ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ଖବରକାଗଜ “ସର୍ବସାଧାରଣ’କୁ ନେଇ ପୁଣି ଏକ ଝଡ଼ ଆସିଛି । ଖବରକାଗଜଟି ଯାହାଠାରୁ ଏବଂ ଯେଉଁ ସମୟରେ ଖର୍ଦ୍ଦି ହୋଇଛି ତାହା ହିଁ ସଞ୍ଜୟଙ୍କୁ ବିବାଦ ଭିତରକୁ ଟାଣିନେଇଛି । ଚିଟ୍ଫଣ୍ଡ ବ୍ରାଣ୍ଡ ପାଜେରୋ ଗାଡ଼ି ସଞ୍ଜୟଙ୍କୁ ସିବିଆଇ କାଠଗଡ଼ାକୁ ଟାଣିଥିବା ବେଳେ ଚିଟ୍ଫଣ୍ଡରୁ ଉତ୍ପତି ସର୍ବସାଧାରଣ ଖବରକାଗଜ ତାଙ୍କ ଭାବମୂର୍ତ୍ତିରେ ଆଉ ଏକ କଳଙ୍କ ଯୋଡିଛି ।
ସର୍ବସାଧାରଣ ଖବରକାଗଜର ଜନ୍ମ ୨୦୧୧ ଫେବୃଆରୀ ୮ ତାରିଖ ସରସ୍ୱତୀ ପୂଜାରେ । ଚିଟ୍ଫଣ୍ଡ ଦଲାଲ ବୈରୀଗଞ୍ଜନ ଦାସ ନିଜ କେଳେଙ୍କାରୀକୁ ଘୋଡାଇବାକୁ ଏସଏଲବି ମିଡ଼ିଆ ଆଣ୍ଡ ଏଣ୍ଟରଟେନ୍ମେଣ୍ଟ ସଂସ୍ଥା ଗଢ଼ି ଏହି ଖବରକାଗଜଟିକୁ ବାହାର କରିଥିଲେ । ତେବେ ୨୦୧୩ ମସିହାରେ ଚିଟ୍ଫଣ୍ଡ ଧରପଗଡ଼ ଆରମ୍ଭ ହୋଇଯିବାରୁ ବୈରୀଗଞ୍ଜନଙ୍କ ଉପରେ ଚଡ଼କ ପଡ଼ିଥିଲା । ସେତେବେଳେ ଲୋକଙ୍କଠାରୁ ଆଦାୟ ୧୦ କୋଟି ଟଙ୍କାରେ ମଉଜ କରୁଥିଲେ ବୈରୀଗଞ୍ଜନ । ତେବେ ତାଙ୍କ କେଳେଙ୍କାରୀ ପୁଲିସ ଧରିବା ପରେ ବୈରୀଗଞ୍ଜନ ପେପର୍ ବନ୍ଦ କରି ଫେରାର ହୋଇଯାଇଥିଲେ । ମାତ୍ର ଠକାମୀର ଶିକାର ହୋଇଥିବା ଲୋକମାନେ ତାଙ୍କୁ ଖୋଜି ଶେଷକୁ ଭୁବନେଶ୍ୱରରୁ ଧରି ନୟାପଲ୍ଲୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ତାଙ୍କୁ ୨୧.୦୯.୨୦୧୫ ରେ ଗିରଫ କରି ଜେଲ୍ ପଠାଇଲା । ସେତେବେଳକୁ ସର୍ବସାଧାରଣ ଖବରକାଗଜର ଅସ୍ଥିତ୍ୱ ହଜିଯାଇଥିଲା ଏବଂ ସଂସ୍ଥା ଉପରେ କୋଟି କୋଟି ଟଙ୍କାର ଲାଇବିଲିଟି ପଡ଼ିଥିଲା ।
ଆଶ୍ଚର୍ଯ୍ୟର କଥା ପୁଲିସ ଆଖିରେ ଧୂଳି ଦେଇ ବୈରୀଗଞ୍ଜନ ଫେରାର ଥିବା ସମୟରେ ଖବରକାଗଜ ସଂସ୍ଥାଟିକୁ ସେ ବିକ୍ରୀ କରିବାରେ ସମର୍ଥ ହୋଇଥିଲେ । ପ୍ରସନ୍ନ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏହାକୁ କିଣିଥିଲେ । ଏହି ଭଦ୍ରବ୍ୟକ୍ତିଜଣଙ୍କ ଜଣେ ସମ୍ବାଦପତ୍ର ମାଲିକଙ୍କ ସଳା । ତେବେ କିଛି ମାସ ପରେ ମହାପାତ୍ର ଏହାକୁ ସାଇ ଟ୍ରଷ୍ଟ ନାମକ ଏକ ସଂସ୍ଥାକୁ ବିକ୍ରୀ କରିଦେଇଥିଲେ । ଏହି ସଂସ୍ଥାର ମାଲିକ ହେଉଛନ୍ତି ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କର ପୁଅ ସୁନୀଲ ଓ ବୋହୁ ମମତା । ତେବେ ପାଟ୍ଟଶାଣୀ ପୁଅ-ବୋହୁ କିଛି ମାସ ପରେ ୨୦୧୪ ଜୁନ୍ ମାସରେ ତାହାକୁ ବିକ୍ରୀ କରିଥିଲେ । କିଣିଥିଲେ ସଞ୍ଜୟ ଦାସବର୍ମାଙ୍କ ପରିବାର ସଂସ୍ଥା ଟିମ୍ ମିଡ଼ିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ଼ । ଏହି ସଂସ୍ଥାର ପରିଚାଳନା ଭାର ଥିଲା ସଞ୍ଜୟଙ୍କ ବାପା,ପତ୍ନୀ ଓ ସଳାଙ୍କ ହାତରେ ।
କଥା ହେଉଛି, ଚିଟଫଣ୍ଢ ଠକେଇ ପଇସାରେ ଗଢ଼ା ହୋଇ ଦୁର୍ନାମରେ ବୁଡ଼ିଥିବା ଏକ ଖବରକାଗଜକୁ ଜଣେ ଦାୟିତ୍ୱବାନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିବା ସଂସ୍ଥା କେମତି କିଣିଲା ଏବଂ ଏହା ପଛରେ କ’ଣ ରହିଛି ରହସ୍ୟ ତାହା ଏବେ ପୁଣି ଚର୍ଚ୍ଚାକୁ ଆସିଛି ।