ଭୁୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଆକ୍ରାନ୍ତଙ୍କର କରୋନା ଲକ୍ଷଣ ନାହିଁ । କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ଟେଷ୍ଟ ପରେ ପଜିଟିଭ୍ ରିପୋର୍ଟ ଆସିଥିଲା । ଅର୍ଥାତ୍ ବିନା ଲକ୍ଷଣରେ ଜଣେ କରୋନା ସଂକ୍ରମିତ ହୋଇପାରେ । ତେଣୁ ସେଥିପାଇଁ ସତର୍କ ରହିବା ଜରୁରୀ ।
ଶ୍ରୀମତୀ ପଣ୍ଡିତଙ୍କର ସୂଚନା ହେଲା, ପୂର୍ବରୁ ୨ ଜଣ ଡିସଚାର୍ଜ ହୋଇଥିଲେ, ଏବେ ଆଉ ୧୦ ଜଣ ଡିସଚାର୍ଜ ହେଲେ । ବର୍ତ୍ତମାନ ଚିକିତ୍ସିତ ହେଉଥିବା ୩୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣଙ୍କଠାରେ କରୋନା ଲକ୍ଷଣ ନାହିଁ । କିଛି ଲକ୍ଷଣ ନ ଥିଲେ ମଧ୍ୟ ରିପୋର୍ଟ ପଜିଟିଭ୍ ଆସିବାରୁ ଆମେ ହସ୍ପିଟାଲ୍ ଆଣିଥିଲୁ । ସେମାନଙ୍କର କାଶ, ଥଣ୍ଡା, ଜ୍ୱର ଭଳି ଲକ୍ଷଣ ନ ଥିବାରୁ ହସ୍ପିଟାଲ୍ କେୟାର ଦରକାର ପଡୁନି । କିଛି ଦିନ ମଧ୍ୟରେ ସେମାନେ ହସ୍ପିଟାଲ୍ ରୁ ଡିସଚାର୍ଜ ହେବାର ଆଶା କରାଯାଉଛି ।
ଶ୍ରୀମତୀ ପଣ୍ଡିତ ପୁଣି କହିଥିଲେ ଯେ କରୋନାକୁ କାବୁ କରିବାକୁ ହେଲେ ଅଧିକ ଟେଷ୍ଟିଂ କରାଯିବାର ଆବଶ୍ୟକତା ଅଛି । ଯେତେ ଅଧିକ ଟେଷ୍ଟ ହେବ, ସେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ସେଥିପାଇଁ ବ୍ୟାପକ ଭାବେ ନମୁନା ସଂଗ୍ରହ ହୋଇ କରୋନା ଟେଷ୍ଟ କରାଯାଉଛି । ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଛି । ଏବେ ଦୈନିକ ୩୦୦ରୁ ୪୦୦ ଟେଷ୍ଟ କରାଯାଉଥିବା ବେଳେ ୧୦ ଦିନରେ ଏହାକୁ ୩ ଗୁଣା କରାଯିବ ବୋଲି ସେ ସୂଚନା ଦେଇଥିଲେ ।