ଭୁବନେଶ୍ୱର: ଦୀର୍ଘ ୯ ବର୍ଷ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ଆଜି ଆସୁଥିବା ହୁରି ପଡ଼ିଥିଲା । ଦୂରଦୂରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଅସହାୟ ଦୁଃଖୀ ରଙ୍କିମାନେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାକୁ ଭୁବନେଶ୍ୱର ଧାଇଁ ଆସିଥିଲେ । ଭୋକ ଓପାସରେ ଦିନଯାକ ଅପେକ୍ଷା କରି ବସିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କର ପାଦ ପଡ଼ିଲାନି । ଅଭିଯାଗକାରୀମାନେ ନିଜ କଷ୍ଟକୁ ମନରେ ଚାପି ସେଇ ପୁରୁଣା ଢ଼ାଞ୍ଚାରେ ଅଭିଯୋଗ ପ୍ରକୋଷ୍ଠର ଅଫିସରଙ୍କୁ ଅଭିଯୋଗ ଧରେଇ ଚାଲିଗଲେ ।
ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବସାଧାରଣଙ୍କ ପାଇଁ ଖୋଲା ରହେ । ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଦାୟିତ୍ୱ ଗ୍ରହଣ କଲାପରଠାରୁ କାଁ ଭାଁ ସେଠାକୁ ଆସୁଥିଲେ । ଲୋକଙ୍କ ଗୁହାରି ଶୁଣୁଥିଲେ । ୨୦୦୮ ମସିହା ପର୍ଯ୍ୟନ୍ତ ନବୀନ ସମୁଦାୟ ୭୬ ଥର ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ୨୦୦୧ ବର୍ଷଯାକରେ ସର୍ବାଧିକ ଆସିଥିଲେ ୨୦ଦିନ । ୨୦୦୮ ଅଗଷ୍ଟ ୧୬ ତାରିଖରେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆସିଥିଲେ ମାତ୍ର ସେବେଠାରୁ ଆଉ ସେଠାକୁ ମୁହଁ ଫେରାଇନାହାନ୍ତି । ପ୍ରକୋଷ୍ଠ ଦାୟିତ୍ୱରେ ଥିବା ଅଫିସରମାନେ କାମ ଚଳେଇ ଦେଉଛନ୍ତି । ଅର୍ଥାତ ଲୋକେ ସେମାନଙ୍କ ଗୁହାରି/ଅଭିଯୋଗ ଧରି ଆସୁଛନ୍ତି । ଆଉ ଅଫିସରମାନେ ସେହି କାଗଜ ଖଣ୍ଡିକ ଉପରେ ଷ୍ଟାମ୍ପ ମାରି ଫାଇଲ୍ ରେ ଭର୍ତ୍ତି କରିଦେଇ କାମ ସାରିଦେଉଛନ୍ତି । ପରବର୍ତ୍ତୀ ସମୟରେ ଲୋକେ ତାଙ୍କ ଗୁହାରିର ଫଳ ପାଉଥିବା କାଇଁ ଶୁଣାଯାଉନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଉପରୁ ମଧ୍ୟ ଲୋକଙ୍କ ଆସ୍ଥା ତୁଟିଯାଇଛି ।
ତେବେ ଏଥର ଖରାଛୁଟି ପରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ଗୁହାରି ଶୁଣିବା ଖବର ଲୋକଙ୍କ ପାଇଁ ସଞ୍ଜିବନୀ ଭଳି ହୋଇଥିଲା । ଖରାଛୁଟି ପାଇଁ ଏପ୍ରିଲ୍ ୨୪ ରୁ ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ନବକଳେବରରେ ସଜେଇ ଖୋଲିଥିଲା । ମୁଖ୍ୟମନ୍ତ୍ରୀ ନିଜେ ସେଠାକୁ ଆସୁଥିବା ଖବର ବିଜୁଳି ବେଗରେ ଖେଳିଥିବାରୁ ସାରା ରାଜ୍ୟରୁ ଦୁର୍ଦ୍ଦଶାଗ୍ରସ୍ତ ଲୋକେ ଆଜି ସକାଳୁ ଅଭିଯୋଗ ପ୍ରକୋଷ୍ଠ ଆଗରେ ଭିଡ଼ ଜମାଇଥିଲେ । ସବୁ ପ୍ରସ୍ତୁତି ସରି ମୁଖ୍ୟମନ୍ତ୍ରୀ ଆଗମନକୁ ଅପେକ୍ଷା କରାଯାଇଥିଲା ବେଳେ ଲୋକଙ୍କ ଆଶା ପାଟିଫୋଟକା ଭଳି ମିଳେଇ ଯାଇଛି । ମୁଖ୍ୟମନ୍ତ୍ରୀ କାହିଁକି ଆସିପାରିଲେନି ତାହାର ଉତ୍ତର ବି ଲୋକଙ୍କୁ ମିଳିଲା ନାହିଁ ।