କଟକ: କାମାକ୍ଷନଗର ଏନଏସି ଜୁନିୟର ଇଂଜିନିୟର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ମିଛ ମାମଲାରେ ଫସାଇବା ଢ଼େଙ୍କାନାଳ ଭିଜିଲାନସ ବିଭାଗକୁ ଶେଷରେ ମହଙ୍ଗା ପଡ଼ିଛି । ଜେଇଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି କ୍ୟାମେରା ସଂପୃକ୍ତ ଭିଜିଲାନସ୍ କର୍ମଚାରୀଙ୍କ ଚାକିରି ନେଇଛି । କ୍ୟାମେରାରେ କଏଦ ୧୭ ମିନିଟ୍ ର ଭିଜିଲାନସ ଚଢ଼ାଉ ଫୁଟେଜ୍ ପୂରାପୂରି ସତ ପ୍ରମାଣିତ ହୋଇଛି । ଗତ ମେ ୨୪ ତାରିଖ “ମିଡ଼ ଡ଼େ ଓଡ଼ିଶା”ରେ ପ୍ରଥମେ ଏହି ଖବର ପ୍ରକାଶ ପାଇଥିଲା । ସିସିଟିଭି କ୍ୟାମେରାରେ ଭିଜିଲାନସର ଚେହେରାକୁ ସେଥିରେ ଉପସ୍ଥାପିତ କରାଯାଇଥିଲା । ଖବରଟି ପ୍ରସାରଣ ପରେ ସଂପୃକ୍ତ ଭିଜିଲାନସ କର୍ମଚାରୀ ଓ ଠିକାଦାର ଗାଲୁଠେଲୁ ପେଲିଥିଲେ । ଭିଜୁଆଲ୍ ଫୁଟେଜ୍ ଟି ମାନିପୁଲେଟ କରାଯାଇଥିବା ଯୁକ୍ତି କରିଥିଲେ । ମାତ୍ର ବିଳମ୍ବରେ ହେଲେ ମଧ୍ୟ ତଦନ୍ତକାରୀ ଭିଜିଲାନସ ଅଧିକାରୀ ଏହାକୁ ସତବୋଲି ପ୍ରମାଣିତ କରିଛନ୍ତି । ସେଦିନ ଜେଇଙ୍କ ଚାମ୍ବର ଚଢ଼ାଉରେ ସାମିଲ ଥିବା କାମାକ୍ଷାନଗର ଭିଜିଲାନସ ଡିଏସପି ହିମାଂଶୁ ଶେଖର ମିଶ୍ର, କନେଷ୍ଟବଳ ଉଦ୍ଧବ ଲେଙ୍କା ଓ ଶ୍ରୀନିବାସ ବିଶ୍ୱାଳଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଭିଜିଲାନସ ଡିଜିଙ୍କ ଚିଠି ନମ୍ବର ୭୩୪/୧୦.୭.୨୦୧୭ରେ ସେମାନଙ୍କୁ ଭିଜିଲାନସ ବିଭାଗରୁ ତୁରନ୍ତ ଅପସାରଣ କରିଦେଇଛନ୍ତି ।
ଢ଼େଙ୍କାନାଳର ସଂପୃକ୍ତ ନ୍ୟସ୍ତସ୍ୱାର୍ଥ ଭିଜିଲାନସ୍ ଟିମ୍ ଜନୈକ ଠିକାଦାର ସୁରେଶ ନାୟକଙ୍କ ପ୍ରରୋଚନାରେ ପଡ଼ି ଜେଇ ଶ୍ରୀ ମିଶ୍ରଙ୍କ ଅଫିସ ଗତ ମାର୍ଚ୍ଚ ୨୪ ତାରିଖ ସଂଧ୍ୟାରେ ଚଢ଼ାଉ କରିଥିବା ସିସିଟିଭି କ୍ୟାମେରା ବୟାନ କରିଥିଲା । ଚଢ଼ାଉ ବେଳେ ସେମାନେ ଜେଇଙ୍କ ଟେବୁଲ ଡ୍ରୟାରରେ ୨୫ ହଜାର ଟଙ୍କା ରଖି ତାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଫସାଇ ଦେଇଥିଲେ । ଖାଲି ସେତିକି ନୁହେଁ ଜେଇଙ୍କ ବିରୋଧରେ ମିଛ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିଲେ । ଚାକିରିରୁ ସସପେଣ୍ଡ ହେବା ସହ ୧୪ ଦିନ ଜେଲ୍ ରେ ସଜ୍ଜା କାଟିବା ପରେ ଜେଇ ଶ୍ର ମିଶ୍ର ନ୍ୟାୟ ଭିକ୍ଷା ପାଇଁ ବାରଦୁଆର ବୁଲୁଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭିଜିଲାନସ ଡିଜି ସମସ୍ତଙ୍କୁ ଗୁହାରି କରିଥିଲେ । ଇତିମଧ୍ୟରେ ଡିଜି ଏହି ମାମଲାର ତଦନ୍ତ ପାଇଁ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦେଢ଼ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ଗତ ୭ ତାରିଖରେ ଶ୍ରୀ ମିଶ୍ର ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ମାନବାଧିକାର କମିସନ ମାମଲାକୁ ବିଚାରକୁ ନେଉ ନେଉ ଭିଜିଲାନସ୍ ଡିଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।