ଭୁବନେଶ୍ୱର: ବିନା ବିଜ୍ଞପ୍ତି, ବିନା ରିଲିଜ୍ ଅର୍ଡରରେ ବସିଗଲା ୧୫ ଲକ୍ଷ ଟଙ୍କାର ବିଜ୍ଞାପନ । ଅଫିସ୍ ରେ ବିଲ୍ ଦାଖଲ ହେଲା । ତଳିଆ ଅଫିସରଙ୍କ ଆପତ୍ତିକୁ ନିର୍ଦ୍ଦେଶକ ନାଲି ଆଖି ଦେଖାଇଲେ । ଆଉ ଶେଷରେ ଏହି ବେଆଇନ କାର୍ଯ୍ୟକୁ ଆଇନର ମୋହର ଲଗାଇ ବିଲ୍ ପାସ୍ କରାଇଲେ ନିର୍ଦ୍ଦେଶକ । ସରକାର ବି ତାହାକୁ ସ୍ୱୀକୃତି ଦେଲେ ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଚାଲିଥିବା ଦୁର୍ନୀତି ଓ ବେଆଇନ କାର୍ଯ୍ୟର ଇଏ ଆଉ ଏକ ବଡ଼ ଅଧ୍ୟାୟ । ଇଂରାଜୀ ନିଉଜ ପୋର୍ଟାଲ୍ ‘ଓମକମ୍’ କୁ ଅନୁଗ୍ରହ ଓଜାଡ଼ିବା ପାଇଁ ବିଭାଗର ନିର୍ଦ୍ଦେଶକ ଓ ବାବୁମାନେ ନୀତି ଅନୀତି ଦେଖିନାହାନ୍ତି । ବେଆଇନ କାର୍ଯ୍ୟକୁ ଆଇନସିଦ୍ଧ କରାଇବାକୁ ଝାଳନାଳ ଗଡ଼ାଇ ଦେଇଛନ୍ତି । ବିନା କାଗଜପତ୍ରରେ ସେହି ପୋର୍ଟାଲ୍ ରେ ବସିଥିବା ବିଜ୍ଞାପନ ବାବଦକୁ ୧୫ ଲକ୍ଷ ଟଙ୍କା ବିଲ୍ ଆଜି ପାସ୍ ହୋଇଯାଇଛି । ନିକଟରେ ସେହି ସଂସ୍ଥା ବିନା ବେସ୍ ପେପରରେ ‘ଆମ ଗାଁ ଆମ ବିକାଶ’ର ଡକ୍ୟୁମେଣ୍ଟାରି କରି ୪୦ ଲକ୍ଷ ଚଳୁ କରିଥିଲା ବେଳେ ୪୬ ଲକ୍ଷ ଟଙ୍କାର ଆଉ ଏକ ବିଲ୍ ଦାଖଲ କରିଛି । ଏହି ସଂସ୍ଥା ପାଇଁ ସତେ ଯେମିତି ସରକାରୀ ଭଣ୍ଡାର ଖୋଲି ଯାଇଛି । ବିଲ୍ ଆସିଲାମାତ୍ରେ ତାକୁ ପାସ୍ କରାଇବାକୁ ନିର୍ଦ୍ଦେଶକଙ୍କ ଆଖିରୁ ନିଦ ହଜିଯାଉଛି ।
ନିଉଜ୍ ୱେବ୍ ପୋର୍ଟାଲ୍ ପାଇଁ ସରକାରଙ୍କ ବିଜ୍ଞାପନ ନୀତି ଆସିବା ପରେ ‘ଓମକମ୍’ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ କିଭଳି ଫାଇଦା ନେଉଛି ତାହା ବିଭାଗରେ ଚର୍ଚ୍ଚାର ବିଷୟ ହୋଇଛି । କାଟାଗୋରି ‘ଏ’ ପାଇଁ ବିଜ୍ଞାପନ ଦର ଗତ ମାର୍ଚ୍ଚ ୨୧ ତାରିଖରେ ସରକାରଙ୍କ ଅନୁମୋଦନ ପାଇଲା । ସେହି ୨୬ ତାରିଖରେ ଓମକମ୍ ସମେତ ଆଉ ଦୁଇଟି ସଂସ୍ଥାକୁ ‘ଏ’ କାଟାଗୋରି ନିମିତ୍ତ ମନୋନୀତ କରାଗଲା । ତାହାର ସରକାରୀ ବିଜ୍ଞପ୍ତି ଏ ଯାଏଁ ବି ପ୍ରକାଶ ପାଇନାହିଁ । ତେବେ ବିଜ୍ଞପ୍ତି ପ୍ରକାଶ ନ ହେଉଣୁ ଗତ ଏପ୍ରିଲ୍ ୩ ତାରିଖରେ ପ୍ରଥମ ଥର ପାଇଁ ଓମକମ୍ ବସାଇଲା ସରକାରୀ ବିଜ୍ଞାପନ । ତାହା ପୁଣି ବିନା ରିଲିଜ୍ ଅର୍ଡରରେ । ଅର୍ଥାତ୍ କୌଣସି ନିର୍ଦ୍ଦେଶାନାମା ନ ଥାଇ ‘ଓମକମ୍’ ମନକୁ ମନ ବସାଇଲା ସରକାରୀ ବିଜ୍ଞାପନ । ବହିନି କଲା ସାଢ଼େ ୬ ଲକ୍ଷରୁ । ଦୁଇ ମାସ ଭିତରେ ୧୫ ଲକ୍ଷ ଟଙ୍କାର ବିଜ୍ଞାପନ ବସାଇଲା ।
