ଭୁବନେଶ୍ୱର: ବିଜେଡ଼ିରେ ବିଦ୍ରୋହର ନିଆଁ ମାଡ଼ିଚାଲିଛି । ଟିକେଟରୁ ବଞ୍ଚିତ ହୋଇଥିବା କନ୍ଧମାଳ ସାଂସଦ ଶ୍ରୀମତୀ ପ୍ରତୁ୍ୟଷା ରାଜେଶ୍ୱରୀ ସିଂ ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଖୁବ୍ ଶୀଘ୍ର ସେମାନେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି ।
ଗତକାଲି କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ସୁନ୍ଦରଗଡ଼ର କୁସୁମ ଟେଟେ କାନ୍ଦି କାନ୍ଦି ଇସ୍ତଫା ଦେଇଥିଲେ । ଜୁନାଗଡ଼ର ପ୍ରମୋଦ ପଟ୍ଟନାୟକ ଏବଂ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଇସ୍ତଫା ଦେଇଥିଲେ । ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଇସ୍ତଫାଦେଇଥିଲେ । ଆସିକା ବିଧାୟକ ଦେବରାଜ ମହାନ୍ତି, କଣ୍ଟାବାଂଝୀ ବିଧାୟକ ଆୟୁବ ଖାଁଙ୍କ ଯେ କୌଣସି ମୁହୁର୍ତ୍ତରେ ଦଳ ଛାଡ଼ିପାରନ୍ତି ।
ଟିକେଟ୍ ରୁ ବଞ୍ଚିତ ଏହି ବିଜେଡ଼ି ନେତା ଓ ନେତ୍ରୀମାନେ ବିଜେଡ଼ି ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି । ଦଳ ପାଇଁ ପ୍ରବଳ ଖଟିଥିଲେ ମଧ୍ୟ ସେମାନଙ୍କୁ ନିରାଶ କରାଯାଇଛି । କନ୍ଧମାଳ ସାଂସଦ ତଥା ନୟାଗଡ଼ ଯୁବରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି, ମୋତେ ପୁନର୍ବାର ଟିକେଟ ମିଳିବ ବୋଲି ଆଶା ଦିଆଯାଇଥିଲା । ମାତ୍ର ଟିକେଟ କାଟି ଦିଆଗଲା । ମୁଁ ନୟାଗଡ଼ ଓ କନ୍ଧମାଳବାସୀଙ୍କ ପାଇଁ ସେବା କରିଛି । ମୋ ପ୍ରତି ଅନ୍ୟାୟ କରାଯାଇଛି । ଅରୁଣ ସାହୁଙ୍କ ଜାଗାରେ ନୟାଗଡ଼ ବିଧାନସଭା ଆସନରୁ ଟିକେଟ ପାଇବାକୁ ଏଥର ଆଶା ରଖିଥିଲେ ପ୍ରତ୍ୟୁଷା । ସେ ଦରକାର ପଡ଼ିଲେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଗତକାଲି କହିଥିଲେ । ମାତ୍ର ଆଜି ବିଜେଡ଼ିରୁ ଇସ୍ତଫା ଦେଇଥିବାରୁ ସେ ବିଜେପିରେ ଯୋଗଦେଇ ନୟାଗଡ଼ରୁ ପ୍ରାର୍ଥୀ ହୋଇପାରନ୍ତି ।
ସେହିଭଳି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡ଼ି କର୍ତ୍ତୃତ୍ୱ ଉପରେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି । ଦଶପଲ୍ଲାରେ ସେ ବହୁତ କାମ କରିଛନ୍ତି । ଯାହାଙ୍କୁ ଏଥର ଟିକେଟ ଦିଆଯାଇଛି(ରମେଶ ବେହେରା) ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି । ତାଙ୍କ ନାଁରେ ୭/୮ କୋଟି ଟଙ୍କା ହଡ଼ପ ଅଭିଯୋଗ ଅଛି । ଏଭଳି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କୁ ବଳି ପକାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ବି ବିଜେପିରେ ଯୋଗଦେଇ ଦଶପଲ୍ଲାରୁ ଲଢ଼ିପାରନ୍ତି ।
ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ଦିଲ୍ଲୀରେ ବିଜେପିରେ ଯୋଗଦେଇଛନ୍ତି । ପାରଳାଖେମୁଣ୍ଡିରୁ ସେ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇସାରିଛନ୍ତି ।