ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମାଲକାନଗିରି ପୌରପାଳିକା ଏକଜ୍ୟୁଟିଭ୍ ଅଫିସର ସେଠାରେ ୧୦ ବର୍ଷରୁ ଅଧିକ କାଳ ରହିଲେଣି । ମାତ୍ର କି ରସ ଲାଗିଛି କେଜାଣି ସେଠାରୁ ସେ ବଦଳି ହେବାକୁ ମନ କରୁନାହାନ୍ତି କି ସରକାର ତାଙ୍କୁ ବଦଳି କରିବାକୁ ଚାହୁଁନାହାନ୍ତି । ପୌରପାଳିକାକୁ ସ୍ଥାଣୁ କରାଇ ତାଙ୍କର ଯାବତୀୟ ଅସାଧୁ କାଣ୍ଡକାରଖାନା ଖୋଦ୍ ଜିଲ୍ଲାପାଳଙ୍କୁ ବ୍ୟସ୍ତବିବ୍ରତ କରିଛି । ତାଙ୍କୁ ତୁରନ୍ତ ବଦଳି କରିବାକୁ ନିକଟରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସତ୍ତ୍ୱେ ନଗର ଉନ୍ନୟନ ବିଭାଗ ଗାଲେଇ ଯାଇଛନ୍ତି । ଅଦୃଶ୍ୟ କାରଣରୁ ବିଭାଗୀୟ ସଚିବଙ୍କ ଅଫିସରୁ ଫାଇଲ୍ ଖସିପାରୁନି ।
ମାଲକାନଗିରି ପୌରପାଳିକା ଏକଜ୍ୟୁଟିଭ୍ ଅଫିସର ଶ୍ରୀଯୁକ୍ତ କେ.ସି.ପାଲ୍ ଜଣେ କରିତକର୍ମା ବାବୁ । ନିତିଦିନ କଞ୍ଚା ଦି ପଇସା ଅଣ୍ଟିରେ ହାତେଇବାର କଳାକୌଶଳରେ ଯେତିକି ନିପୂଣ ସେତିକି ଧୂରନ୍ଧର । ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ରହିବା ଯୋଗୁଁ ସରକାରୀ କଳକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ନିଜର ସ୍ୱତନ୍ତ୍ର ବାହିନୀ ଜରିଆରେ ପୌରପାଳିକାକୁ ଆସୁଥିବା କୋଟି କୋଟି ଟଙ୍କାର ମୁନାଫା ଗୋଟାଉଥିବାର ଥାକ ଥାକ ଅଭିଯୋଗ ରହିଛି ପାଲ୍ ବାବୁଙ୍କ ନାଁରେ । ମାଲକାନଗିରିର କରୁଣ ଚତ୍ର ବଦଳାଇବାରେ ବେଶ୍ ମାଇନା ରଖୁଥିବା ପୌରପାଳିକା ଏଭଳି ଜଣେ ଅପାରଗ ଅଧିକାରୀଙ୍କ ଯୋଗୁଁ ପଥଭ୍ରଷ୍ଟ ହୋଇଯାଇଛି । ପୌରପାଳିକାର ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି କହିଲେ ଚଳେ । ମଶା ଡାଉଁସରେ ଭର୍ତ୍ତି ମାଲକାନଗିରିର ପୌରପାଳିକା ଅଞ୍ଚଳକୁ ସରକାରୀ ଯୋଜନା ପହଞ୍ଚାଇବାରେ ଏକଜ୍ୟୁଟିଭ୍ ଅଫିସରଙ୍କ ମନ୍ଦ ଉଦ୍ଦେଶ୍ୟ ବିରାଟ ପ୍ରତିବନ୍ଧକ ହୋଇରହିଛି । ଲୋକଙ୍କ ଉନ୍ନୟନ କାର୍ଯ୍ୟ ଚିନ୍ତା ଛାଡି ନିଜର ଓ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀର ପକେଟ୍ ଚିନ୍ତାରେ ସମୟ ବିତିଯାଉଛି ତାଙ୍କର ।
ଜାପାନୀ ଏନସେଫାଇଲଟିସ୍ ଓ ଏଇଏସ୍ ରୋଗ କେବଳ ମାଲକାନଗିରି ପୂରପଲ୍ଲୀ ନୁହେଁ, ବରଂ ପୌରପାଳିକା ଅଞ୍ଚଳରେ ମଧ୍ୟ ଭୟଙ୍କର ରୂପ ଧାରଣ କରିଛି । ଖାଲି ଜେଇ କି ଏଇଏସ୍ ନୁହେଁ, ବର୍ଷ ତମାମ ଅସ୍ୱାସ୍ଥ୍ୟକର ପରିବେଶରେ ବଞ୍ଚୁଥିବା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି । ମାତ୍ର ସ୍ଥିତି ପ୍ରତି ପୌରପାଳିକାର ଆଡ ଆଖି ପଛରେ ଏକଜ୍ୟୁଟିଭ୍ ଅଫିସର ପାଲ୍ ବାବୁଙ୍କର ଉଦାସୀନତାକୁ ଖୋଦ୍ ଜିଲ୍ଲାପାଳ ହୃଦୟଙ୍ଗମ କରିଛନ୍ତି । ମାଲକାନଗିରିର ସାମ୍ପ୍ରତିକ ସଙ୍ଗୀନ ସ୍ଥିତି ଜିଲ୍ଲାପାଳଙ୍କୁ ଅଧିକ ଅତିଷ୍ଠ କରିଛି । ତୁରନ୍ତ ତାଙ୍କର ବଦଳି ପାଇଁ ଗତ ସପ୍ତାହରେ ସେ ନଗର ଉନ୍ନୟନ ବିଭାଗକୁ ଏକ ଚିଠି ଲେଖିଛନ୍ତି । ମାତ୍ର ଜିଲ୍ଲାପାଳଙ୍କ ଏହି ଚିଠି ନଗର ଉନ୍ନୟନ ବିଭାଗ ଆଲମାରୀ ଭିତରେ ଚାପି ହୋଇଯାଇଛି । ବିଭାଗୀୟ ଅଧିକାରୀମାନେ ଏହି ଚିଠିଟିକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି । ବରଂ ସମୟ ଗଡ଼ାଇ କେଉଁଭଳି ଭାବେ ପାଲ୍ ବାବୁଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ଯୋଜନାରେ ଅଛନ୍ତି । ପାଲ୍ ବାବୁଙ୍କ ଚେର୍ ସଚିବାଳୟକୁ ଖାଲି ଲମ୍ବିନି ବରଂ ଟାଣ ହୋଇ ରହିଥିବା ଏଥିରୁ ସ୍ପଷ୍ଟ ବୁଝାପଡୁଛି । ସଚିବାଳୟ ବାବୁମାନଙ୍କ ମନଖୁସି କରାଇପାରୁଥିବାରୁ ଏଭଳି ସମ୍ଭବ ହେଉଥିବା ବୁଝିହେଉଛି । ଏ ସମ୍ପର୍କରେ ଆମେ ନଗର ଉନ୍ନୟନ ବିଭାଗର ସଚିବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ମାତ୍ର ତାହା ସମ୍ଭବ ହୋଇ ନ ଥିଲା । ନା ତାଙ୍କୁ ଅଫିସରେ ଭେଟ ମିଳିଥିଲା ନା ମୋବାଇଲ୍ ଫୋନ୍ ରେ ।