ଭୁୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ଭୋଟ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା ବିଜେଡ଼ି । ଭୋଟ ଦେବାକୁ ଯାଇ ଧର୍ମେନ୍ଦ୍ର ଭୋଟ ପ୍ରଚାର କରିଥିବା ବେଳେ ଅପରାଜିତା ୨୦/୨୫ ଜଣ ସମର୍ଥକଙ୍କୁ ସାଙ୍ଗରେ ଧରି ଭୁବନେଶ୍ୱରର ବିଭିନ୍ନ ବୁଥ୍ ରେ ପଶିଥିଲେ । ପୃଥକ୍ ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହା ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେଡ଼ି ।
ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଯାଇ ଭୋଟ ଦେଇଥିଲେ । ଭୋଟ ଦେଇ ସାରି ବୁଥ୍ ବାହାରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ବିଜେପିକୁ ଭୋଟ ଦେବା ପାଇଁ ଲୋକଙ୍କୁ ମତେଇଥିଲେ । ଧର୍ମେନ୍ଦ୍ରଙ୍କ ବାଇଟ୍ ଟିଭିରେ ପ୍ରସାରିତ ହୋଇଥିଲା । ପ୍ରଚାର ନିରବ ଅବଧିରେ ଧର୍ମେନ୍ଦ୍ରଙ୍କର ଏଭଳି କାର୍ଯ୍ୟ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଛି । ନିର୍ବାଚନ କମିଶନ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଧର୍ମେନ୍ଦ୍ରଙ୍କ ବିରୋଧରେ ଏକ ସପ୍ତାହାର ପ୍ରଚାର ବ୍ୟାନ୍ ଲଗାଇବାକୁ ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିଲା ।
ଏପଟେ ଭୁବନେଶ୍ୱରରେ ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେଡ଼ି । ଅପରାହ୍ନରେ ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କର ୨୦-୨୫ ସମର୍ଥକଙ୍କୁ ଧରି ବିଭିନ୍ନ ବୁଥ୍ ରେ ଚକ୍କର କାଟିଥିଲେ । ୨ଟାରୁ ୩ଟା ମଧ୍ୟରେ ସେ ଆଇଆରସି ଭିଲେଜସ୍ଥିତ ଏକ ବୁଥ୍ ରେ ପ୍ରବେଶ କରିଥିଲେ ମଧ୍ୟ ପୁଲିଂ କର୍ମଚାରୀମାନଙ୍କର ପ୍ରତିରୋଧ କି ପ୍ରତିକ୍ରିୟା ନ ଥିଲା । ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ର ଏହା ଖୋଲା ଉଲ୍ଲଂଘନ ହୋଇଥିବାରୁ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ତୁରନ୍ତ ସେଥିରୁ ବାରଣ କରିବାକୁ ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜଣାଇଥିଲା ।
ତେବେ ଉଭୟ ମାମଲାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
ଅନ୍ୟପକ୍ଷରେ ପ୍ରଚାର ନିରବ ଅବଧିରେ କଟକ ବାରବାଟୀ ପ୍ରାର୍ଥୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟିଂକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍ କରାଯାଇଥିବାରୁ ବିଜେଡ଼ି କଡ଼ା ଆପତ୍ତି କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ଚାଲିଥିବା ବେଳେ ବିଜେଡ଼ି ସେସବୁକୁ ତଥ୍ୟ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଅଥଚ ବାଛି ବାଛି ବିଜେଡ଼ି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ପ୍ରଶ୍ନ ଉଠାଇ ଅସନ୍ତୋଷ ଓଗାଳିଛନ୍ତି ବିଜେଡ଼ି ପ୍ରତିନିଧି ଦଳ ।