ଭଦ୍ରକ: ଆଜି ଧାମରା ଏଲଏନଜି ଟର୍ମିନାଲର ଭୂମିପୂଜାକୁ ମୁଖ୍ୟମନ୍ତ୍ରୀ ଆସିଲେନି । ଆସିବେନି ବୋଲି ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜଣାଇ ଦିଆଯାଇଥିଲା । ତିନି ଦିନ ଆଗରୁ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ନିଜର ସମ୍ମତି ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣକୁ ମୁଖ୍ୟମନ୍ତ୍ରୀ ସାଦରେ ଗ୍ରହଣ କରିଥିଲେ । ଧାମରାରେ ଗୋଟିଏ ମଞ୍ଚରେ ନବୀନ-ଧର୍ମେନ୍ଦ୍ର ଏକାଠି ବସିବେ..ଜନସାଧାରଣଙ୍କ ମଧ୍ୟରେ ଏହା ବେଶ୍ ଉତ୍ସାହ ଓ କୌତୁହଳ ସୃଷ୍ଟି କରିଥିଲା । ଉଭୟ ବିଜେଡ଼ି ଓ ବିଜେପି କର୍ମୀମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ତୟାର ହୋଇଯାଇଥିଲେ । ତେବେ କର୍ମୀମାନେ ଶକ୍ତି ପ୍ରଦର୍ଶନ ଜାରି ରଖିଲା ବେଳକୁ ନବୀନଙ୍କ ଆଗମନ ବନ୍ଦ ଖବର ସେଥିରେ ଭଟ୍ଟା ପକାଇଦେଇଥିଲା ।
ମିଳିଥିବା ଖବର ଅନୁଯାୟୀ, ଧାମରାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କ ପୋଷ୍ଟର ଛାଇ ଯାଇଥିଲା ବେଳେ ବିଜେଡ଼ି ମଧ୍ୟ ପଛରେ ପଡ଼ି ନ ଥିଲା । ନବୀନ ଓ ତାଙ୍କ ସରକାରଙ୍କ ସଫଳତା ଗାନର ପୋଷ୍ଟର ବି ଛାଇ ଦେଇଥିଲା । ଏହି ପୋଷ୍ଟରକୁ ନେଇ ଦୁଇ ଦଳ କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଛକାପଂଝା । ଆଉ ନବୀନଙ୍କ ପୋଷ୍ଟରକୁ କିଛି ଜାଗାରେ ବିଜେପି କର୍ମୀମାନେ ଚିରି ଦେଇଥିବା ଅଭିଯୋଗ ଆସିଲା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସଭାରେ ନିଶ୍ଚିତ ଗଣ୍ଡଗୋଳ ହେବ ବୋଲି ଗୁଇନ୍ଦା ପୁଲିସ ସୂଚନା ପାଇଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତକୁ ବାତିଲ କରିଦେଇଥିଲେ । ଏକ ସରକାରୀ କାର୍ଯ୍ୟକ୍ରମକୁ ବିଜେପି ରାଜନୈତିକ କାର୍ଯ୍ୟକ୍ରମ ଭାବରେ ନେଇଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ପ୍ରୋଟୋକଲ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାରେ ଅସୁବିଧା ନ ଥିଲା । ମାତ୍ର ବିଜେପି ପ୍ରୋଟୋକଲ୍ ଉଲ୍ଲଂଘନ କରି ସେହି ସଭାକୁ ଦଳୀୟ ନେତାଙ୍କୁ ଆମନ୍ତ୍ରଣ କରିବା ଦୁର୍ଭାଗ୍ୟଜନକ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ସେ ସଫେଇ ଦେଇଛନ୍ତି ।
ସେପଟେ ଧର୍ମେନ୍ଦ୍ର ପ୍ରଧାନ ଏହି ଅଭିଯୋଗର ସିଧାସଳଖ ଜବାବ ଦେଇପାରିନାହାନ୍ତି । ରାଜ୍ୟର ବିକାଶ ପାଇଁ ଏତେବଡ଼ ପ୍ରକଳ୍ପର ଭୂମିପୂଜାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ ଭଲ ହୋଇଥାଆନ୍ତା ବୋଲି ସେ କଥା ବୁଲେଇ କହିଛନ୍ତି । ତେବେ ସେ ଯାହା ହେଉ, ଧାମରା ଏଲଏନଜି ଟର୍ମିନାଲର ଭୂମିପୂଜା ବିଜେପି-ବିଜେଡ଼ି ରାଜନୀତିରେ ପୁଣି ଉଷ୍ଣତା ଖେଳାଇଛି । ଉଲ୍ଲେଖଯୋଗ୍ୟ, କଳିଙ୍ଗ ଷ୍ଟାଡିୟମ୍ ରେ ଚାଲିଥିବା ଏସିଆନ୍ ଆଥଲେଟିକ୍ ଚମ୍ପିଆନ୍ ଉଦଯାପନୀ ଉତ୍ସବରେ ଯୋଗଦେବାକୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍ ପୂର୍ବରୁ ମନା କରିଦେଇଥିଲେ । ଆୟୋଜନ ଓ ପ୍ରସାର ଜରିଆରେ ଓଡ଼ିଶା ସରକାର ଏହି ମେଗା ଇଭେଣ୍ଟରୁ ଫାଇଦା ନେଉଥିବାରୁ ଧର୍ମେନ୍ଦ୍ର ଶୁଭେଚ୍ଛା ଜଣାଇବାକୁ ବି ଉଚିତ୍ ମଣିନାହାନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ବି ଆୟୋଜକ ଓ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇନାହାନ୍ତି ।