ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମଧ୍ୟରାତ୍ରରେ ସେ ଆଖି ବୁଜି ଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା । ସଂକ୍ରମଣଜନିତ ଅସୁସ୍ଥତା ଯୋଗୁଁ ଗତ ୧ ତାରିଖରେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । କିମସ୍ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁରୁଙ୍କ ବିୟୋଗ ଖବର ସାମ୍ବାଦିକମହଲକୁ ସ୍ତବ୍ଧ କରିଦେଇଛି ।
‘ସମ୍ବାଦ’ ଖବରକାଗଜର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ରଣଜିତ ଗୁରୁ ଜଣେ ଅମାୟିକ ବ୍ୟକ୍ତିତ୍ୱ ଓ ଉଚ୍ଚକୋଟୀର ସାମ୍ବାଦିକ ଥିଲେ । ‘ସମ୍ବାଦ’ ରେ ତାଙ୍କର ନିୟମିତ ସ୍ତମ୍ଭ ‘ଅପ୍ରସଙ୍ଗ’ ବେଶ୍ ଚମତ୍କାର ଥିଲା । ଓଡ଼ିଶାର ସାମାଜିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ସେଥିରେ ତାଙ୍କର ସୁକ୍ଷ୍ମ ଅନୁଶୀଳନ ସବୁ ମହଲରେ ଚର୍ଚ୍ଚିତ ହେଉଥିଲା । ତାଙ୍କ ମୃତ୍ୟୁ ଓଡ଼ିଆ ସାମ୍ବାଦିକତା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ସମ୍ବଲପୁରରୁ ପ୍ରକାଶିତ ‘ହୀରାଖଣ୍ଡ’ ରେ ସାମ୍ବାଦିକତା ଆରମ୍ଭ କରିଥିବା ଶ୍ରୀ ଗୁରୁ ୧୯୮୪ ରେ ‘ସମ୍ବାଦ’ ରେ ଯୋଗଦେଇ ପରବର୍ତ୍ତୀ ସମୟରେ ସମ୍ବଲପୁର ଓ ରାଉରକେଲା ସଂସ୍କରଣର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଖାଲି ଜଣେ ଉଚ୍ଚକୋଟୀର ସାମ୍ବାଦିକ ନୁହେଁ, କଳା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା । କଲେଜ ଜୀବନରୁ ଆକାଶବାଣୀ ସମ୍ବଲପୁର ନାଟ୍ୟ ବିଭାଗର ଜଣେ ଏ- ଗ୍ରେଡ କଳାକାର ଥିଲେ ।
ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ମହଖଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଗୁରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ଓ ଏମଫିଲ୍ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ପତ୍ନୀ ସୁନୀତା ତ୍ରିପାଠୀ ଅଧ୍ୟାପିକା ଅଛନ୍ତି । ଏକମାତ୍ର ଝିଅ କ୍ରାନ୍ତି ଡାକ୍ତରୀ ପାଠ ପଢ଼ୁଛନ୍ତି ।