ଭୁବନେଶ୍ୱର: ରାଜ୍ୟପାଳ ଡ. ଏସ.ସି. ଜମିରଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦୀପାବଳୀ ସଂଧ୍ୟାରୁ ଜାରି ରହିଲା ସସପେନସ୍ । ମାତ୍ର ସକାଳୁ ନିଜେ ରାଜ୍ୟପାଳଙ୍କ ମୁହଁରୁ ଏହା ମିଛ ଓ ଗୁଜବ ବୋଲି ଶୁଣିବାକୁ ମିଳିଲା । ଉଇ ଦ ନାଗାସ୍ ଟୁଇଟ୍ ରେ ଅପଲୋଡ୍ ରାଜ୍ୟପାଳଙ୍କ ଭିଡ଼ିଓ ବାର୍ତ୍ତାରୁ ଏହା ସ୍ପଷ୍ଟ ହୋଇଥିଲା । ତାଙ୍କର ସେଭଳି କିଛି ହୋଇନି । ନିୟମିତ୍ ଚେକ୍ ଅପ ପାଇଁ ସେ ଆପୋଲୋ ଯାଇଥିଲେ ବୋଲି ରାଜ୍ୟପାଳ ଜଣାଇଥିଲେ । ଅପରାହ୍ନରେ ରାଜଭବନ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ମଧ୍ୟ ସମାନ ସ୍ପଷ୍ଟୀକରଣ ଦିଆଯାଇଥିଲା । ରାଜ୍ୟପାଳ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଇଥିଲା ।
ଛାତିରେ ଯନ୍ତ୍ରଣା ଅନୁଭବ କରି ଆପୋଲୋ ହସ୍ପିଟାଲ୍ ରେ ଭର୍ତ୍ତି ହେବା ଖବରକୁ ନିଜେ ରାଜ୍ୟପାଳ ଖଣ୍ଡନ କଲା ପରେ ତାହାକୁ ନେଇ ଚର୍ଚ୍ଚାର ଆବଶ୍ୟକତା ନାହିଁ । ମାତ୍ର ପ୍ରଶ୍ନ ଉଠୁଛି, ଏଭଳି ଖବର ଆସିଲା କେଉଁଠୁ ? ଟିଭି କି ସୋସିଆଲ୍ ମିଡ଼ିଆରେ ଖବର ପ୍ରସାରକୁ ଗୁଜବ କୁହାଯାଇପାରେ । ମାତ୍ର ଖବରର ସତ୍ୟତା ଯାଂଚ ନ କରି ଖୋଦ୍ ମୁଖ୍ୟମନ୍ତ୍ରୀ ଆପୋଲୋ ଗଲେ କେମିତି ? ସେଠାରୁ କ’ଣ ବୁଝି ଫେରିଲେ ? ଖାଲି ସେତିକି ନୁହେଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ରିଟୁଇଟ୍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କଲେ । ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଆଉ ଗୋଟିଏ ଦିନ ଅବଜରଭେସନ୍ ରେ ରହିବେ ବୋଲି ଜଣାଇଲେ । ମାତ୍ର ଏହା କେମିତିଆ କଥା ? ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ କ’ଣ ଗୁଜବରେ ପଡ଼ିଗଲେ? ଯଦି ଗୁଜବରେ ପଡ଼ି ରାଜ୍ୟର ଶାସନମୁଖ୍ୟ ଦୀପାବଳୀ ଭଳି ସଂଧ୍ୟାରେ ଘର ଛାଡ଼ି ହସ୍ପିଟାଲ୍ ଦୌଡ଼ିଲେ ତେବେ ଏହା ଲଜ୍ଜାଜନକ ଓ ସାଂଘାତିକ ନୁହେଁ କି ?