ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟାଣ ଖରା ଓ ଗୁଳୁଗୁଳିରେ ଭାଷଣ ଦେଇ ଥରିଲେ । କାଶିଲେ । ଆଉ ସୁରକ୍ଷା କର୍ମୀଙ୍କ ସହାୟତରେ ଥକ୍ ମାରି ବସିଗଲେ । ସ୍ୱାଧୀନତା ଦିବସ ଉତ୍ସବରେ ଏହି ଦୃଶ୍ୟକୁ ସବୁ ଟିଭି ଲାଇଭ୍ କରୁଥିଲେ । ହେଲେ ସେ ଲାଇଭ୍ ସରିଲାନି । ମୁଖ୍ୟମନ୍ତ୍ରୀ ନବୀନ ନିବାସ ଫେରିଗଲା ପରେ ବି ସେଠାରୁ ଚାଲିଲା ଲାଇଭ୍ । ମୁଖ୍ୟମନ୍ତ୍ରୀ ଅସୁସ୍ଥ ବୋଲି ନାଲି ନାଲି ମୋଟା ଅକ୍ଷରରେ ସ୍କ୍ରିନ୍ ଫଟା ବ୍ରେକିଂ ଖବର ଚାଲିଲା । କିଏ ଅଧିକ ସ୍କୋର କରିବ ଦୁଇ ପ୍ରମୁଖ ଟିଭି ମଧ୍ୟରେ ଚାଲିଲା ପ୍ରତିଯୋଗିତା ।ନ୍ୟୁଜ୍ ରୁମ୍ ଓ ନବୀନ ନିବାସ ଲାଇଭ୍ ଲୋକଙ୍କୁ ଛାନିଆଁ କରିଦେଲା । ଏକ ନମ୍ବର ଟିଭିକୁ ଟକ୍କର ଦେବାକୁ ଠିକା ଟିଭି କଲା ଅଧଘଣ୍ଟିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ନାଁ ରଖିଲା ‘ମୁଖ୍ୟମନ୍ତ୍ରୀ ହଠାତ୍ ଅସୁସ୍ଥ’ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କମ୍ପିଲା ଟିଭି ପରଦା । କଳ୍ପନା ଜଳ୍ପନା ଓ ନିଜ ନିଜ ଭିତରେ ଝାଳନାଳ ଓ ଧାଁ ଧପଡରେ ଚାଲିଲା ଲାଇଭ୍ ସୋ ।
ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ ଓ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ସ୍ପଷ୍ଟୀକରଣ ଦେଲା ପରେ ବି ବିଶ୍ୱାସ ହେଲାନି । ଅନୁମାନର ବାଜି ଲାଗିଲା । ହେଲେ ସେମାନଙ୍କ ଦୁର୍ଭାଗ୍ୟକୁ ବେଶୀ ସମୟ ତାହା ଚାଲିପାରିଲାନି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରିଲେ ପୁଲିସ ପଦକ ଦେବାକୁ । ସେଠି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ହସିଦେଲେ । କହିଲେ ମୁଁ ଠିକ୍ ଅଛି । ମୁଖ୍ୟମନ୍ତ୍ରୀ ଯେ ପୂରା ଫିଟ୍ ଅଛନ୍ତି ତାହା ଖାଲି କହିଲେନି । ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଫିଟନେସ୍ ଦେଖାଇଲେ । ମୁଖ୍ୟମନ୍ତ୍ରୀଙ୍କ ଢ଼ଙ୍ଗଢ଼ାଙ୍ଗ ଓ ନିଜ ମୁହଁରୁ ଏକଥା ଶୁଣିଲା ପରେ ଫୁସକିଗଲା ଲାଇଭ୍ ସୋ । ଟିଭି ବ୍ରେକିଂ ଖବରରୁ ହଟିଗଲେ ମୁଖ୍ୟମନ୍ତ୍ରୀ ।
ସଂଧ୍ୟାର ପ୍ରମୁଖ ଖବରରେ ସ୍ୱାଭାବିକ ଭାବେ ଏହି ଖବରଟି ହେଡଲାଇନ୍ ହୋଇଥିଲେ ବି ଖବରରେ ମସଲା ଖୁନ୍ଦି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଭୂଗୋଳ, ଇତିହାସ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ମମତା ବାନାର୍ଜୀ, ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ କୁ ଠିକା ଟିଭି ହାଇଲାଇଟ୍ କଲା । ଲଜ୍ଜାର କଥା, ଏକ ନମ୍ବର ଟିଭିରେ ଏହି ଟୁଇଟ୍ ଖବର ସ୍ଥାନ ପାଇ ନ ଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପଡ଼ିଥିବା ଟୁଇଟ୍ ମାଷ୍ଟର ନିଜ ଟିଭିରେ ନିଜ ଟୁଇଟ୍ କୁ କାହିଁକି ସ୍ଥାନ ଦେଲେ ନାହିଁ ତାହା ଦର୍ଶକଙ୍କୁ ଅବୁଝା ରହିଗଲା ।
ଦୁଇ ପ୍ରମୁଖ ଟିଭିରେ ସକାଳର ଲାଇଭ୍ ସୋ ବିଜେପି କ୍ୟାମ୍ପର ମନଖୁସି କରିଦେଇଛି । ବିଜେପି ଭକ୍ତମାନେ ସୋସିଆଲ୍ ମିଡ଼ିଆରେ ନବୀନ ବନାମ ଧର୍ମେନ୍ଦ୍ର ସ୍ଲୋଗାନ୍ ଆରମ୍ଭ କରିଛନ୍ତି । ଇଲ୍ ଲିଡର୍ ବନାମ ୟଙ୍ଗ୍ ଆଣ୍ଡ ଡାଇନାମିକ ଲିଡର୍ ବ୍ୟାନର୍ ଲେଖି ଓଡ଼ିଶାବାସୀଙ୍କ ଚଏସ୍ ମାଗିଛନ୍ତି ।