ଭୁବନେଶ୍ୱର: ଭର୍ତ୍ତୃହରି ମହତାବଙ୍କ ପରେ ଦାମୋଦର ରାଉତ । କଂଗ୍ରେସ ସହ ମେଣ୍ଟ ସମ୍ଭାବନା ନେଇ ଗତବର୍ଷ ନଭେମ୍ବର ମାସରେ ଭର୍ତ୍ତୃହରି ବୟାନ ଦେଇଥିଲେ । ଆଉ ଆଜି.. ବିଜେଡ଼ି ସହ କଂଗ୍ରେସ ମେଣ୍ଟ କରୁ ବୋଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମନ୍ତବ୍ୟ ଦେଇଛନ୍ତି । ବିଜେପିର ମୁକାବିଲା ପାଇଁ ଧର୍ମନିରପେକ୍ଷ ଅଣବିଜେପି ଶକ୍ତି ଏକାଠି ହେବା ଦରକାର ବୋଲି ସେ କହିଛନ୍ତି । ଭର୍ତ୍ତୃହରିଙ୍କ ବୟାନ ବିଜେଡ଼ି ରାଜନୀତିକୁ ହଲଚଲ କରିଥିଲା । ଏବେ ଦାମଙ୍କ ଉକ୍ତି ଓଡ଼ିଶା ରାଜନୀତିର ବାରୁଦ ଗଦାରେ ନିଆଁ ଲଗାଇଲା ଭଳି ହୋଇଛି ।
ଏକ ସାକ୍ଷାତକାରରେ ଭର୍ତ୍ତୃହରି କହିଥିଲେ, ବିଜେପିର ଅଭିବୃଦ୍ଧିକୁ ରୋକ୍ ଲଗାଇବା ପାଇଁ ଜାତୀୟ ଦଳ କଂଗ୍ରେସ ସହ ଆଞ୍ଚଳିକ ଦଳ ବିଜେଡ଼ିର ମେଣ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଖୋଦ୍ ନବୀନଙ୍କ ସହ କଥା ହୋଇ ଏହା ସେ କହୁଛନ୍ତି ବୋଲି କହିଥିଲେ । ମାତ୍ର ଦଳ ଭିତରୁ ତାଙ୍କୁ ତୀବ୍ର ଆକ୍ରମଣ ହେଲା ପରେ ସେ କଥା ବୁଲାଇ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଛି ଏବଂ ସେ ଯାହା କହିଛନ୍ତି ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲେ । ତେବେ ଇତିମଧ୍ୟରେ ବର୍ଷେ ବିତିଯାଇଛି । ବିଜେପି ଅଧିକ କ୍ରିୟାଶୀଳ ହୋଇଛି । ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନ ମିସନ୍-୧୨୦ ପ୍ଲସ୍ ଧରି ମୈଦାନକୁ ଓହ୍ଲାଇଛନ୍ତି । ଆଉ ଏତିକିବେଳେ ଦାମଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି । ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି ବିଜେପିର ଶକ୍ତିବୃଦ୍ଧିରେ ସ୍ୱଂୟ ଦାମ ଛାନିଆଁ ହୋଇପଡ଼ିଛନ୍ତି ବୋଲି ବାର୍ତ୍ତା ଯାଇଛି । ଦାମବାବୁ ଜଣେ ସାଧାରଣ ରାଜନେତା ନୁହଁନ୍ତି । ବିଜେଡ଼ିର ବରିଷ୍ଠ(ସିଜିନିଡ୍) ନେତା ଓ ମନ୍ତ୍ରୀ । କିଏ ମାନନ୍ତୁ ନ ମାନନ୍ତୁ, ତାଙ୍କ ପାଟିରେ ଏଭଳି କଥା ସାମଗ୍ରିକ ଭାବେ ବିଜେଡ଼ିର ଭୟ ଓ ଦୁର୍ବଳତାକୁ ସୂଚାଇଛି । ମିସନ୍-୧୨୦ ପ୍ଲସ୍ ଉପରେ ଯେତେ ଦମ୍ଭ ଦେଖାଇଲେ ବି ବିଜେଡ଼ିକୁ ଯେ ଛାନିଆଁ ଗୋଡାଇଛି ତାହା ଦାମ ଜଣାଇ ଦେଇଛନ୍ତି ।
