କେନ୍ଦୁଝର: କେନ୍ଦୁଝରର ବିଜେଡ଼ି ସାଂସଦ ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁଙ୍କ ନାଁରେ ଫେକ୍ ସେକ୍ସ ଭିଡ଼ିଓ ଭାଇରାଲ୍ ମାମଲାର ଛାନଭିନ୍ ଚଳାଇଛି ପୁଲିସ । ଏହି ମାମଲାରେ ଗିରଫ ଚତୁର୍ଥ ଅଭିଯୁକ୍ତ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଆଜି ଦୁଇଦିନିଆ ରିମାଣ୍ଡରେ ଆଣିଛି କେନ୍ଦୁଝର ପୁଲିସ । ଭିଡ଼ିଓଟି ସେ କେଉଁଠାରୁ ପାଇଲେ ଏବଂ ବିନା ଯାଞ୍ଚରେ କିଭଳି ଖବର ପ୍ରକାଶ କଲେ ସେ ନେଇ ପଚରାଉଚୁରା ଆରମ୍ଭ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ଉକ୍ତ ମାମଲାରେ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ, କେନ୍ଦୁଝର ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆର ସଂଯୋଜକ ଜୟଦେବ ଗିରି, ଭଦ୍ରକ ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆ ସଂଯୋଜକ ଚିନ୍ମୟ ସେନାପତି ଏବଂ ବିଷ୍ଣୁପଦ ବାରିକ । ସେମାନଙ୍କ ତଥ୍ୟ ଆଧାରରେ କେନ୍ଦୁଝର ପୁଲିସ ଭୁବନେଶ୍ୱରରୁ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଗତ ୧୩ ତାରିଖ ରାତିରେ ଉଠାଇ ନେଇଥିଲା । ପରଦିନ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ମାମଲାର ଗମ୍ଭୀରତା ଦୃଷ୍ଟିରୁ ଅଧିକ ତଥ୍ୟ ହାସଲ ପାଇଁ ପ୍ରଶାନ୍ତଙ୍କୁ ରିମାଣ୍ଡରେ ଆଣିବାର ଆବଶ୍ୟକତା ପଡ଼ିଥିବା ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି । ଅଭିଯୁକ୍ତ ପ୍ରଶାନ୍ତ ମିଶ୍ର ୱେବ୍ ପୋର୍ଟାଲ୍ ରେ ସାମ୍ବାଦିକତା କରୁଛନ୍ତି ।