ଭୁବନେଶ୍ୱର: ସେ ଜଣେ ପାୱାରଫୁଲ୍ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ବିଜେପିର ସର୍ବେସର୍ବା । ତାଙ୍କ ପାଇଁ ଆଇନ କାନୁନର ପ୍ରତିବନ୍ଧକ ନାହିଁ । ବିନା ବାଧକରେ ନିର୍ବାଚନ ପ୍ରଚାର ପାଇଁ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇପାରିବେ । ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ବାଲା ତାଙ୍କ ଗାଡ଼ି କି ହେଲିକପ୍ଟର ଯାଞ୍ଚ କରିବାକୁ ସାହାସ କରିବା କଥା ନୁହେଁ । ବୋଧହୁଏ ଏଭଳି ଅହଂକାର ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର । ପଅରଦିନ ସମ୍ବଲପୁର ଘଟଣାର ଭାଇରାଲ୍ ଭିଡ଼ିଓ ଦେଖିବା ପରେ ଅଧିକାଂଶଙ୍କ ମନରେ ଏମିତି ଧାରଣା ସୃଷ୍ଟି ହୋଇଛି ।
ତେବେ ଦିନକ ପରେ ଏହାର ଠିକ୍ ବିପରୀତ ଘଟଣା ରାଉରକେଲାରେ ଦେଖିବାକୁ ମିଳିଛି । ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଯେଉଁଭଳି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ହାବୁଡ଼ରେ ପଡ଼ିଥିଲେ ଗତକାଲି ରାଉରକେଲାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁରୂପ ଅବସ୍ଥାରେ ପଡ଼ିଥିଲେ । ସମ୍ବଲପୁରରେ ଧର୍ମେନ୍ଦ୍ର ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ପୁଲିସକୁ ନାଲିଆଖି ଦେଖାଇଥିବା ବେଳେ ନବୀନ ବିନା କୌଣସି ବାଧା ଏବଂ ପ୍ରତିକ୍ରିୟାରେ ଯାଞ୍ଚକାରୀ ପୁଲିସକୁ ସହଯୋଗ କରିଥିଲେ । ଆଇନ ସମସ୍ତଙ୍କ ପାଇଁ ସମାନ ଓ ସମସ୍ତେ ଏହାକୁ ସମ୍ମାନ କରିବା ଦରକାର ନବୀନଙ୍କ ଆଚରଣ ସୂଚାଇ ଦେଇଥିଲା ।
ଗତକାଲି ସୁନ୍ଦରଗଡ଼ ଜିଲ୍ଲାକୁ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ରାଉରକେଲାରେ ନବୀନଙ୍କ ହେଲିକପ୍ଟରକୁ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚ କରିବାକୁ ଚାହିଁଥିଲେ । ଯାଞ୍ଚକାରୀଙ୍କ ଦାୟିତ୍ୱକୁ ସମ୍ମାନ ଜଣାଇ ବିନମ୍ରତାର ସହ ସେମାନଙ୍କ କାର୍ଯ୍ୟ କରିବାକୁ ଦେଇଥିଲେ ନବୀନ । ଫ୍ଲାଇଂ ସ୍କ୍ୱାଡ୍ କର୍ମଚାରୀମାନେ ହେଲିକପ୍ଟରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଆଟାଚ୍ ଓ ଲଗେଜ୍ ରେ ଥିବା ଆସବାବପତ୍ର ଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ଚୁପଚାପ୍ ବସି ରହି ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଯାଞ୍ଚ ସରିଲା ପର୍ଯ୍ୟନ୍ତ ଧୀରସ୍ଥିର ଚିତ୍ତରେ ଅପେକ୍ଷା କରିଥିଲେ । ଶେଷରେ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ କୁ ଧନ୍ୟବାଦ ଜଣାଇବାକୁ ଭୁଲି ନ ଥିଲେ ।
୧୫ ଦିନ ତଳେ ବିଜେପିର ଉପସଭାପତି ତଥା ହିଜିଂଳି ବିଧାନସଭା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଏମିତି ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚରେ ପଡ଼ିଥିଲେ । ମାତ୍ର ସହଯୋଗ ନକରି ଓଲଟି ହାରକିନ୍ ଦେଖାଇଥିଲେ । ଏକଜ୍ୟୁଟିଭ୍ ମାଜିଷ୍ଟ୍ରଟ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତାତ୍ସଲ୍ୟ କରିଥିଲେ । କାର୍ଯ୍ୟରତ ସେହି ଅଧିକାରୀ ଓ ପୁଲିସ ଆଗରେ ନିଜର ଗାରିମା ବଖାଣି ସେମାନଙ୍କୁ ନୀଚ୍ଚ କରିବାକୁ ଚେଷ୍ଟା କରିଥିଲେ । ବରିଷ୍ଠ ଆଇନଜୀବୀ ଓ ହିଜିଂଳିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦୀ କହି ନିଜକୁ ବଡ଼ ଦେଖାଇଥିଲେ ।
ଧର୍ମେନ୍ଦ୍ର ପ୍ରଧାନ ଓ ପୀତାମ୍ବର ଆଚାର୍ଯ୍ୟଙ୍କ ଆଚରଣ କହୁଥିଲା ଯେ ନିର୍ବାଚନ ଗାଇଡଲାଇନ୍ ଓ ଆଚରଣ ବିଧିର ସେମାନେ ଉଦ୍ଧ୍ୱର୍ରେ । କାରଣ ସେମାନେ ପ୍ରବଳ କ୍ଷମତାଶାଳୀ । ଫ୍ଲାଇଂ ସ୍କ୍ୱାଡ୍ ଚେକିଂ ବେଳେ ସେମାନେ ଏକଥା ବି ପଚାରିଥିଲେ ଯେ ଯଦି ସାହାସ ଅଛି ତମ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇ ଯାଞ୍ଚ କର । ଦେଖିବା ତମର ହିମତ୍ କେତେ । ଆଉ ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ହିମତ୍ ଦେଖାଇଛନ୍ତି । ଜଣାଇ ଦେଇଛନ୍ତି, ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି ।
ନିର୍ବାଚନ କମିଶନଙ୍କ ଆଇନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନିଜେ ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚରେ ସହଯୋଗ କରିବା ଏବଂ ବିନମ୍ର ରହିବାକୁ ବିଭିନ୍ନସ୍ତରରେ ପ୍ରଶଂସା କରାଯାଇଛି । ନବୀନଙ୍କର ଏହି ଗୁଣ ଯୋଗୁଁ ତାଙ୍କୁ ୧୯ ବର୍ଷ ଧରି ରାଜ୍ୟବାସୀଙ୍କ ହୃଦୟରେ ରଖିଛି ଏବଂ ପଞ୍ଚମଥର ପାଇଁ କ୍ଷମତାକୁ ଆଣିବ ବୋଲି ବିଜେଡ଼ି ପ୍ରତିକୟିୟା ଦେଇଛି । ତେବେ ଏ ଘଟଣାରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।