ଭୁୁବନେଶ୍ୱର: ପବନର ବେଗ ଅନୁସାରେ ପଙ୍ଗପାଳଙ୍କ ଗତିବିଧି ବଦଳୁଛି । ଛତିଶଗଡ଼ କୋରିଆ ଜିଲ୍ଲାରୁ ଏବେ ମଧ୍ୟପ୍ରଦେଶ ପଳାଇଛନ୍ତି । କେଉଁ ମୁହୁର୍ତ୍ତରେ ଓଡ଼ିଶାକୁ ପଶିପାରନ୍ତି । ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ଅଧିକ ।
ଏହା ହେଉଛି ରାଜ୍ୟ ସରକାରଙ୍କ ଆକଳନ । ପଙ୍ଗପାଳ ସ୍ଥିତି ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନେ ଏହା ଅବଗତ କରାଇଛନ୍ତି ।
ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷ୍ମ ନଜର ରଖାଯିବ । ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନା ସୃଷ୍ଟି କରାଯିବା ସହ ଆବଶ୍ୟକ ପଡ଼ିଲେ ଦମକଳ ଲଗାଇ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସ୍.କେ. ବଶିଷ୍ଟଙ୍କ ସୂଚନା ଅନୁଯାୟୀ, ପଙ୍ଗପାଳଙ୍କ ଓଡ଼ିଶା ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳ କପକ୍ଷେପ ନିଆଯାଇଛି । ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାକୁ ଆଲର୍ଟ କରାଯାଇଛି । ୧୫ ଲକ୍ଷ ଚାଷୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଅନ୍ୟ ରାଜ୍ୟ ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରାଯାଉଛି ।
ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଏକ କଣ୍ଟିଜେନ୍ସି ପ୍ଲାନ୍ ସହ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ରାଜ୍ୟର ସାଢ଼େ ୬ ଲକ୍ଷ ଚାଷୀଙ୍କୁ ହ୍ୱାଟସପ୍ ମେସେଜ ଏବଂ ୮ ଲକ୍ଷ ଚାଷୀଙ୍କୁ ଭଏସ୍ ମେସେଜ ପଠାଯିବାର ବ୍ୟବସ୍ଥା କରାଯାଇଛି । ବ୍ଲକ୍ ସ୍ତରୀୟ ଅଫିସରମାନଙ୍କୁ ଟ୍ରେନିଂ ସହ ମନିଟରିଂ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଛି । ଅଗ୍ନିଶମ ବିଭାଗ ସହ ସମନ୍ୱୟ ରଖି ବଡ଼ ସ୍ପ୍ରେୟର ପ୍ରସ୍ତୁତ ରଖାଯାଉଥିବା କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର ସୂଚନା ଦେଇଛନ୍ତି ।
ଉକ୍ତ ବୈଠକରେ ବିଭାଗୀୟ ଅଧିକାରମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓୟୁଏଟି କୁଳପତି ଏବଂ ଭାରତ ସରକାରଙ୍କ ସମନ୍ୱିତ ରୋଗପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀମାନେ ଉପସ୍ଥିତ ଥିଲେ ।