ଭୁବନେଶ୍ୱର: ପୁରୀରୁ ବିଜେପିର ନବକଳେବର ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅର୍ଥାତ୍ ବିଜେପି ମିସନ୍ ୧୨୦ ପ୍ଲସ୍ ଅଭିଯାନ ପୁରୀରୁ ଆରମ୍ଭ କରିବାକୁ ଇଙ୍ଗିତ ଦେଇଛନ୍ତି । ନବୀନ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗି ଦିଆଯିବ ବୋଲି ଅମିତ୍ ଶାହାଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ର ରିପିଟ୍ ବି କରିଛନ୍ତି । ‘ଲୋକ ମନସ୍ଥ କଲେଣି ଏ ଅପାରଗ, ସ୍ଥାଣୁ ଏବଂ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ବଙ୍ଗୋପସାଗରରେ ଫିଙ୍ଗିଦେବେ’। ଅବଶ୍ୟ ଏହା କେମିିତି ଓ କେଉଁ ରୂପରେ ହେବ ତାହା ଧର୍ମେନ୍ଦ୍ର କହିନାହାନ୍ତି । ଚର୍ଚ୍ଚା ହେଉଛି, ଶ୍ରୀକ୍ଷେତ୍ରରୁ ସ୍ୱଂୟ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିପାରନ୍ତି । ମୋଦି ନ ଆସିଲେ ଧର୍ମେନ୍ଦ୍ର ଲଢ଼ିପାରନ୍ତି । ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ହାତରେ ପଦ୍ମ ଧରାଇ ପୁରୀରୁ ଲଢ଼ାଯାଇପାରେ ।
ତେବେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି ପୂରା କାର୍ଟୁନ୍ କରିଛନ୍ତି । କହିଛନ୍ତି, ‘ଧର୍ମେନ୍ଦ୍ର କେଉଁଠୁ ଛିଡ଼ା ହେବେ ଆଗ ଫାଇନାଲ୍ କରନ୍ତୁ । ପୁରୀ ଆସି ବିଧାୟକ ପ୍ରାର୍ଥୀ ଭାବେ ମୋ ସହ ଲଢ଼ନ୍ତୁ । ବିଜେଡ଼ିକୁ ସମୁଦ୍ରକୁ ଫିଙ୍ଗିଦେବେ ? ହୋ..ଡଙ୍ଗାରେ ତାଙ୍କୁ(ଧର୍ମେନ୍ଦ୍ର)୨ କିମି ସମୁଦ୍ର ଭିତରକୁ ପଠାଇଦେବୁ । ସେଠି ସେ ବଡ଼ ମାଛ ଧରିବେ’ । ଧର୍ମେନ୍ଦ୍ରଙ୍କୁ ମହେଶ୍ୱର ଖାଲି କାର୍ଟୁନ୍ କରିନାହାନ୍ତି, ଦମ୍ଭ ଦେଖାଇଛନ୍ତି । ସେପଟେ ମନ୍ତ୍ରୀ ଦାମୋଦର ରାଉତ ବି ଧର୍ମେନ୍ଦ୍ରଙ୍କୁ ଛାଡ଼ିନାହାନ୍ତି । ପୁରୁଣା କଥାକୁ ଦୋହରାଇଛନ୍ତି । ‘ ଧର୍ମେନ୍ଦ୍ର ନିଜ ନିର୍ବାଚନମଣ୍ଡଳୀରେ ପ୍ରତ୍ୟାଖ୍ୟାତ ହୋଇଛନ୍ତି । ପାଳଗଦାରେ ଛିଡ଼ା ହୋଇ ନିଜକୁ ଉଚୁଁଆ ଭାବୁଛନ୍ତି । ତଳୁ ନିଆଁ ଲାଗି ସେ ଜଳିଯିବେ’ । ବିଜେଡ଼ି ପ୍ରବକ୍ତା ଅରୁଣ ସାହୁ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର ହୁଏ । ଆଉ ଯଦି କେଉଁ ବ୍ୟକ୍ତିବିଶେଷ ନିଜକୁ ଜଗନ୍ନାଥଙ୍କ ସହ ତୁଳନା କରେ ତେବେ ତାହା ତାଙ୍କର ଔଦ୍ଧତ୍ୟ ।