ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ୍ ପଦୋନ୍ନତି ମିଳିଲା ପରେ ବିଜେଡ଼ି ଶିବିରରେ ଛନକା ପଶିଛି । ଟେନସନ୍ କେବଳ ଧର୍ମେନ୍ଦ୍ର ନୁହଁନ୍ତି, ମୋଦି-ଶାହାଙ୍କ ନଜର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଥିବା ସ୍ପଷ୍ଟ ହୋଇଗଲା ପରେ ବିଜେଡ଼ିକୁ ଭୀଷଣ ଡର ଗୋଡାଇଛି । ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖି ବିଜେପି କ୍ଷମତା ଦଖଲର ସ୍ୱପ୍ନ ରଖିଛି । ଆଉ ତାହାକୁ ସାକାର କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଅଧିକ ପାୱାରଫୁଲ୍ କରାଯାଇଛି । ମୋଦି ତାଙ୍କୁ ପେଟ୍ରୋଲିୟମ୍ ବିଭାଗ ସହ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ କରିବା ତାହାର ସ୍ପଷ୍ଟ ସୂଚନା ଦେଇଛି । ଧର୍ମେନ୍ଦ୍ର ତେଲ ପଇସାରେ ତାଙ୍କ ଖେଳ ଆହୁରି ଜମାଇବେ ଯାହା ବିଜେଡ଼ିକୁ ଶକ୍ତ ଚାଲେଂଜ ହେବ ବୋଲି ଦଳର ଅନେକ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି ।
ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ଟାର୍ଗେଟ୍ ରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ । ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହା ବହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ଓଡ଼ିଶାରେ ୧୨୦ ବିଧାନସଭା ସିଟ୍ ହାସଲ କରିବେ ବୋଲି ନିକଟରେ ଅମିତ୍ ଶାହା ଏଠାକୁ ଆସି ଛାତି ଫୁଲାଇ ଘୋଷଣା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେହି ଟାର୍ଗେଟ୍ ଧରି ଓଡ଼ିଶାରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅମିତ୍ ଶାହାଙ୍କ ବ୍ଲୁ ପ୍ରିଣ୍ଟ ଅନୁଯାୟୀ ୨୧ ଟି ଲୋକସଭାକୁ ୫ ଟି ଜୋନ୍ କରାଯାଇ ୫ ଜଣ କେନ୍ଦ୍ରୀୟ ନେତାଙ୍କ ଦାୟିତ୍ୱରେ ଛଡ଼ାଯାଇଛି । ରାଜ୍ୟର କେଉଁ ଜାଗାକୁ ଅଧିକ ଫୋକସ୍ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ତିଆରି ହୋଇ ବୁଥସ୍ତରରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୋଟାମୋଟି ଭାବେ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ବାଜି ଲଗାଇଦେଇଛି ବିଜେପି । ଧର୍ମେନ୍ଦ୍ରଙ୍କୁ ଅଧିକ ପାଓ୍ପାରଫୁଲ୍ କରି ଓଡ଼ିଶା ମିସନ୍ କୁ ଦଳ ଆଗକୁ ବଢ଼ାଇଛି ।
୧୭ ବର୍ଷ ଧରି କ୍ଷମତା ଦଖଲରେ ଥିବା ନବୀନ ପଟ୍ଟନାୟକ ଓ ତାଙ୍କ ଦଳକୁ ଏହା ଭୟଭୀତ କରିବା ସ୍ୱାଭାବିକ । ନବୀନଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଆଜି ବି ଅକ୍ଷୁର୍ଣ୍ଣ ଥିଲେ ମଧ୍ୟ ସାମଗ୍ରିକ ଭାବେ ତାଙ୍କ ଦଳ ପାଇଁ ବିଜେପିର ଓଡ଼ିଶା ଫୋକସ୍ ଓ ଧର୍ମେନ୍ଦ୍ରଙ୍କ ଅଭ୍ୟୁଦୟ ନୂଆ ସମୀକରଣ ଓ କଡ଼ା ଚାଲେଂଜ ସୃଷ୍ଟି କରିଛି । ବିଜେଡ଼ି ସୁପ୍ରିମୋ ନିଜକୁ ସେଥିପାଇଁ ପ୍ରସ୍ତୁତ କରି କାର୍ଯ୍ୟକ୍ରମ ଆରମ୍ଭ ବି କରିଛନ୍ତି । ତେବେ ତାଙ୍କ ପାଇଁ ବିଜେପି ଶକ୍ତିଠାରୁ ନିଜ ଦଳ ଭିତରୁ ହିଁ ଅଧିକ ଚାଲେଂଜ ରହିଛି । ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିଚାଲିଛି । ଗୁପ୍ତଚର ସଂଖ୍ୟା ବି ବଢ଼ୁଛନ୍ତି । କ୍ଷମତା ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ଗୋଛି କଟାକଟି ଜୋର୍ ହୋଇଛି । ସମସ୍ତଙ୍କୁ ଏକାଠି ରଖି ଶକ୍ତିଶାଳୀ ବିଜେପିର ଓଡ଼ିଶା ଦଖଲ ସ୍ୱପ୍ନକୁ ଧୂଳିସାତ କରିବା ନବୀନଙ୍କ ପାଇଁ ଏବେ ସବୁଠାରୁ ବଡ଼ ଚାଲେଂଜ ।