ଭୁବନେଶ୍ୱର: ସୁରକ୍ଷା ଆଳରେ ସଚିବାଳୟର ୧ ନମ୍ବର ଗେଟ୍ ଦେଇ କାର କିମ୍ବା ବାଇକ୍ ରେ ପ୍ରବେଶ କରିବା ଉପରେ କଟକଣା ଅଛି । କୋଟପାଡ଼ର କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କୁ କିନ୍ତୁ ଏହି ନିୟମ ମାଲୁମ୍ ନ ଥିଲା । ଆଜି ଅପରାହ୍ନରେ ସେ ଏକ ବାଇକ୍ ଧରି ୧ ନମ୍ବର ଗେଟ୍ ବାଟେ ସଚିବାଳୟ ଭିତରକୁ ପଶୁଥିଲେ । ମାତ୍ର ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ବାଟ ଓଗାଳିଥିଲେ । ଛାର୍ କନେଷ୍ଟବଳ ତାଙ୍କୁ ଏଭଳି ଅଟକାଇବା ଘଟଣା ବିଧାୟକ ମହାଶୟଙ୍କୁ ଅପମାନିତ କରିଥିଲା । ଚିଲ୍ଲେଇ ଥିଲେ.. ମତେ କ’ଣ ଚିହ୍ନିପାରୁନ? ମୁଁ ବିଧାୟକ । ମତେ ତମେ ରୋକିବାକୁ କିଏ? ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ତାଙ୍କୁ ସଚିବାଳୟର ପ୍ରବେଶ ନିୟମ ବିଷୟ ଜଣାଇବାରୁ ବିଧାୟକ ଉତକ୍ଷିପ୍ତ ହୋଇପଡ଼ିଥିଲେ । କନେଷ୍ଟବଳଙ୍କୁ କୁଆଡେ ଦୁର୍ବବ୍ୟହାର କରିଥିଲେ । ଏହାକୁ ନେଇ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ବିଧାୟକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।
ଏହି ସମୟରେ କେନ୍ଦ୍ରାପଡ଼ାର ବିଜେଡ଼ି ବିଧାୟକ କିଶୋର ତରାଇ ସେହି ଜାଗାରେ ପହଞ୍ଚିଥିଲେ । ସାଥୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ମଧ୍ୟ ପାଟିତୁଣ୍ଡ କରିଥିଲେ । ସୁରକ୍ଷା କର୍ମୀ ଓ ଦୁଇ ବିଧାୟକଙ୍କ ମଧ୍ୟରେ ଏଭଳି ପାଟିତୁଣ୍ଡରେ ଦେଖଣାହାରୀଙ୍କ ଭିଡ଼ ଜମିଯାଇଥିଲା । ଅବଶ୍ୟ ପରେ ବିଧାୟକ ଶ୍ରୀ ମାଝୀ ନିଜର ଭୁଲ୍ ବୁଝିପାରିଥିଲେ । ଗେଟ୍ ନଂ ୧ ବାଟେ ବାଇକ୍ ନେଇ ପ୍ରବେଶ କଟକଣା ନିୟମ ତାଙ୍କୁ ଜଣା ନ ଥିଲା ବୋଲି ସେ କହିଛନ୍ତି । ଗୋଟିଏ ପଟେ ବିଧାୟକଙ୍କ ଦୁର୍ବବ୍ୟହାର ନେଇ ସଂପୃକ୍ତ ସୁରକ୍ଷାକର୍ମୀ ଉପରିସ୍ଥ ହାକିମଙ୍କୁ ଗୁହାରି କରିଥିଲା ବେଳେ ବିଧାୟକ ନିଜର ଭୁଲ୍ ବୁଝିପାରିବା ଏକ ବଡ଼ ଅପ୍ରୀତିକର ପରିସ୍ଥିତିକୁ ଏଡ଼େଇ ଦେଇଛି ।
ତେବେ ଆଜିର ଘଟଣା ପରେ ସଚିବାଳୟର ଏକ ନମ୍ବର ମୁଖ୍ୟ ଗେଟ୍ ଦେଇ ଗାଡି ମଟରରେ ପ୍ରବେଶ କଟକଣା ନିୟମ ଉପରେ ସଚିବାଳୟ କର୍ମଚାରୀମହଲରେ ଆଲୋଚନା ଆରମ୍ଭ ହୋଇଛି । ଏହି କଟକଣା ପଛରେ ରହିଥିବା ଯୁକ୍ତି ସେମାନଙ୍କୁ ବୁଝାପଡୁନି । କଡ଼ା ଯାଞ୍ଚ ଭିତରେ ଜଣେ ବ୍ୟକ୍ତି ସେବାଟେ ଗାଡ଼ି ନେଇ ଭିତରକୁ ଯିବାରେ କ’ଣ ଅସୁବିଧା ରହୁଛି ତାହାକୁ ନେଇ ଅଧିକାଂଶ ପ୍ରଶ୍ନ କରିଛନ୍ତି । ଏହାଦ୍ୱାରା ବୃଦ୍ଧ ଏବଂ ଦିବ୍ୟାଙ୍ଗମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ସେମାନେ କହିଛନ୍ତି । ସୁରକ୍ଷା ଅଧିକାରୀମାନେ ଏହି ପ୍ରବେଶ କଟକଣା ଉପରେ ପୁର୍ନବିଚାର କରିବାକୁ ସେମାନେ ଦାବି କରିଛନ୍ତି ।