‘ଓମକମ୍’ ବିନା ରିଲିଜ୍ ଅର୍ଡରରେ ମନଇଚ୍ଛା ବିଜ୍ଞାପନ ବସାଇ ୧୫ ଲକ୍ଷ ଟଙ୍କାର ବିଲ୍ ଦାଖଲ କରିବା ଏବଂ ତାହାକୁ ପାସ୍ କରାଇବା ପାଇଁ ଖୋଦ୍ ନିର୍ଦ୍ଦେଶକ ଅଣ୍ଟା ଭିଡ଼ିବା ବିଭାଗୀୟ କର୍ମଚାରୀଙ୍କୁ ବିସ୍ମିତ କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏ ସମ୍ପର୍କିତ ଫାଇଲ୍ ଉପରେ ତଳୁ ଆପତ୍ତି ଉଠିଥିଲେ ମଧ୍ୟ ନିର୍ଦ୍ଦେଶକ କିଛି ଶୁଣି ନ ଥିଲେ । ଓଲଟି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ କଥା ଭୁଲି ଓମକମ୍ ବାବୁଙ୍କ ପାଇଁ ବ୍ୟଗ୍ର ହୋଇପଡ଼ିଥିଲେ । ଗଳାବାଟ ଖୋଜି ଆଜି ଶେଷରେ ଫାଇଲ୍ କୁ ପାସ୍ କରାଇଛନ୍ତି ।
ଗୁରୁତର କଥାଟି ହେଲା, ବିଜ୍ଞାପନ ଦର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଦିନକୁ ଓମକମ୍ ର ଏନପ୍ୟାନେଲ ଦିନ ଭାବେ ଗଣତି କରାଯାଇଛି ଏବଂ ମେଲ୍ ରେ ଓମକମ୍ କୁ ଆସିଥିବା ସରକାରୀ ବିଜ୍ଞାପନ( କିଏ କେମିତି ପଠାଇଥିଲା ତାହା ସନ୍ଦେହରେ) କୁ ରିଲିଜ୍ ଅର୍ଡରର ସ୍ୱୀକୃତି ଦିଆଯାଇଛି । ନିଜେ ନିର୍ଦ୍ଦେଶକ ହାତକାଟି ଫାଇଲ୍ ରେ ଏହା ଲେଖିଦେଇଛନ୍ତି । ଓମକମ୍ ର ୧୫ ଲକ୍ଷ ଟଙ୍କା ବିଲ୍ ପାସ୍ କରାଇବାକୁ ନିର୍ଦ୍ଦେଶକ ଯଥେଷ୍ଟ ବୁଦ୍ଧି ଖଟାଇଛନ୍ତି ।
ପ୍ରଶ୍ନ ଉଠୁଛି, ଯଦି ‘ଓମକମ୍’ ପାଇଁ ଏହି ନୀତି ତେବେ ଅନ୍ୟ ୱେବପୋର୍ଟାଲ୍ ପାଇଁ ନିର୍ଦ୍ଦେଶକ ସମାନ ନୀତି ଗ୍ରହଣ କରିବେ ତ ? ବିନା ବିଜ୍ଞପ୍ତିରେ ୱେବପୋର୍ଟାଲ୍ କୁ ଏନପ୍ୟାନେଲ୍ ମାନ୍ୟତା ମିଳିବ ତ ? ବିଜ୍ଞାପନ ପ୍ରେରିତ ଇ-ମେଲ୍ କୁ ରିଲିଜ୍ ଅର୍ଡର ବିବେଚନା କରାଯିବ ତ ? ଯିଏ ଯେଉଁ ସରକାରୀ ବିଜ୍ଞାପନ ପାଇଲା ତାକୁ ନିଜର ୱେବସାଇଟ୍ ରେ ବସାଇ ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଲ୍ ପୈଠ କରିପାରିବେ ତ ?
କେବଳ ବିଜ୍ଞାପନ ବସାଇ ଟଙ୍କା ଅସୁଲ୍ ନୁହେଁ, ବିନା ଆଦେଶରେ ସରକାରୀ ଡକ୍ୟୁମେଣ୍ଟାରି କାମ କରି ମୋଟା ଟଙ୍କା ଅସୁଲ କରୁଥିବା ‘ଓମକମ୍’ ମୁଖ୍ୟଙ୍କ ଉପରେ କେବଳ ନିର୍ଦ୍ଦେଶକଙ୍କ ଆର୍ଶିବାଦ ଯେ ରହିଛି ତାହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ତାଙ୍କ ପଛରେ ଆହୁରି ବଡ଼ବଡ଼ିଆଙ୍କ ଆର୍ଶିବାଦ ରହିଥିବା ବିଭାଗଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ଏହା ବିରୋଧରେ ସାମ୍ବାଦିକ ମହଲରେ ବି ସ୍ୱର ଉଠିଲାଣି । ସରକାରୀ ଅର୍ଥକୁ ଅଫିସରଙ୍କ ସହାୟତାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନେ କିଭଳି ହରିଲୁଟ୍ କରୁଛନ୍ତି ତାହା ଏହି ଘଟଣା ଆହୁରି ସ୍ପଷ୍ଟ କରିଛି । ଏହି ବେଆଇନ କାର୍ଯ୍ୟ ବିରୋଧରେ ଆଇନର ଆଶ୍ରୟ ନେବାକୁ କିଛି ସଂଗଠନ ବିଚାରବିମର୍ଷ ଆରମ୍ଭ କରିଛନ୍ତି ।