ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ ସଫଳ ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ବିପୁଳ ସମର୍ଥନ ପାଇ ଆସୁଥିବା ବିଜୁ ଜନତା ଦଳର ସର୍ବମାନ୍ୟ ନେତା ହେଲେ ନବୀନ ପଟ୍ଟନାୟକ । ବିଜେଡ଼ିର କ୍ରମାଗତ ସଫଳତାର ରହସ୍ୟ ନିଜେ ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ୱ ଓ ଦିଗଦର୍ଶନ ସମ୍ଭବତଃ ଦଳର ଏକମାତ୍ର ପୁଞ୍ଜି । ତେଣୁ ନବୀନଙ୍କ କ୍ଷେତ୍ରରେ ସଭାପତି ପଦ ପାଇଁ ବିଧିବଦ୍ଧ ନିର୍ବାଚନ ଏକ ଔପଚାରିକତା ବୋଲି ବିଚାର କରାଯାଉଛି । ଏହି ଔପଚାରିକତା ପୂରଣ ପାଇଁ ଆଜି ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ କସରତ ହୋଇଛି । କ୍ରମାଗତ ସପ୍ତମ ଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ଆସନ ଅଳଙ୍କୃତ କରିବେ ।
ବିଧିବଦ୍ଧ ଭାବେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡ଼ି ସୁପ୍ରିମୋ । ସକାଳ ପ୍ରାୟ ୧୦ଟା ବେଳେ ଦଳୀୟ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ତାଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଥିଲେ । ସଭାପତି ପଦର ନାମାଙ୍କନପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ପାଇଁ ୮୦ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ । ଆସନ୍ତା ୨୬ ତାରିଖରେ କର୍ମକର୍ତ୍ତାଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ଶ୍ରୀ ଦେବ ସୂଚନା ଦେଇଛନ୍ତି ।
ଦଳର ସାଂଗଠନିକ ନିର୍ବାଚନର ଏହି ଅନ୍ତିମ ପର୍ଯ୍ୟାୟରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ଼ ହୋଇଥିଲା । ସାଂସଦ, ବିଧାୟକ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଏବଂ ଦଳୀୟ ନେତୃବୃନ୍ଦ ସେଠାରେ ଉପସ୍ଥିତ ଥିଲେ । ସଭାପତି ନିର୍ବାଚନକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥିଲେ ମଧ୍ୟ ଜିଲ୍ଲା ସଭାପତି ତାଲିକାକୁ ନେଇ କିଛି ନେତାଙ୍କ ଅସନ୍ତୋଷ ବାରି ହୋଇପଡୁଥିଲା ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଘୋଷଣା ହୋଇଛି ବିଜେଡ଼ି ଜିଲ୍ଲା ସଭାପତି ତାଲିକା । ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରେ ୩ ମନ୍ତ୍ରୀ, ଜଣେ ସାଂସଦ ଏବଂ ୭ ବିଧାୟକଙ୍କୁ ସଭାପତି କରାଯାଇଛି । ତାଲିକାରେ ୧୯ ଜଣ ନୂଆ ମୁହଁ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ହାତରୁ ଜିଲ୍ଲା ନେତୃତ୍ୱ କାଢ଼ି ନିଆଯାଇଛି । ସବୁ ଜିଲ୍ଲାରେ ସହମତି ଭିତ୍ତିରେ ସଭାପତି ଚୟନ କରାଯାଇଥିବା ଦଳୀୟ ନେତୃତ୍ୱ ପକ୍ଷରୁ କୁହାଯାଉଥିଲେ ମଧ୍ୟ କିଛି ଜିଲ୍ଲାରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଛକାପଂଝା ଲାଗିରହିଛି ।
ସଂଗଠନରେ ଭାରସାମ୍ୟ ରକ୍ଷା ପାଇଁ କିଛି ଜିଲ୍ଲାରେ ସୁବିଧାବାଦୀ ତଥା ବଦନାମୀ ନେତାଙ୍କ ହାତରେ ଜିଲ୍ଲା ନେତୃତ୍ୱ ଟେକି ଦିଆଯାଇଥିବା ଦଳର ଜଣେ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି । ବିଶେଷକରି ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧାରେ ବିଭୂତି ବଳବନ୍ତରାୟ, କେନ୍ଦ୍ରାପଡ଼ାରେ ଉକ୍ରଳ କେଶରୀ ପରିଡ଼ାଙ୍କ ଉପରେ ଦଳୀୟ କର୍ମୀ ଖୁସି ନାହାନ୍ତି । ଏମାନଙ୍କ ପାଇଁ ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଥିବା ସାଧାରଣରେ ବି ଆଲୋଚନା ହେଉଛି ।
Continue Reading