ଭୁୁବନେଶ୍ୱର: ସାରା ରାଜ୍ୟରୁ ମହିଳା ଗୋଷ୍ଠୀଙ୍କୁ ଏକତ୍ରିତ କରିବା ଉଦ୍ୟମରେ ଗଠନ ହେଲା ‘ଅଜିତା’ । ପରେ ପରେ ଯୁବଶକ୍ତିଙ୍କୁ ନେଇ ଗଢ଼ା ହେଲା ‘ୟୁଥ୍ ଫର ଆକ୍ସନ୍’ । ଦୁଇଟିଯାକର ନେତୃତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହା ଅଣରାଜନୈତିକ ପ୍ଲାଟଫର୍ମ ବୋଲି ଦାବି କରାଯାଉଥିଲେ ମଧ୍ୟ ପ୍ରଚ୍ଛଦରେ ବିଜେପି ଛାମୁଆ ସଂଗଠନ ବୋଲି କୁହାଯାଉଛି । ବିଜେଡ଼ିର ‘ମିଶନ ଶକ୍ତି’ ଏବଂ ‘ବିଜୁ ଯୁବ ବାହିନୀ’ କୁ ଟକ୍କର ଦେବା ସହ ମହିଳା ଓ ଯୁବ ଭୋଟବ୍ୟାଙ୍କକୁ ବିଜେପି ସପକ୍ଷରେ ହାତେଇବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ ହୋଇଛି । ଅପରାଜିତା ଏଥିରେ ବୁଦ୍ଧି ଖଟାଇବା ସହ ଦାୟିତ୍ୱ ନେଇଛନ୍ତି ।
ବିଡ଼ମ୍ବନା ହେଉଛି, ଓଡ଼ିଶା ବିଜେପିର ସର୍ବମୟ କର୍ତ୍ତା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ନ୍ୟୁନ ହୋଇଯାଇଛନ୍ତି । ଗତକାଲି ‘ୟୁଥ୍ ଫର ଆକ୍ସନ’ ଶୁଭାରମ୍ଭ କାର୍ଯ୍ୟକ୍ରମ ବେଳେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ଉପସ୍ଥିତ ଥାଇ ମଧ୍ୟ ତାଙ୍କୁ ସେଠି ଦେଖିବାକୁ ମିଳିଲାନି । ଅପରାଜିତା ତାଙ୍କୁ ଆମନ୍ତ୍ରଣ କରିଥିଲେ ସେ ଗଲେନି ନା ଅପରାଜିତା ତାଙ୍କୁ ଆଦୌ ଆମନ୍ତ୍ରଣ କରିନଥିଲେ ତାହା ଜଣାପଡ଼ିନି । ତେବେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କିନ୍ତୁ ସେଠି ଅତିଥି ହୋଇଥିଲେ । ଏପରିକି ବୈଜୟନ୍ତଙ୍କ ଆଗମନରେ ବିଳମ୍ବ ହେବାରୁ ଅପରାଜିତା ବ୍ୟସ୍ତ ହୋଇପଡ଼ିଥିଲେ ।