ଭର୍ତ୍ତୃହରିଙ୍କ ବୟାନ କ୍ଷତ ମନରୁ ନ ଯାଉଣୁ ଦାମବାବୁଙ୍କ ମନ୍ତବ୍ୟ ବିଜେଡ଼ି କାର୍ପଟଦାରଙ୍କ ଅକଲ ଗୁଡୁମ କରିଦେଇଛି । କାରଣ କଂଗ୍ରେସ ଓ ବିଜେପିଠାରୁ ବିଜେଡ଼ି ସମାନ ଦୂରତା ରଖୁଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହି ଆସୁଛନ୍ତି । ବିଜେପି ଓ କଂଗ୍ରେସ ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି ସେ ଅନେକବାର ସ୍ପଷ୍ଟ କରିଛନ୍ତି । ମଝିରେ ମଝିରେ ବିଜେପି ସହ ବିଜେଡ଼ିର ମେଣ୍ଟ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କଂଗ୍ରେସ ସହ ବିଜେଡ଼ିର ମେଣ୍ଟ ନେଇ ଚର୍ଚ୍ଚା ପ୍ରାୟତଃ ନାହିଁ । ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ତାହା ସମ୍ଭବ ବି ନୁହେଁ । ମାତ୍ର ସାଂମ୍ପ୍ରତିକ ପରିସ୍ଥିତିରେ ଦାମଙ୍କ ମୁଣ୍ଡରେ ହଠାତ୍ ଏହି ଥିଓରି ପଶିବା ରାଜନୈତିକ ସମୀକ୍ଷକମାନଙ୍କୁ ଚକିତ କରିଛି । ବିଜେଡ଼ି-କଂଗ୍ରେସ ପ୍ରେମବନ୍ଧନ କଥା କହି ସେ ବିଜେପିକୁ ଧୂଳିସାତ କରିବା କଥା କହୁଛନ୍ତି । ଅର୍ଥାତ୍ ବିଜେଡ଼ି ଏକାକୀ ବିଜେପିକୁ ଫାଇଟ୍ ଦେବା ଅବସ୍ଥାରେ ଆଉ ନାହିଁ ବୋଲି ଦାମବାବୁ ହୃଦୟଙ୍ଗମ କରିଛନ୍ତି । ଏଇ ଦାମବାବୁ କଥାକଥାକେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛିଗୁଲାଉଛନ୍ତି । ମିସନ୍-୧୨୦ ପ୍ଲସ୍ କୁ ବିଦ୍ରୁପ କରୁଛନ୍ତି । ୧୨୦ ସଂଖ୍ୟା ଛାଡ, ବିଜେପି ୨୦ ସଂଖ୍ୟା ଛୁଇଁବ ନାହିଁ କହୁଛନ୍ତି । ଆଉ ସେହି ଦାମବାବୁ ବିଜେପିକୁ ଏକାକୀ ସାମନା କରିବାକୁ ଡରୁଛନ୍ତି । ‘ଏ ବିଚିତ୍ର ଦାମବାବୁ । କେତେବେଳେ କ’ଣ କହୁଛନ୍ତି ତାଙ୍କ ପାଟି ବାଡ଼ବତା ମାନୁନି । ବୟସାଧିକ କାରଣରୁ ଦାମବାବୁ ବିଭିନ୍ନ ସମୟରେ ଏଭଳି କଥା ସବୁ କହୁଛନ୍ତି’ ବୋଲି ଦଳର ଜଣେ ପୁରୁଖା ନେତା କହିଛନ୍ତି ।
ତେବେ ସେ ଯାହାହେଉ, ଦାମଙ୍କ ମନ୍ତବ୍ୟ ବିଜେପି ପାଇଁ ବଡ଼ିଆ ଅସ୍ତ୍ର ହୋଇଛି । କଂଗ୍ରେସ ସହ ବିଜେଡ଼ିର ଭିତିରି ବୁଝାମଣା ଚାଲିଛି ବୋଲି ବିଜେପି କହି ବୁଲିଲାଣି । ଏମିତି ପ୍ରଚାର କରି ବିଜେଡ଼ି ଭୋଟବ୍ୟାଙ୍କକୁ ଧୂଳିସାତ କରିବାକୁ ସେମାନେ ଯୋଜନା କରୁଛନ୍ତି । ଆଗକୁ ବିଜେଡ଼ି ପାଇଁ ଏହା ମହଙ୍ଗା ପଡ଼ିବ ବୋଲି ଦଳର ବହୁ ନେତା ଆଶଙ୍କା ପ୍ରକାଶ କରିଛନ୍ତି ।