ଭୁବନେଶ୍ୱର: କାଲି ସମ୍ବଲପୁରରେ କହିଥିଲେ ‘ପଶ୍ଚିମ ଓଡ଼ିଶାବାସୀ ଚାହିଁଲେ ମୁଁ ଏହି ମାଟିର ସେବା କରିବି’ । ଆଜି ଟୁଇଟ୍ କରିଛନ୍ତି, ‘ମୁଁ କେଉଁଠୁ ଇଲେକ୍ସନ୍ ଲଢ଼ିବି ତାହା ପାର୍ଟି ଓ ଜନସାଧାରଣଙ୍କ ଉପରେ ନିର୍ଭର କରିବ । କିଛି ଲୋକ ମୋ ମନ୍ତବ୍ୟର ଭୁଲ୍ ଅବତାରଣା କରିଛନ୍ତି । ସମ୍ବଲପୁରରୁ ନିର୍ବାଚନ ଲଢ଼ିବା ମୋର ଉଦ୍ଦେଶ୍ୟ ବୋଲି କହୁଛନ୍ତି । ମାତ୍ର ଏହା ମୁଁ କହିନାହିଁ’ । ସ୍ଥଳବିଶେଷରେ ବୈଜୟନ୍ତ ‘ଜୟ’ ଙ୍କର ଏହି ଦୁଇଟି କଥାର ବ୍ୟାକରଣକୁ ନେଇ ରାଜନୈତିକ ମହଲ ଦ୍ୱନ୍ଦରେ ପଡ଼ିଛନ୍ତି । ନିଜର ରାଜନୈତିକ ଭବିଷ୍ୟତକୁ ନେଇ ସତରେ ବୈଜୟନ୍ତ କେତେ ଦ୍ୱନ୍ଦରେ ତାହା ସ୍ପଷ୍ଟ ବାରିହୋଇପଡ଼ିଛି ।
ଗତକାଲି ସମ୍ବଲପୁର ପ୍ରେସ୍ କ୍ଲବ୍ ରେ ବୈଜୟନ୍ତ ଯାହା କହିଥିଲେ ତାହା ଅତ୍ୟନ୍ତ ସ୍ପଷ୍ଟ ଥିଲା । ମାମୁଁଘର ପ୍ରତି ତାଙ୍କର ଦୁର୍ବଳତା ଅଛି ଏବଂ ମାମୁଁଘରୁ ବହୁତ ସ୍ନେହ ପାଆନ୍ତି ବୋଲି ଦର୍ଶାଇ ସୁଯୋଗ ମିଳିଲେ ସେଠିକା ଲୋକଙ୍କ ସେବା କରିବେ ବୋଲି କହିଥିଲେ । ତାଙ୍କ ବକ୍ତବ୍ୟରେ ସେ ଅବିଭକ୍ତ ସମ୍ବଲପୁରରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ରଖିଥିବା ସଙ୍କେତ ଦେଇଥିଲେ ଯାହା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଏହି ଚର୍ଚ୍ଚାରେ ଭୁଲ୍ କେଉଁଠି ? ବୈଜୟନ୍ତଙ୍କୁ ଏହା ଅଡୁଆ ହେଲା କାହିଁକି ? ଆଜି କେନ୍ଦ୍ରାପଡ଼ା ଲୋକଙ୍କ ସ୍ନେହ ଶ୍ରଦ୍ଧା କଥା କହି ସେ ପୁଣି କ’ଣ କହିବାକୁ ଚାହୁଁଛନ୍ତି ? ଗତକାଲି ସମ୍ବଲପୁରରେ ରଖିଥିବା ବକ୍ତବ୍ୟରୁ ଏହା ବୈଜୟନ୍ତଙ୍କର ୟୁ ଟର୍ଣ୍ଣ ନୁହେଁ କି ବୋଲି ରାଜନୈତିକ ମାହୋଲରେ ଗରମ ଚର୍ଚ୍ଚା ।
