରଖି ତୃତୀୟ ବିକଳ୍ପର ଗୋଲି ଛାଡ଼ିଛନ୍ତି । ଏହି ତୃତୀୟ ବିକଳ୍ପଟି କଂଗ୍ରେସରେ ଯୋଗଦାନ ହୋଇପାରେ ବୋଲି ଚର୍ଚ୍ଚା ଛାଡ଼ିଛନ୍ତି । ମାତ୍ର ନିଜକୁ ବଡ଼ ଦେଖାଇବାକୁ ଯାଇ ବିଜେପି ସହ ବୈଜୟନ୍ତଙ୍କର ଏହା ଯେ ବାର୍ଗେନିଂ ତାହା କାହାରିକୁ ଅଛପା ରହିନାହିଁ । ରାଜନୈତିକ ସମୀକ୍ଷକଙ୍କ ମତରେ ବୈଜୟନ୍ତଙ୍କର ଏହା ମାର୍କେଟିଂ ପଲିସି । ନିଜକୁ ବିକ୍ରି କରିବା ପାଇଁ ସୁଚିନ୍ତିତ ଯୋଜନା । ଏଭଳି କରି ବିଜେପି ଉପରେ ଚାପ ସୃଷ୍ଟି କରିବାକୁ ସେ ଉଦ୍ୟମ କରିଛନ୍ତି । ମତେ ହୀରୋ କରିବାକୁ ତୁମେ ଜଲଦି ନିଷ୍ପତ୍ତି ନିଅ, ନ ହେଲେ ମୁଁ ଅନ୍ୟ ଆଡ଼େ ଚାଲିଯିବି । ଏହି ବାର୍ତ୍ତା ଛାଡ଼ିବାକୁ ଚାହିଁଛନ୍ତି ବୈଜୟନ୍ତ ।