ଭୁବନେଶ୍ୱର: ବ୍ରହ୍ମପୁର ସହରକୁ ପାନୀୟଜଳ ଯୋଗାଣର ଉନ୍ନତିକରଣ ପ୍ରକଳ୍ପରେ ୫୦୦ କୋଟିର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ସବୁ ନୀତି ନିୟମର ଉଲ୍ଲଘଂନ କରି ରାଜ୍ୟ ସରକାର ଚେନ୍ନାଇର ଏଲ ଆଣ୍ଡ ଟି କମ୍ପାନୀକୁ ଏହି ବିଶାଳ ପ୍ରକଳ୍ପ ଟେକି ଦେଇଛନ୍ତି । ନଗର ଉନ୍ନୟନ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡରରେ ଏଲ ଆଣ୍ଡ ଟି କମ୍ପାନୀକୁ ଲୋଏଷ୍ଟ ବିଡ଼ର ଭାବେ କାମ ଦିଆଯାଇ ଓପିଡବ୍ଲୁଡି କୋଡ୍ କୁ ଆଖି ବୁଜି ଦିଆଯାଇଛି । ଏଲ ଆଣ୍ଡ ଟି ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟ ସାଙ୍କେତିକ ଅଟକଳ ମୂଲ୍ୟର ୧୫ ପ୍ରତିଶତରୁ କମ ହୋଇଥିଲେ ମଧ୍ୟ ତାହାକୁ ଯୋଗ୍ୟ ବିବେଚିତ କରାଯାଇ କାମ ଦିଆଯାଇଛି । ଏହି ବେଆଇନ କାର୍ଯ୍ୟ ଉପରେ ଖୋଦ୍ ଅର୍ଥ ବିଭାଗ ଆପତ୍ତି ଉଠାଇଥିଲେ ମଧ୍ୟ ନଗର ଉନ୍ନୟନ ବିଭାଗ ଏଜିଙ୍କ ବାଟେ ତାହାକୁ ପାର୍ କରେଇ ଦେଇଛି । ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟକୁ ଧରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିଛନ୍ତି କଳିଙ୍ଗ ସେନା ସଭାପତି ହେମନ୍ତ ରଥ ।
ବିବରଣୀରୁ ପ୍ରକାଶ, ବ୍ରହ୍ମପୁରଠାରୁ ୫୫ କିମି ଦୂରରେ ଥିବା ଜାହ୍ନିଭିଲ୍ଲୀ ଆନିକଟକୁ ଜଳଉତ୍ସ ରୂପେ ଗ୍ରହଣ କରାଯାଇ ବ୍ରହ୍ମପୁର ସହର ପାଇଁ ଏକ ବୃହତ୍ତ ପାନୀୟ ଜଳ ଯୋଗାଣର ଉନ୍ନତିକରଣ ପ୍ରକଳ୍ପ ଅନୁମୋଦିତ ହୋଇଥିଲା । ଗତ ନଭେମ୍ବର ୨୦୧୫ ରେ ଉକ୍ତ ପ୍ରକଳ୍ପକୁ ଜନସ୍ୱାାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ଦ୍ୱାରା ବୈଷୟିକ ଅନୁମୋଦନ ମିଳିଥିଲା । ଏହି ପ୍ରକଳ୍ପକୁ ଇପିସି ମୋଡ଼୍ ରେ ଟେଣ୍ଡର ଆହ୍ୱାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିରେ ୫ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ବିଦ୍ୟୁତ ଦେୟ ଖର୍ଚ୍ଚକୁ ଅର୍ନ୍ତଭୁକ୍ତ କରାଯାଇ ସାଙ୍କେତିକ ନିର୍ମାଣ ଖର୍ଚ୍ଚ ୫୧୯.୮୧ କୋଟିକୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଉକ୍ତ ପ୍ରକଳ୍ପକୁ ୨ ବର୍ଷ ଅବଧି ମଧ୍ୟରେ ଶେଷ କରିବା ପାଇଁ ସମୟ ନିର୍ଦ୍ଧାରିତ କରାଯାଇଥିଲା ।