ବୈଜୟନ୍ତ ତାଙ୍କ ଟୁଇଟ୍ ରେ ଭଲକଥା ପଦେ ଯୋଡିଛନ୍ତି । ‘ଦଳ’ ଯେଉଁଠୁ ଚାହିଁବ ସେ ଲଢ଼ିବେ ବୋଲି କହିଛନ୍ତି । ତେବେ ଖୋଦ୍ ବିଜେଡ଼ି ଶିବିରର ଚର୍ଚ୍ଚା ଅନୁଯାୟୀ, ବୈଜୟନ୍ତଙ୍କର ଏବେ ଦଳ ନାହିଁ । ବିଜେଡ଼ି ଟିକେଟରେ ସାଂସଦ ହୋଇଥିଲେ ମଧ୍ୟ ଖଣ୍ଡିଆ ଭୂତ ପାଲଟିଛନ୍ତି । ଦଳ ଓ ଦଳୀୟ କାର୍ଯ୍ୟକ୍ରମ ସହ ତାଙ୍କର ଆଉ ସମ୍ପର୍କ ନାହିଁ । ତେଣୁ ନିଜକୁ ବିଜେଡ଼ି ସାଂସଦ କହି ଖାଲି ଯାହା ମନ ବୁଝେଇବା କଥା । ବାସ୍ତବରେ ବୈଜୟନ୍ତ ଏବେ ଆଇଡେଣ୍ଟି କ୍ରାଇସିସ୍ ରେ ପଡ଼ିଥିବା ଖୋଦ୍ ତାଙ୍କର ଅନୁଗତମାନେ ଆଶଙ୍କା କରୁଛନ୍ତି । ଏବେ ସେ କେଉଁ ଦଳରୁ ନିର୍ବାଚନ ଲଢ଼ିବା କଥା କହୁଛନ୍ତି ତାହା ସମସ୍ତଙ୍କୁ ଜଣା ବୋଲି ବିଜେଡ଼ିର ଜଣେ ବରିଷ୍ଠ ନେତା କହିଛନ୍ତି ।
ଏହା ସତ ଯେ ବୈଜୟନ୍ତଙ୍କ କଥା, ଟୁଇଟ୍, ଆଚାରଢ଼ଙ୍ଗରୁ ତାଙ୍କ ମନର ଦ୍ୱନ୍ଦ ବାରିହୋଇପଡ଼ୁଛି । ନିଜର ରାଜନୈତିକ ଭବିଷ୍ୟତକୁ ନେଇ ସେ ଏବେ ପ୍ରବଳ ସନ୍ଦିହାନ । ବିଜେଡ଼ିରୁ ତାଙ୍କର ବିଦାୟ ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ବିଜେପି ଏଣ୍ଟ୍ରି ପାଇଁ ମୂଲଚାଲ ଛିଣ୍ଡିପାରୁନି । ବିଜେପି ମହଲର ଚର୍ଚ୍ଚା ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବାଟ ଜଗିଛନ୍ତି । ଦିଲ୍ଲୀ ପ୍ରେସର୍ ବି ଏଯାଏଁ କାମଦେଉନି । ଆଗକୁ ଅବଶ୍ୟ ତାଙ୍କର ଏଣ୍ଟ୍ରି ହୋଇଯିବ ବୋଲି ବିଜେପି ତୁଙ୍ଗନେତାମାନେ ଅନୁମାନ ଲଗାଇଛନ୍ତି । ତେବେ ଏଠାକୁ ଆସିଲେ ବୈଜୟନ୍ତଙ୍କ କାଟତି ଯେ ପୂର୍ବଭଳି ରହିବ ସେହି ଆଶା ନାହିଁ । ଧର୍ମେନ୍ଦ୍ରଙ୍କ ଛାଇ ତଳେ ସେ ଯେ ଉଧେଇପାରିବେ ଏହି ବିଶ୍ୱାସ ସେମାନଙ୍କ ନାହିଁ ।
ବୈଜୟନ୍ତ ଏହା ଠିକ୍ ଜାଣିଥିବାରୁ ତାଙ୍କ ମନର ଦ୍ୱନ୍ଦ ବଢ଼ିଚାଲିଛି । କ’ଣ କରିବେ ? ବିଜେପିକୁ ଯିବେ ନା ନାହିଁ ? ନଗଲେ ବାଟ ବା କ’ଣ ? ଗଲେ କେଉଁଠୁ ଟିକେଟ୍ ମିଳିବ ? କେନ୍ଦ୍ରାପଡ଼ା ନା ବରଗଡ଼,ସମ୍ବଲପୁର ? ପଶ୍ଚିମ ଓଡ଼ିଶା କଥା କହିଲେ କେନ୍ଦ୍ରାପଡ଼ା ଲୋକ ଖରାପ ଭାବୁଛନ୍ତି । କେନ୍ଦ୍ରାପଡ଼ାକୁ ଜଗିବସିଲେ କେଉଁ କୂଳକୁ ହେବେନି । ସମ୍ଭବତଃ ଏୟା ଭାବି ଭାବି ତାଙ୍କ ମାନସିକ ସ୍ଥିତି ବିଗିଡ଼ିଯାଇଛି ବୋଲି ନବୀନଭକ୍ତମାନେ ଟାହିଟାପରା କରିଛନ୍ତି ।