ଭୁବନେଶ୍ୱର: ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ବିୟୋଗ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନରେ ଆସିବା ଓଟିଭିକୁ ଭଲ ଲାଗିନାହିଁ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ବୈଜୟନ୍ତ ପଣ୍ଡାଙ୍କର ଏହି ଚାନେଲ୍ ଛିଗୁଲେଇଛି । ମୁଖ୍ୟମନ୍ତ୍ରୀ କୁଆଡ଼େ ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦାମବାବୁଙ୍କ ପତ୍ନୀଙ୍କ ଶେଷଦର୍ଶନ ପାଇଁ ଯାଇଥିଲେ । ବୈଜୟନ୍ତ ପଣ୍ଡାଙ୍କ ବାପାଙ୍କ ମୃତ୍ୟୁ ବେଳେ ନବୀନ ଶେଷଦର୍ଶନ କରି ନ ଥିବା ବେଳେ ଦାମଙ୍କ ପତ୍ନୀଙ୍କ ବିୟୋଗ ଖବର ପାଇ ଶେଷ ଦର୍ଶନରେ ଆସିବା କଥାଟିକୁ ଲୋକଙ୍କୁ ମନେ ପକାଇବା ପାଇଁ ଲଜ୍ଜାବୋଧ କରିନି ଓଟିଭି ।
କାହାରି ମୃତ୍ୟୁ, ମୃତ୍ୟୁ ପରବର୍ତ୍ତୀ ଆବେଗ ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗ । କାହାରି ମୃତ୍ୟୁରେ କିଏ ଶେଷ ଦର୍ଶନ କରିବେ ନ କରିବେ ଏକ ବ୍ୟକ୍ତିଗତ ବ୍ୟାପାର । ଦାମବାବୁଙ୍କ କ୍ଷେତ୍ରରେ ତାଙ୍କ ମୃତ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବା ତାଙ୍କ ବ୍ୟକ୍ତିଗତ ବ୍ୟାପାର ପରିସର । ଏହା ପଛରେ ରାଜନୀତି ଥିବା ନ ଥିବା ଆଲୋଚନା କରିବାର ଅଲଗା ସମୟ ପଡ଼ିଛି । ମାତ୍ର ମାଲିକଙ୍କ ଶତ୍ରୁପକ୍ଷକୁ ଦମନ କରିବା ନିଶାରେ ଥିବା ଓଟିଭି ନିଜର ଦାୟିତ୍ୱବୋଧ ଓ ସମୟଜ୍ଞାନକୁ ଭୁଲିଯାଇଛି । ଅନ୍ୟ ରାଜନେତାଙ୍କ ଭଳି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ବେଳେ ଓଟିଭି ସିଧା ସିଧା ସେଥିରେ ରାଜନୀତିର ରଙ୍ଗ ବୋଳି ଖବର କରିଛି । ତାହା ପୁଣି ଶବ ପଡ଼ିଥିବା ବେଳେ ।
ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇ ନୀଚ୍ଚସ୍ତରର ସାମ୍ବାଦିକତା ବୋଲି କୁହାଯାଉଛି । ସୋସିଆଲି ମିଡ଼ିଆରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣଙ୍କ ଶବ ପଡ଼ିଥିବା ବେଳେ ରାଜନୈତିକ ଅଭିସନ୍ଧି ଯୋଡି ଖବର ପ୍ରସାରଣ କରିବା ନୀତିହୀନ ଓ ଗର୍ହିତ କାର୍ଯ୍ୟ ବୋଲି ଅନେକ ମତ ଦେଇଛନ୍ତି । ପକ୍ଷପାତିତାର ସୀମା ବାହାରକୁ ଚାଲିଯାଇ ନିରପେକ୍ଷତାର ଡିଣ୍ଡିମ ପିଟୁଥିବା ଏହି ଚାନେଲ ଶେଷରେ ନିଜର ମର୍ଯ୍ୟାଦାକୁ ଯେ ଛାଡ଼ିଦେବ ଏହା ଅନେକଙ୍କୁ ବିସ୍ମିତ କରିଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଜାଲ୍ ଗୁଇନ୍ଦା ଚିଠିକୁ ଦେଖାଇ ଏହି ଓଟିଭି ଦୁଇଦିନ ତଳେ ବେଶ୍ ତମ୍ବିତୋଫାନ କରିଥିଲା । ପୂର୍ବଯୋଜନା ମତେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ପ୍ରେସମିଟ୍ କୁ ଲାଇଭ୍ କରିଥିଲା । ତାହା ପୁଣି ସଂଧ୍ୟା ପ୍ରାଇମ୍ ଟାଇମ୍ ବୁେଲେଟିନ୍ କୁ ବଳି ଚଢ଼େଇ ।