ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିବାଦ ପିଛା ଛାଡୁନି । ତାଙ୍କର ବିଶାଳ ସମ୍ପତ୍ତିବାଡ଼ି ବି ଏବେ ସର୍ବସାଧାରଣଙ୍କ ନଜରକୁ ଆସିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ମାଲିକାନାରେ ସଞ୍ଜୟଙ୍କ “ସର୍ବସାଧାରଣ’’ ଖବରକାଗଜ ସଂସ୍ଥା ଛଡ଼ା ଅନ୍ୟ ୬ ଟି ସଂସ୍ଥା ରହିଛି । ସେ ଓ ତାଙ୍କ ସମ୍ପର୍କୀୟମାନଙ୍କ ନାଁରେ ଏହି ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଛି । ରେଜିଷ୍ଟ୍ରିଭୁକ୍ତ ଏହି ସଂସ୍ଥାଗୁଡ଼ିକ ହେଉଛି (୧) ଟିମ୍ ମିଡିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ (୨) ନୀଳାଚଳ ମାଇନିଂ ପ୍ରାଇଭେଟ୍ ଲିମିଟେଡ଼ (୩) ନୀଳାଚଳ ଗ୍ରାନାଇଟସ୍ ପ୍ରାଇଭେଟ୍ ଲିମିଟେଡ (୪)ଟେକ୍ନୋଶ୍ରାଇନ୍ ଇନଫୋସଲୁସନ୍ ପ୍ରାଇଭେଟ୍ ଲିମିଟେଡ଼ (୫)ନୀଳାଚଳ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ଼ ଏବଂ (୬) ନଇନା ମାଇନିଂ ପ୍ରାଇଭେଟ୍ ଲିମିଟେଡ଼ । ଏହି ସଂସ୍ଥାଗୁଡ଼ିକର ନିର୍ଦେଶକମଣ୍ଡଳୀରେ ବାପା,ପତ୍ନୀ, ସଳା ଏବଂ ଅନ୍ୟ ସମ୍ପର୍କୀୟ ଅଛନ୍ତି । ସଂସ୍ଥାଗୁଡ଼ିକର ଅଫିସ୍ ଆଡ୍ରେସ୍ ରହିଛି ଏଲ-୩/୨,ଲେବର୍ କଲୋନୀ, ଖାରବେଳନଗର ଯାହାକି ସଞ୍ଜୟଙ୍କ ନିଜସ୍ୱ ବାସଭବନ । ବ୍ରାଞ୍ଚ ଅଫିସ୍ ଆଡ୍ରେସ ଅଛି ଏଚଆଇଜି-୨/୩୧୮, ସତ୍ୟସାଇ ଏନକ୍ଲେଭ୍,କୋଳଥିଆ, ଭୁବନେଶ୍ୱର ।
ପାଜେରୋ ବିବାଦରେ ଫସିଥିବା ସଞ୍ଜୟଙ୍କର ଏତେଗୁଡ଼ାଏ ସଂସ୍ଥାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ବିରୋଧୀ ପ୍ରତିପକ୍ଷ ଲୁଲୁ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୫ ଟି ସଂସ୍ଥାର ତଥ୍ୟ ଉପସ୍ଥାପନ କରି ସଞ୍ଜୟଙ୍କୁ ପୁଣି ଘେରିଛନ୍ତି । ସେ ଏହି ସଂସ୍ଥାଗୁଡ଼ିକରେ ଚିଟ୍ଫଣ୍ଡ ପଇସା ଲାଗିଥିବା ଅନୁମାନ ଲଗାଇଛନ୍ତି । ବାସ୍ତବରେ ଏତେଗୁଡ଼ାଏ ସଂସ୍ଥା ପଛରେ କେଉଁ ପଇସା ଲାଗିଛି ତାହା ତଦନ୍ତ କଲେ ଜଣାପଡ଼ିବ । ତେବେ ଏହା ସତ ଯେ, ୨୦୦୯ ସାଧାରଣ ନିର୍ବାଚନ ପ୍ରାର୍ଥୀପତ୍ର ଆଫିଡେଭିଟ୍ରେ ସଞ୍ଜୟ ନିଜର ସମ୍ପତ୍ତି ମାତ୍ର କେଇ ଲକ୍ଷ ଦର୍ଶାଇଥିଲେ । ତେଣୁ ଏତେ କମ୍ ସମୟ ମଧ୍ୟରେ ସେ ଏତେଗୁଡ଼ାଏ ସମ୍ପତ୍ତି କୁଆଡୁ ଅର୍ଜିଲେ ତାହା ପ୍ରଶ୍ନ ସୃଷ୍ଟି କରିଛି ।