ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳର ନବକଳେବର କରିଛନ୍ତି । ୧୧ ଜଣ ନୂଆମନ୍ତ୍ରୀଙ୍କୁ ନେଇଛନ୍ତି ମନ୍ତ୍ରୀମଣ୍ଡଳରେ । ନିରଞ୍ଜନ ପୂଜାରୀ, ସୂର୍ଯ୍ୟନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ମହେଶ୍ୱର ମହାନ୍ତି, ଶଶୀଭୂଷଣ ବେହେରା ଓ ପ୍ରତାପ ଜେନାଙ୍କୁ କ୍ୟାବିନେଟ୍ ପାହ୍ୟା ଦେଇଥିଲା ବେଳେ ଅନନ୍ତ ଦାସ, ଡାକ୍ତର ନୃସିଂହ ଚରଣ ସାହୁ, ବିଜୟ ନାୟକ, ସୁଶାନ୍ତ ସିଂ ଓ ଚନ୍ଦ୍ରସାରଥୀ ବେହେରାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି । ରବିବାର ଦିନ ୯.୧୦ ମିନିଟ୍ ରେ ରାଜଭବନର ଅଭିଷେକ ହଲ୍ ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।
ସବୁଠାରୁ ବଡ଼କଥା ହେଲା, ବହୁ ପ୍ରତୀକ୍ଷିତ ନୂଆ ମନ୍ତ୍ରୀମଣ୍ଡଳ ବିଜେଡ଼ି ମହଲରେ ଉତ୍ସାହ ଖେଳାଇବା ପରିବର୍ତ୍ତେ ଅସନ୍ତୋଷ ଖେଳାଇ ଦେଇଛି । ମନ୍ତ୍ରୀମଣ୍ଡଳରେ ଆଦୌ ଭାରସାମ୍ୟ ରକ୍ଷା କରାଯାଇନାହିଁ । ବିଜେଡ଼ିର ସ୍ଥିତି ଦୁର୍ବଳ ଥିବା ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱକୁ ଏଥିରେ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି । ବରଗଡ଼ରେ ସ୍ନେହାଙ୍ଗିନୀ ଛୁରିଆ ଦଳକୁ ବିପର୍ଯ୍ୟୟର ସାମନା କରାଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ହାତ ମାରିନାହାନ୍ତି । ସେହି ବରଗଡ଼ ଜିଲ୍ଲାରୁ ଭଟଲି ବିଧାୟକ ଅନଭିଜ୍ଞ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି । ସୋନପୁରରୁ ନିରଞ୍ଜନ ପୂଜାରୀ ମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକଳାପ କାହାରି ପାଇଁ ଆଦୃତ ନୁହେଁ । ଜଣେ ଅହଂକାରୀ ଓ ଅପାରଗ ମନ୍ତ୍ରୀ ଭାବେ ତାଙ୍କର ଟ୍ରାକ୍ ରେକର୍ଡ ରହିଛି । ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ ଭଳି ବିଜେଡ଼ି ପାଇଁ ସ୍ପର୍ଶକାତର ଜିଲ୍ଲାରୁ କାହାରିକୁ ମନ୍ତ୍ରୀ କରାଯାଇନି । ରାୟଗଡ଼ାରୁ ଲାଲବିହାରୀ ହିମିରିକାଙ୍କୁ ବିଦା କରାଯାଇଥିଲେ ମଧ୍ୟ ଆଉ କାହାରିକୁ ମନ୍ତ୍ରୀ କରାଯାଇନି । କୋରାପୁଟ, କଳାହାଣ୍ଡି, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇଯାଇଛି ।
କଟକ ଜିଲ୍ଲାରୁ ଦେବୀ ମିଶ୍ରଙ୍କ ଜାଗାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୃଢ଼ ବିରୋଧୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀ କରାଯାଇଛି । ଅନ୍ୟପକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଖାସ୍ ଅନୁଗତ ଚନ୍ଦ୍ରସାରଥୀ ବେହେରା ବି ମନ୍ତ୍ରୀ ହୋଇଛନ୍ତି । ତେବେ ଚନ୍ଦ୍ରସାରଥୀଙ୍କ ମନ୍ତ୍ରୀତ୍ୱକୁ ନେଇ ଜିଲ୍ଲାର ଅନ୍ୟ ବରିଷ୍ଠ ନେତୃମଣ୍ଡଳୀ ସନ୍ତୁଷ୍ଟ ନାହାନ୍ତି । ଅନ୍ୟତମ ଦାବିଦାର ରାଜା ସ୍ୱାଇଁଙ୍କ ଗୋଷ୍ଠୀକୁ ଏହା କ୍ଷୁବଧ କରିଛି । ବାଲେଶ୍ୱରରୁ ଅନନ୍ତ ଦାସଙ୍କୁ ମନ୍ତ୍ରୀ କରାଯାଇଥିଲେ ମଧ୍ୟ ସେ ଆଦୃତ ହୋଇନାହାନ୍ତି । ଭଦ୍ରକ ଜିଲ୍ଲାରୁ ବିଜୟଶ୍ରୀ ରାଉତରାୟ ମନ୍ତ୍ରୀ ଥିବା ବେଳେ ପ୍ରଫୁଲ୍ଲ ସାମଲଙ୍କୁ ମନ୍ତ୍ରୀ କରାଯାଇଛି । କରଞ୍ଜିଆ ବିଧାୟକ ବିଜୟ ନାୟକ ଜଣେ ମନ୍ତ୍ରୀ ମ୍ୟାଟେରିଆଲ୍ ନୁହଁନ୍ତି । ନିକଟରେ ତାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିଥିଲା । ଧର୍ମେନ୍ଦ୍ର ପ୍ରଧାନଙ୍କ ଗଡ଼ ଢ଼େଙ୍କାନାଳ ଜିଲ୍ଲାରୁ ମନ୍ତ୍ରୀ ହୋଇଥିବା ପର୍ଜଙ୍ଗ ବିଧାୟକ ଡାକ୍ତର ନୃସିଂହ ସାହୁ ବରିଷ୍ଠ ଓ ଅଭିଜ୍ଞ ହୋଇଥିଲେ ମଧ୍ୟ ଗ୍ରହଣୀୟ ହୋଇନାହାନ୍ତି । ବରଂ ତାଙ୍କ ଜାଗାରେ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କ ସପକ୍ଷରେ ଜନମତ ଅଛି । ଦକ୍ଷତା ଓ ଲୋକପ୍ରିୟତାର ମାପକାଠିରେ ନୃସିଂହ ସାହୁଙ୍କଠାରୁ ସେ ବେଶ୍ ଆଗରେ । ସେହି ଜିଲ୍ଲାରୁ ମନ୍ତ୍ରୀ ଥିବା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ମନ୍ତ୍ରୀ ହିସାବରେ ଦକ୍ଷତା ପ୍ରତିପାଦନରେ ବିଫଳ ହୋଇଥିଲେ ମଧ୍ୟ ତାଙ୍କୁ କ୍ୟାବିନେଟ୍ ପାହ୍ୟା ପୁରସ୍କାର ମିଳିଛି ।
ପୁରୀ ଜିଲ୍ଲାରୁ ମନ୍ତ୍ରୀ ହୋଇଥିବା ମହେଶ୍ୱର ମହାନ୍ତିଙ୍କ ନାଁରେ ମାଳ ମାଳ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଥିଲେ ମଧ୍ୟ ନବୀନ ତାଙ୍କୁ କୋଳେଇ ନେଇଛନ୍ତି । ସେହି ଜିଲ୍ଲାରୁ ମନ୍ତ୍ରୀ ଥିବା ପ୍ରଦୀପ ମହାରଥୀ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନରେ ବିଫଳ ରହିଛନ୍ତି । କଥା ବଡ଼ କାମ ଛୋଟର ଆଖ୍ୟା ଲାଗିଛି ତାଙ୍କଠାରେ । ମାତ୍ର ନବୀନଙ୍କ ପାଇଁ ସେ ଗେହ୍ଲା ପୁଅ ରହିଛନ୍ତି । ପଡ଼ୋଶୀ ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ପଣ୍ଡା ମନ୍ତ୍ରୀ ଥିଲେ ମଧ୍ୟ ଶଶୀଭୂଷଣ ବେହେରାଙ୍କୁ ବି ମନ୍ତ୍ରୀ କରାଯାଇଛି । ମନ୍ତ୍ରୀ ଭାବେ ଅଶୋକ ପଣ୍ଡା ଦୁର୍ନାମ ବୋହୁଥିଲା ବେଳେ ନବୀନ ତାଙ୍କୁ ହାତ ମାରିନାହାନ୍ତି । ନୂଆ ମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ ଜନପ୍ରିୟତା ମାପକାଠିରେ ବହୁ ତଳେ । ଲୋକଙ୍କୁ ଦେଖିଲେ ନାକ ଟେକନ୍ତି । ମାତ୍ର ନବୀନ ତାଙ୍କୁ ପୁରସ୍କୃତ କରି କ୍ୟାବିନେଟ୍ ପାହ୍ୟା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସୂର୍ଯ୍ୟ ପାତ୍ରଙ୍କୁ ପୁର୍ନବାର ମନ୍ତ୍ରୀ କରିଛନ୍ତି ନବୀନ । ପ୍ରଦୀପ ପାଣିଗ୍ରାହୀଙ୍କ ଶୂନ୍ୟସ୍ଥାନକୁ ସେ ପୂରଣ କରିଛନ୍ତି । ମାତ୍ର ମନ୍ତ୍ରୀ ଭାବେ ଦକ୍ଷତା ପ୍ରତିପାଦନରେ ସମ୍ପୂର୍ଣ୍ଣ ବିଫଳ ଶ୍ରୀମତୀ ଉଷା ଦେବୀଙ୍କ ମନ୍ତ୍ରୀପଦ ବଜାୟ ରହିବା ଅନେକଙ୍କ ପାଇଁ ହଜମ ହୋଇନାହିଁ । ଏମିତିରେ ବିକ୍ରମ ଆରୁଖଙ୍କ କାର୍ଯ୍ୟକଳାପରେ ଅନେକ ସନ୍ତୁଷ୍ଟ ନାହାନ୍ତି ।
ମୋଟାମୋଟି ଭାବେ ନବୀନଙ୍କର ଏହି ନବକଳେବରକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି । ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ଯୁବମନ୍ତ୍ରୀଙ୍କ ଅସନ୍ତୋଷ ସାଙ୍ଗରେ ଅନେକ ବରିଷ୍ଠ ନେତାଙ୍କ ଅସନ୍ତୋଷ ଯୋଡି ହୋଇଯାଇଛି । ନୂଆ ମନ୍ତ୍ରୀମଣ୍ଡଳକୁ ସେମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି । ବରଂ ଏହା ସେମାନଙ୍କ ଅସନ୍ତୋଷର ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି । ସତ କହିବାକୁ ଗଲେ ସାଧାରଣ ଲୋକେ ମଧ୍ୟ ନବୀନଙ୍କ ଏହି ନୂଆ ମନ୍ତ୍ରୀମଣ୍ଡଳକୁ ପସନ୍ଦ କରିନାହାନ୍ତି । ବିଜେଡ଼ି ପାଇଁ ଆଗକୁ ଏହା କିଭଳି ପ୍ରଭାବୀ ହେବ ତାହା କେବଳ ଦେଖିବାର କଥା ।