ଭୁବନେଶ୍ୱର: ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି କାଠି ନେଇ ରାଜ୍ୟ ସରକାରଙ୍କ ଚେତା ପଶିଛି । ହଜି ଯାଇଥିବା ଚାବିକାଠିର ସନ୍ଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଚାବି ହଜିଛି ଏବଂ ମିଳୁନି, କମିଶନ ତାହାର ତଦନ୍ତ କରିବେ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ଦେବେ ।
ଆଶ୍ଚର୍ଯ୍ୟର କଥା କି ରତ୍ନ ଭଣ୍ଡାରର ଚାବି ଆଜିକାଲି ନୁହେଁ, ୪୮ ବର୍ଷ ହେଲାଣି ଜିଲ୍ଲା ଟ୍ରେଜେରିକୁ ଫେରିନାହିଁ । ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଜିଲ୍ଲାପାଳ ଏକଥା ସ୍ପଷ୍ଟ କରିଥିଲେ । ମାତ୍ର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଶ୍ରୀମନ୍ଦିର ପରିଚାଳନା କମିଟି ଲୁଚାଇ ରଖିଥିଲେ । ଓଲଟି ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଦୀପ ଜେନା ଗଣମାଧ୍ୟମକୁ ଭୂଆଁ ବୁଲାଇଥିଲେ । ରତ୍ନ ଭଣ୍ଡାର ଚାବିକାଠି ହଜିଯିବା ଭଳି ଏକ ଅକ୍ଷମଣୀୟ ଅପରାଧରେ କିଏ ଭାଗିଦାର ଏବଂ ସରକାର ଜାଣିଶୁଣି ଏ ପର୍ଯ୍ୟନ୍ତ କାହିଁକି ଚୁପ୍ ବସିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଯଦି ଚାବିକାଠି ମିଳୁନାହିଁ, ତେବେ ରତ୍ନ ଭଣ୍ଡାର ଅଳଙ୍କାର ଯେ ସୁରକ୍ଷିତ ଥିବ ତାହା ଅନେକଙ୍କ ମନରେ ସନ୍ଦେହ ଉପୁଜେଇଛି ।
ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ ଲୋକଦେଖାଣିଆ ବୋଲି ବିଜେପି ସମାଲୋଚନା କରିଛି । ସରକାର ଏ ଯାଏଁ କାହିଁକି ଚୁପ୍ ବସିଥିଲେ ବୋଲି ଦଳ ପ୍ରଶ୍ନ ଉଠାଇଛି । ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଘଟଣାରୁ ନଜର ହଟେଇବା କୌଶଳ ବୋଲି ସେ କହିଛନ୍ତି । ଚାବି ଯାହା ଦାୟିତ୍ୱରେ ଥିଲା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।