ଏହି ଟେଣ୍ଡର ପ୍ରକ୍ରିୟାରେ ଚେନ୍ନାଇର ଏଲ ଆଣ୍ଡ ଟି କମ୍ପାନୀ ସହ ମୋଟ ୮ଟି ସଂସ୍ଥା ଅଂଶ ଗ୍ରହଣ କରିଥିଲେ । ଅଗଷ୍ଟ ୮,୨୦୧୬ ରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥାରେ ଥିବା ମୂଲ୍ୟାୟନ କମିଟି ଏହାର ତର୍ଜମା କରି ଲୋଏଷ୍ଟ ବିଡ଼ର୍ ଏଲ ଆଣ୍ଡ ଟି ନାମ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ଏଲ ଆଣ୍ଡ ଟି ୪୩୧.୩୦ କୋଟି ମୂଲ୍ୟ ଦେଇ ଲୋଏଷ୍ଟ ବିଡ଼ର୍ ରହିଥିଲେ ମଧ୍ୟ ତାହା ସାଙ୍କେତିକ ଅଟକଳଠାରୁ ୧୭.୦୩ ପ୍ରତିଶତ କମ୍ ଥିଲା । ରାଜ୍ୟ ସରକାରଙ୍କ ଓପିଡବ୍ଲୁଡି କୋଡ୍ ର ଭଲ୍ୟୁମ୍ ୨ ରେ ସ୍ପଷ୍ଟ ନିୟମ ରହିଛି ଯଦି ବିଡର୍ ଦେଇଥିବା ମୂଲ୍ୟ ସାଙ୍କେତିକ ଅଟକଳଠାରୁ ୧୫ ପ୍ରତିଶତରୁ କମ ହେବ ତେବେ ତାହା ରିଜେକ୍ଟ ହେବ । ସେଭଳି କ୍ଷେତ୍ରରେ ଅବଶିଷ୍ଟ ବିଡର୍ ଙ୍କ ମେରିଟ୍ ଦେଖି ଟେଣ୍ଡର ଚୂଡ଼ାନ୍ତ ହେବ । ସୁତରାଂ ଏଲ ଆଣ୍ଡ ଟି ଚେନ୍ନାଇ କ୍ଷେତ୍ରରେ ଓପିଡବ୍ଲୁଡି କୋଡ୍ ର ଉଲ୍ଲଂଘନ କରାଯାଇ କାମ ଟେକି ଦିଆଯାଇଛି ।
ଖାଲି ସେତିକି ନୁହେଁ ଏହି ବେଆଇନ କାର୍ଯ୍ୟ ଉପରେ ନଗର ଉନ୍ନୟନ ବିଭାଗ ସରକାରୀ ସ୍ୱୀକୃତି ଲଗାଇବାକୁ କୌଣସି ବାଟ ହାତଛଡ଼ା କରିନାହିଁ । ଅର୍ଥ ବିଭାଗ ଓ ପୂର୍ତ୍ତ ବିଭାଗ ଏ ସଂଂକ୍ରାନ୍ତୀୟ ଫାଇଲ୍ କୁ ଅନୁମତି ନ ଦେଇ ଫେରାଇ ଦେଇଥିଲେ ମଧ୍ୟ ନଗର ଉନ୍ନୟନ ବିଭାଗ ଆଡଭୋକେଟ ଜେନେରାଲ୍ ଙ୍କ ସହଯୋଗ ନେଇ ଗଳାବାଟରେ ତାହାକୁ ଖସାଇ ଦେଇଛି । ଏଲ ଆଣ୍ଡ ଟି ବର୍ତ୍ତମାନ ପ୍ରକଳ୍ପ ନିର୍ମାଣ କରୁଛି ।
ଶ୍ରୀ ରଥ ପ୍ରଶ୍ନ କରିଛନ୍ତି, ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ କାହା ସ୍ୱାର୍ଥରେ ଏଲ ଆଣ୍ଡ ଟି କୁ ଏହି ପ୍ରକଳ୍ପ ଟେକି ଦିଆଯାଇଛି ? ନଗର ଉନ୍ନୟନ ବିଭାଗ ସେହି ନିର୍ଦ୍ଦିଷ୍ଟ ସଂସ୍ଥାକୁ କାମ ଦେବା ପାଇଁ ଏତେ ତତ୍ପର ଥିଲା କାହିଁକି ? ଅର୍ଥ ଓ ପୂର୍ତ୍ତ ବିଭାଗ ଉକ୍ତ ପ୍ରସ୍ତାବକୁ ବେଆଇନ ଦର୍ଶାଇଥିବା ବେଳେ ଏଜିଙ୍କ ସହଯୋଗରେ ଏଭଳି ଏକ ବେଆଇନ କାର୍ଯ୍ୟ ପଛରେ ଏକ ବଡ଼ ରାକେଟ୍ କାମ କରିନାହିଁ କି ? ଏହି ଘୋଟାଲାରେ ବିଭାଗୀୟ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଏହାର ଉପଯୁକ୍ତ ତଦନ୍ତ ହେବା ସହ ଉକ୍ତ ଟେଣ୍ଡରକୁ ବାତିଲ କରି ସାନି ଟେଣ୍ଡର ପାଇଁ ଶ୍ରୀ ରଥ ଦାବି କରିଛନ୍ତି ।
ଏହି ଅଭିଯୋଗ ସଂକ୍ରାନ୍ତରେ ବିଭାଗୀୟ ସଚିବଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।