ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର ହେବ ରାଜ୍ୟ ପ୍ରଶାସନର ପ୍ରାଣବିନ୍ଦୁ । କୌଣସି ଫାଇଲ୍ ସରକାରଙ୍କ ଦପ୍ତରରେ ପଡ଼ିବ ନାହିଁ । ରକେଟ ଗତିରେ ଫାଇଲ ମୁଭମେଣ୍ଟ(ଗତି) କରିବ । ଯାହାଦ୍ୱାରା ସରକାରୀ କାର୍ଯ୍ୟ ଗତିଶୀଳ ହେବ । ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ । ଗମନାଗମନ, ରାସ୍ତା ଓ ଶିଳ୍ପ ପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ୱିତ କରାଯିବ । କିଭଳି ସାଧାରଣ ଲୋକଙ୍କ ପାଖେ ସମସ୍ତ ସରକାରୀ ଯୋଜନା ପହଞ୍ଚିବ ସେ ନେଇ କାର୍ଯ୍ୟ କରିବି ।
ରାଜ୍ୟ ପ୍ରଶାସନର ମଙ୍ଗ ଧରିବା ପରେ ରାଜ୍ୟବାସୀଙ୍କୁ ଏହି ବିଶ୍ୱାସ ଓ ପ୍ରତିଶ୍ରୁତି ଦେଇଛନ୍ତି ଅସିତ୍ କୁମାର ତ୍ରିପାଠୀ । ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ନେତୃତ୍ୱରେ ରାଜ୍ୟ ପ୍ରଶାସନର ଆଭିମୁଖ୍ୟକୁ ସେ ଏଭଳି ବାକ୍ୟରେ ସ୍ପଷ୍ଟ କରିଛନ୍ତି ।
ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ ଆଧାର କରି ସମସ୍ତ ବିଭାଗରେ ଏକ ଚାର୍ଟର ପ୍ରସ୍ତୁତ ହୋଇଛି । ଏହି ଚାର୍ଟରକୁ ଅନୁସରଣ କରି କାର୍ଯ୍ୟ କରାଯିବ । ଏଥିରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।
ସେହିଭଳି ଉନ୍ନୟନ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । କହିଛନ୍ତି, ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଦିଆଯିବ । ସବୁ ଅଞ୍ଚଳରେ କିଭଳି ବିକାଶ ହୋଇପାରିବ ଗୁରୁତ୍ୱ ଦିଆଯିବ । କିଭଳି ନୂଆ ଯୋଜନା କରିହେବ ତାହା ମଧ୍ୟ ଦେଖାଯିବ ।
ଆଜି ଗୃହ ବିଭାଗର ଦାୟିତ୍ୱ ବି ସମ୍ଭାଳିଛନ୍ତି ସଞ୍ଜୀବ ଚୋପ୍ରା । ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଏବଂ କମୁ୍ୟନିଟି ପୋଲିସିଂ ଉପରେ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବା ଶ୍ରୀ ଚୋପ୍ରା ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର । ପୂର୍ବରୁ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ଏହି ନୂଆ ଦାୟିତ୍ୱ ପାଇଛନ୍ତି । ସେପଟେ ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।