ବ୍ରହ୍ମପୁର: କାଠ ଢ଼େରାରେ ପାଳ ଛପର ଘର ତିଆରି କରି ଖେଳୁଥିଲେ । ସେହି ମିଛି ମିଛିକା ଘରେ ମିଛି ମିଛିକା ରୋଷେଇ କରୁଥିଲେ । ହଠାତ୍ ପାଳରେ ନିଆଁ ଲାଗିଗଲା । ନିମିଷକେ ଜଳିଗଲା ନିଷ୍ଫାପ ଜୀବନ । ଜୀବନ କ’ଣ ଜାଣିବା ପୂର୍ବରୁ ୩ ଶିଶୁଙ୍କ ଜୀବନ ନେଇଗଲା ସେହି ଖେଳର ନିଆଁ । ଗଂଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ଖଇରଛଟା ଗାଁରେ ଆଜି ଏହି ହୃଦୟ ବିତାରକ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି । ଅବାକ୍ ହୋଇଯାଇଛି ସମଗ୍ର ଗାଁ ।
ଗାଁର ଏକ ଅଧନିିର୍ମିତ ପାଇଖାନା ଘରେ ଖେଳିବା ପାଇଁ ଆଜି ସକାଳେ ୮ ଜଣ ଶିଶୁ ଡକାଡକି ହୋଇ ଆସିଥିଲେ । ଜାଗାଟି ଖୋଲା ଥିବାରୁ ସେମାନେ ରାସ୍ତାକଡ଼ରୁ କାଠ ଏବଂ ବାଉଁଶ ଡାଙ୍ଗ ଯୋଗାଡ଼ କରି ଉପରେ ପକାଇଥିଲେ ଏବଂ ସେଥିରେ ପାଳ ଢ଼ାଙ୍କି ଦେଇଥିଲେ । ସେହି ମିଛିମିଛିକା ପାଳଘରକୁ ଶିଶୁମାନେ ନିଜ ଘର ଭଳି ସଜାଇଥିଲେ । ଭିତରେ ଚୁଲି ତିଆରି କରି ଖେଳନା ଜିନିଷ ସାହାଯ୍ୟରେ ରୋଷେଇ କରିଥିଲେ । ସେଥିପାଇଁ ପିଲାମାନେ ଦିଆସିଲି ଲଗେଇ ନିଆଁ କରିଥିବା କୁହାଯାଉଛି ।
ସେହି ନିଆଁ ପାଳକୁ ଧରିଦେବାରୁ ଖେଳଘରଟି ଜଳିବାକୁ ଆରମ୍ଭ କରିଥିଲା । ପାଟିତୁଣ୍ଡ ଶୁଣି ଗାଁ ଲୋକେ ଦୌଡ଼ି ଆସି ୪ ଜଣ ପିଲାଙ୍କୁ ଉଦ୍ଧାର କରିଥିଲେ ହେଁ ଅନ୍ୟ ୪ ଜଣ ପିଲା ଭିତରେ ଫସିରହି ଜଳିଯାଇଥିଲେ । ଗାଁ ଲୋକେ ନିଆଁ ଲିଭାଇ ତୁରନ୍ତ ସେହି ପିଲାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ନେଇଥିଲେ ମଧ୍ୟ ଇତିଶ୍ରୀ ଜେନା(୫), ସାଇରାମ ଜାନି(୭) ଏବଂ ଦୀପକ ଗୌଡ଼(୭)ଙ୍କର ମୃତ୍ୟୁ ହୋଇସାରିଥିଲା । ଆଲୋକ ଜେନା(୭)ଙ୍କ ଶରୀର ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।
ଶିଶୁମାନଙ୍କର ଏଭଳି ମର୍ମନ୍ତୁଦ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆହତ ଶିଶୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।