ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥାଇ ପ୍ରଥମେ ଆପୋଲୋ ଓ ପରେ ସମ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କ ଅବସ୍ଥା ଜଟିଳ ହୋଇଥିଲା । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିଲେନି । ଆଜି ସକାଳ ପ୍ରାୟ ୬.୪୫ ମିନିଟ୍ ରେ ସେ ଆଖି ବୁଜି ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଦାମୋଦର ରାଉତ, ପୁତ୍ର ସମ୍ବିତ, ଝିଅ ପ୍ରୀତିନନ୍ଦା, ଲିପି, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ ।
ଦାମବାବୁଙ୍କ ପତ୍ନୀ ଭାବରେ ଯେତିକି, ଜଣେ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଭାବରେ ସ୍ନେହଲତା ମହାପାତ୍ରଙ୍କର ଯଥେଷ୍ଟ ପରିଚୟ ଥିଲା । ତିର୍ତ୍ତୋଲ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ସେ ଅବସର ନେଇଥିଲେ । ଦାମଙ୍କ ସଫଳ ରାଜନୈତିକ କ୍ୟାରିୟର୍ ପଛରେ ପତ୍ନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି ଦାମ । ମୃତ ଶରୀରକୁ ତିର୍ତ୍ତୋଲ୍ ନିଆଯାଇଛି ଏବଂ ସେଠାରୁ ପୁରୀ ଅଣାଯାଇ ସ୍ୱର୍ଗଦ୍ୱାରରେ ସତ୍କାର କରାଯିବ ।
ସ୍ନେହଲତାଙ୍କ ଅନ୍ତିମ ଦର୍ଶନ ପାଇଁ ଆଜି ସକାଳୁ ଦାମବାବୁଙ୍କ ସରକାରୀ ବାସଭବନରେ ପ୍ରବଳ ଭିଡ଼ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦାମବାବୁଙ୍କୁ ଆଶ୍ୱାସନା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବିଜେପି ଓ ବିଜେଡ଼ିର ବହୁ ନେତା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।