ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: “ମୁଁ ଶପଥ କରି କହୁଅଛି ଯେ, ମୋ ପଞ୍ଚାୟତରେ, କରୋନାକୁ ରୋକିବା ପାଇଁ, ମୋତେ ଦିଆଯାଇଥିବା ଦାୟିତ୍ୱ, ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବି । ଅନ୍ୟ ରାଜ୍ୟରୁ, ଗାଁ କୁ ଆସୁଥିବା ଲୋକମାନଙ୍କୁ, କ୍ୱାରେଣ୍ଟାଇନ୍ ରେ ରଖିବି ।
ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି । କରୋନାକୁ ରୋକିବା ପାଇଁ, ସରକାରଙ୍କ ସବୁ ପଦକ୍ଷେପକୁ, ମୋ ପଞ୍ଚାୟତର ଭାଇଭଉଣୀମାନଙ୍କ ମଙ୍ଗଳ ପାଇଁ, କଡ଼ାକଡ଼ି ଭାବରେ ପାଳନ କରିବି । ମୋ ପଞ୍ଚାୟତରେ, କରୋନାକୁ ପଶିବାକୁ ଦେବି ନାହିଁ ।”
କରୋନା ମୁକାବିଲାରେ ଜିଲ୍ଲାପାଳ କ୍ଷମତା ପାଇଥିବା ରାଜ୍ୟର ୬୭୯୮ ସରପଞ୍ଚଙ୍କୁ ଆଜି ଏହି ଶପଥପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଯୋଗେ ରାଜ୍ୟର ସବୁ ସରପଞ୍ଚଙ୍କୁ କରୋନା ମୁକାବିଲାର ଦାୟିତ୍ୱ ଓ କର୍ତ୍ତବ୍ୟ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନେ ଏହି ରୋଗ ବିଷୟରେ ଭଲ ଭାବରେ ଜାଣନ୍ତି । ଏହି ରୋଗର ମେଡ଼ିସିନ୍ ବା ଭ୍ୟାକସିନ୍ ଏ ପର୍ଯ୍ୟନ୍ତ ଆସିନାହିଁ । କେବଳ ସଚେତନତା ଓ ସାମାଜିକ ଦୂରତା ଦ୍ୱାରା ହିଁ ଆମେ ଏହାକୁ ରୋକିପାରିବା । ଆପଣମାନଙ୍କ ଦକ୍ଷତା ଉପରେ ମୋର ପୁରା ଭରସା ଅଛି । ଏଥିପାଇଁ ମୁଁ ଆପଣମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛି । ଆପଣମାନେ କଡ଼ା ରହିଲେ, କରୋନା ଗାଁରେ ପଶିପାରିବ ନାହିଁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ସଦର ବ୍ଲକ୍, କେନ୍ଦ୍ରାପଡ଼ା ସଦର ବ୍ଲକ୍, ଏରସମା ବ୍ଲକ୍, ସମ୍ବଲପୁରର ଧାନକଉଡ଼ା ବ୍ଲକ୍, ବରଗଡ଼ର ବର୍ଦୋଲ ଏବଂ ଭଦ୍ରକର ବାସୁଦେବପୁର ବ୍ଲକ୍ ର ବିଭିନ୍ନ ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । ପଞ୍ଚାୟତରେ ସେମାନଙ୍କ ପ୍ରସ୍ତୁତି କିଭଳି ଅଛି ସଂପୃକ୍ତ ସରପଞ୍ଚମାନଙ୍କଠାରୁ ପଚାରି ବୁଝିଥିଲେ ।
ଲକ୍ ଡାଉନ୍ ଖୋଲିବା ପରେ ବାହାରେ ଅଟକି ରହିଥିବା ଓଡ଼ିଆଙ୍କ ଜରିଆରେ କରୋନା ସଂକ୍ରମଣ ନ ବ୍ୟାପିବା ଲାଗି ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଆଜିର ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ମୁଖ୍ୟତଃ ସଚେତନ କରାଇଥିଲେ । ନିଜ ପଞ୍ଚାୟତରେ ବାହାର ରାଜ୍ୟ ଫେରନ୍ତାଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ପଞ୍ଚୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗାଁକୁ ଫେରିଥିବା ଏବଂ ଫେରିବାକୁ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ୍ ସରପଞ୍ଚମାନଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲା ବେଳେ ସରପଞ୍ଚମାନେ ବ୍ଲକ୍ ସ୍ତରରୁ ଭିଡ଼ିଓ କନଫରେନ୍ସିଂରେ ଯୋଡି ହୋଇଥିଲେ ।