ଭୁବନେଶ୍ୱର: ଓଡିଶାରେ ଏପ୍ରିଲ୍ ୩୦ ଯାଏଁ ଲକ୍ ଡାଉନ୍ ବଢ଼ାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୂପ ପ୍ରସ୍ତାବ ଦେଇଛନ୍ତି । ଦେଶରେ କରୋନା ପରିସ୍ଥିତି ଏବଂ ଲକ୍ ଡାଉନ୍ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ପ୍ରସ୍ତାବ ମାଗିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲକ୍ ଡାଉନ୍ ବୃଦ୍ଧି ସପକ୍ଷରେ ମତ ଦେବା ସହ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁଡ଼ିକ ହେଲା
– ଦେଶରେ ଲକ୍ ଡାଉନ୍ ଅବଧି ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ାଯାଉ
– ଏପ୍ରିଲ୍ ୩୦ ଯାଏଁ ବିମାନ ଏବଂ ରେଳସେବା ବନ୍ଦ ରହୁ
– ସାମାଜିକ ଦୂରତ୍ୱ ବଜାୟ ରହି କୃଷି/ଆନୁସଙ୍ଗିକ କ୍ଷେତ୍ର, ମନରେଗା କାର୍ଯ୍ୟ ଚାଲୁ ହେଉ ।
ଓଡ଼ିଶାରେ ଅଟକିଥିବା ବାହାର ରାଜ୍ୟ ଶ୍ରମିକଙ୍କ ଯତ୍ନ ନେଉଛନ୍ତି ରାଜ୍ୟ ସରକାର । ସେହିଭଳି ବାହାର ରାଜ୍ୟରେ ଅଟକିଥିବା ଓଡ଼ିଆ ଶ୍ରମିକମାନଙ୍କ ଯତ୍ନ ସଂପୃକ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଉ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ ।