ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡ଼ି ପ୍ରାର୍ଥୀ ଘୋଷଣା ହେବା ପରେ ବିଜେପୁର ବିଜେଡ଼ି ଶିବିର କମ୍ପମାନ ହୋଇଛି । ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନୀ ଛୁରିଆ ଗୋଷ୍ଠୀ ମଧ୍ୟରେ ଲାଗିଛି ଛକାପଂଝା । ଛୁରିଆଙ୍କ ଖାସ୍ ପ୍ରଭାତ ଆଦିତ୍ୟ ମିଶ୍ର ବିଦ୍ରୋହର ସଙ୍କେତ ଦେଇଥିବା ବେଳେ ଅପରଗୋଷ୍ଠୀ ତାଙ୍କୁ ଚେକ୍ ଦେବା ଯୋଜନା କରୁଛନ୍ତି । ସେପଟେ ବିଜେଡ଼ି କଳିରୁ ଫାଇଦା ନେବାକୁ ଚାଲ୍ ଖେଳିଛନ୍ତି ନିଲମ୍ବିତ ନେତା ଅଶୋକ ପାଣିଗ୍ରାହୀ । ନବୀନଙ୍କୁ ଚିଠି ଲେଖି କଡ଼ା ସମାଲୋଚନା କରିବା ସହ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିହାଇବା ପାଇଁ ଗୁଗୁଲି ଛାଡ଼ିଛନ୍ତି । ଗତ ନିର୍ବାଚନରେ ସେ ସ୍ୱାଧୀନ(ବିଜେଡ଼ି ବିଦ୍ରୋହୀ) ପ୍ରାର୍ଥୀ ଥିଲେ ମଧ୍ୟ ତାଙ୍କ ପ୍ରତି ନବୀନଙ୍କର ସମର୍ଥନ ଥିବା ଉଲ୍ଲେଖ କରି ପ୍ରସନ୍ନଙ୍କ ମନରେ ବିଷ ଛାଡ଼ିଛନ୍ତି ।
ବରଗଡ଼ ଜିଲ୍ଲାରେ ବିଜେଡ଼ି ମୁଖ୍ୟତଃ ଚାରିଗୋଷ୍ଠୀ ଦ୍ୱାରା କବଳିତ । ଆଚାର୍ଯ୍ୟ ପରିବାର, ବିଜୟରଂଜନ ସିଂ ବରିହା, ସୁଶାନ୍ତ ସିଂ ଓ ସ୍ନେହାଙ୍ଗୀନ ଛୁରିଆଙ୍କର ଜିଲ୍ଲାରେ ସମାନ୍ତରାଳ ରାଜ୍ । ସମସ୍ତେ ଗୋଟେ ଗୋଟେ ମୁଣ୍ଡି, ପାୱାର ସେଣ୍ଟର । ତେବେ ବିଜେପୁରରେ ଆଚାର୍ଯ୍ୟ ପରିବାର ଓ ସୁଶାନ୍ତ ସିଂଙ୍କର ଦବଦବା ଅଧିକ । ବିଜେପୁର ଉପନିର୍ବାଚନରେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ନେହାଙ୍ଗିନୀ ଛୁରିଆ ଚାହିଁଥିଲା ବେଳେ ସୁଶାନ୍ତ ସିଂ କିନ୍ତୁ ସୁବଳ ସାହୁଙ୍କ ପରିବାର ଆଡେ ଆଖି ପକାଇଥିଲେ । ସୁବଳଙ୍କ ମୃତ୍ୟୁ ପରେ ଅନୁକମ୍ପା ଭୋଟ ହାସଲ ଲକ୍ଷ୍ୟରେ ତାଙ୍କ ପରିବାରକୁ ବିଜେଡ଼ିରେ ମିଶାଇବା ଯୋଜନା ପାୱାରଫୁଲ୍ ପ୍ରଣବ ପ୍ରକାଶ(ବବି)-ସୁଶାନ୍ତଙ୍କ ଯୋଡିରୁ ଆରମ୍ଭ ହୋଇଥିଲା । ବିଜେପିକୁ ମାତ୍ ଦେଇ ସେମାନେ ଯୋଜନାରେ ସଫଳ ହୋଇଛନ୍ତି । ତେବେ ଏହି ମିସନ୍ ରେ ସେମାନେ ବିଜେପୁର ବିଜେଡ଼ି ନେତାଙ୍କୁ ସାମିଲ କରିନାହାନ୍ତି କି କାହାରି ସହ କଥା ହୋଇନାହାନ୍ତି ବୋଲି ଅଭିଯୋଗ ହେଉଛି । ପ୍ରଭାତ ଆଦିତ୍ୟ ମିଶ୍ର ଏଥିରେ ବେଶୀ ଉତକ୍ଷିପ୍ତ ହୋଇଛନ୍ତି । ଉପନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ପାଗ ଭିଡ଼ିଥିଲା ବେଳେ ସୁବଳଙ୍କ ପରିବାରର ଏଣ୍ଟ୍ରି କୁ ସେ ସହ୍ୟ କରିନାହାନ୍ତି । ନିଜ ସମର୍ଥକଙ୍କୁ ଧରି ବିଦ୍ରୋହ ଡାକରା ଦେଇଛନ୍ତି । ତେବେ ଦଳର ବରିଷ୍ଠ ନେତାମାନେ ଏହାକୁ ଗୁରୁତ୍ୱ ଦେଇନାହାନ୍ତି । ପ୍ରଭାତଙ୍କୁ ମନେଇବାରେ ଅସୁବିଧା ନାହିଁ ବୋଲି ସେମାନେ କହିଛନ୍ତି ।
ସେପଟେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି । ଗତ ନିର୍ବାଚନରେ ବିଜେଡ଼ି ତାଙ୍କୁ ପ୍ରାର୍ଥୀ ନ କରିବାରୁ ସେ ସ୍ୱାଧୀନ ଭାବେ ଲଢ଼ି ୧୮ ହଜାର ଭୋଟ ପାଇଥିଲେ । ସଂଗଠନରେ ଏହା ତାଙ୍କର ଦବଦବା ଦେଖାଇଥିଲା । ବିଜେଡ଼ିରୁ ସେ ନିଲମ୍ବିତ ହୋଇଥିଲେ ମଧ୍ୟ ଉପନିର୍ବାଚନରେ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆଜି ସୁପ୍ରିମୋଙ୍କୁ ଚିଠି ଲେଖିଛନ୍ତି । ସୁବଳଙ୍କ ପରିବାର ଲୋକଙ୍କୁ ବିଜେଡ଼ି ପ୍ରାର୍ଥୀ କରିବା ସମଗ୍ର ନିର୍ବାଚନମଣ୍ଡଳୀର ବିଜୁପ୍ରେମୀଙ୍କୁ ଆଘାତ ଦେଇଛି । ଏହା ବିରୋଧରେ ସଂଗ୍ରାମ ଆଗକୁ ବଢ଼ାଇବାକୁ ସେ ସଂକଳ୍ପ ନେଇଛନ୍ତି । ଚିଠିରେ ବିଜୁଙ୍କ ନାଁ ନେଇ ଅଶୋକ ପାଣିଗ୍ରାହୀ ନବୀନଙ୍କୁ ବ୍ଲାକମେଲିଂ କରିଥିବା ବେଳେ ଦଳକୁ ଫଟାଇବା ଯୋଜନା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଅଶୋକ ବିଜେପିରେ ଯୋଗଦେଉଥିବା ନେଇ ବହୁ ପୂର୍ବରୁ ଚର୍ଚ୍ଚା ହେଉଛି । ବିଜେପି ତାଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରୁଥିବା କୁଆଡେ ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି । ତେବେ ଏତିକିବେଳେ ଅଶୋକ ନିଜକୁ ବିଜୁ ଓ ବିଜେଡ଼ିପ୍ରେମୀ ଦେଖାଇ ଚିଠି ଲେଖିବା ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ, ଗତ ନିର୍ବାଚନରେ ବିଜେପୁରରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇବା ପାଇଁ ଖୋଦ୍ ନବୀନ ପରୋକ୍ଷରେ ସମର୍ଥନ କରୁଥିବା କହି ସେ ବିଜେଡ଼ିରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ଦଳର ହାଇ ପ୍ରୋଫାଇଲ୍ ସାଂସଦଙ୍କ ଇଙ୍ଗିତ ଓ ଆର୍ଶିବାଦରେ ଅଶୋକ ଘରଭଙ୍ଗା ଚାଲ୍ ଖେଳିଥିବା ଜଣେ ପୂର୍ବତନ ମନ୍ତ୍ରୀ କହିଛନ୍ତି ।
ସେ ଯାହା ହେଉ, ବିଜେପୁରରେ ବିଜେଡ଼ିର ଅର୍ନ୍ତଦ୍ୱନ୍ଦ ଆଜିକାର ନୁହେଁ, ବହୁ ପୁରୁଣା ରୋଗ । ବିଭିନ୍ନ ଗୋଷ୍ଠୀର ନେତାମାନେ ନିଜର ପତିଆରା ରଖିବା ଖେଳ ଖେଳି କଂଗ୍ରେସର ସୁବଳ ସାହୁଙ୍କୁ କ୍ରମାଗତ ତିନିଥର ଧରି ବାଜି ଜିତାଇଛନ୍ତି । ତେଣୁ ନବୀନଙ୍କ ପାଇଁ ଦଳୀୟ ଅର୍ନ୍ତଦ୍ୱନ୍ଦ ନୂଆ ହୋଇ ନ ଥିବାରୁ ଉପନିର୍ବାଚନ ପ୍ରାର୍ଥୀତ୍ୱକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ କମ୍ ଚିନ୍ତାର ବିଷୟ ହୋଇଛି । ବରଂ ଦଳର ବିଭୀଷଣଙ୍କ ଚାଲ୍ ଏବଂ ବିଜେପିର ପ୍ରାର୍ଦୁଭାବ ତାଙ୍କୁ ଅଧିକ ଚିନ୍ତାରେ ପକାଇଛି । ସୁବଳଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟରେ ଜିତାପଟ୍ ତାଙ୍କ ପାଇଁ ଏତେ ସହଜ ନୁହେଁ ବୋଲି କୁହାଯାଉଛି ।