ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସିବିଆଇ ପଞ୍ଝାରେ ଫସିଥିବା ସଞ୍ଜୟ ଦାସବର୍ମାଙ୍କ ସୁରକ୍ଷା ପାଇଁ ଶେଷରେ ଅଣ୍ଟା ଭିଡ଼ିଛନ୍ତି ବିଜେଡ଼ି ଓ ସରକାରର ଯୁବ ବ୍ରିଗେଡ଼ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ ଓ ନିଜେ ସଞ୍ଜୟ ଦାସବର୍ମା ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଫେରାଦ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ୬ ଦିନ ପାଇଁ ଦିଲ୍ଲୀ ଯିବା ପୂର୍ବରୁ ଏହି ୫ ପାୱାରଫୁଲ୍ ଯୁବ ମନ୍ତ୍ରୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି ।
ସେପଟେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ସଞ୍ଜୟଙ୍କ ସୁରକ୍ଷା ପାଇଁ ତତ୍ପର ହୋଇପଡ଼ିଛି । ସିବିଆଇର ପାଜେରୋ ସମ୍ପର୍କିତ ଖୋଳତାଡ଼କୁ ଗୁରୁତ୍ୱ ନ ଦେଇ ମାମଲାର ରାଜନୈତିକ ମୁକାବିଲା ଯୋଜନା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଲମ୍ବା ରହଣୀ କାଳରେ ଯୁବମନ୍ତ୍ରୀମାନେ ହିଁ ସଞ୍ଜୟ ଓ ସରକାରଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇବେ । ଏଭଳି ଇସାରା ଆସିଛି ତୃତୀୟ ମହଲାରୁ । ଆଶ୍ଚର୍ଯ୍ୟଜନକ ଭାବେ ଏହି ଜଟିଳ ମାମଲାରେ ବରିଷ୍ଠ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଇନାହିଁ । ଅର୍ଥତତ୍ତ୍ୱଠାରୁ ଟଙ୍କା ନେଇଥିବା ଅଭିଯୋଗରେ ଗତବର୍ଷ ପ୍ରଭାତ ତ୍ରିପାଠୀ ଜେଲ୍ ଗଲା ବେଳେ ଦଳ ତାଙ୍କୁ ସୁରକ୍ଷା ଦେଇ ନ ଥିଲା । ମାତ୍ର ସଞ୍ଜୟଙ୍କ କ୍ଷେତ୍ରରେ ପ୍ରଥମ ମହଲାରୁ ତୃତୀୟ ମହଲା ସମସ୍ତେ ବିବ୍ରତ । ଏପରିକି ଜଣେ ବରିଷ୍ଠ ଯୁବମନ୍ତ୍ରୀ ସଞ୍ଜୟଙ୍କ ପାଜେରୋ ସମ୍ପର୍କିତ ମିଡ଼ିଆ ଟ୍ରାଏଲ ଉପରେ ଗୁରୁତ୍ୱ ନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସଞ୍ଜୟ ନିର୍ଦୋଷ ଏବଂ ଯେ କୌଣସି ପରିସ୍ଥିତିର ସାମନା ପାଇଁ ସମସ୍ତେ ଏକାଠି ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ ଦିଆଯାଇଛି ।
ଦିଲ୍ଲୀ ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମନଜ୍ଞାନ ଦେଇ ସବୁ ଶୁଣିଥିଲେ ମଧ୍ୟ ଯୁବମନ୍ତ୍ରୀମାନେ ତାଙ୍କର ଆଭିମୁଖ୍ୟକୁ ଠଉରେଇ ପାରିନାହାନ୍ତି । ସିବିଆଇ ସିଆର୍ପିସି ଧାରା ୯୧ ରେ ସଞ୍ଜୟଙ୍କୁ ନୋଟିସ୍ ଦେଇଥିବାରୁ ସିନା ସେ ନିଜେ ହାଜର ହେଲେନି, ହେଲେ ସିଆରପିସିର ୧୬୦ ଧାରାରେ ସମନ୍ ହେଲେ ସଞ୍ଜୟ ଦାସବର୍ମା ନିଜେ ଉପସ୍ଥିତ ହେବାକୁ ବାଧ୍ୟ । ସେତେବେଳେ ମନ୍ତ୍ରୀ ପଦ ଧରି ସିବିଆଇ ତଦନ୍ତ ଅଫିସର୍ ସାମାନ୍ୟ ଜଣେ ଇନସପେକ୍ଟରଙ୍କ ପାଖରେ ବ୍ୟକ୍ତିଗତ ହାଜିରା ପକାଇବେ ଓ ଜେରାର ସମ୍ମୁଖୀନ ହେବେ ତାହା ଖଟକା ହୋଇଛି । ସେଭଳି ପରିସ୍ଥିତିରେ ସଞ୍ଜୟ ଇସ୍ତଫା ଦେବାକୁ ଏକପ୍ରକାର ବାଧ୍ୟ ହୋଇଥିବାରୁ ତାହାର ବିକଳ୍ପ ଚିନ୍ତା କରୁଛନ୍ତି ଯୁବମନ୍ତ୍ରୀଗଣ । ତେବେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହା ଉପରେ ଅଧିକ ତର୍ଜମା କରିବାକୁ ସୁଯୋଗ ଦେଇ ନ ଥିବା ଜଣାପଡ଼ିଛି । ସୁତରାଂ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ସଞ୍ଜୟଙ୍କୁ ଅଧିକ ବିଚଳିତ କରିଛି । ମୁଣ୍ଡ ଉପରର ଝୁଲନ୍ତା ଖଣ୍ଡାଟି କେତେବେଳେ ଯେ ଖସି ନ ଯିବ ତାହା କହିହେବ ନାହିଁ ବୋଲି ସଞ୍ଜୟ ନିଜେ ବି ଆଶଙ୍କିତ ।
ଏହି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ଘନ ଘନ ଆକ୍ରମଣ ଜାରି ରଖିଛନ୍ତି ଏବଂ ସଞ୍ଜୟଙ୍କ ବହିଷ୍କାର ଦାବି କରୁଛନ୍ତି । ଦଳର ମୁଖପାତ୍ର ପ୍ରତାପ ଦେବ ଏହି ମାମଲାରେ ରାଜନୈତିକ ଗନ୍ଧ ରହିଥିବା କହି ସଞ୍ଜୟଙ୍କୁ ସୁରକ୍ଷା ଦେଇଛନ୍ତି । ଖୋଦ୍ ତୃତୀୟ ମହଲା ନିର୍ଦେଶମତେ ପ୍ରତାପ ଦେବ ସଞ୍ଜୟଙ୍କୁ ବଞ୍ଚାଇବା ପାଇଁ ଗଣମାଧ୍ୟମରେ ଏହି ବିବୃତି ଦେଇଛନ୍ତି । ମାତ୍ର ସମଗ୍ର ଘଟଣାରେ ଯୁବବାହିନୀର ମାମଲତିକାର ବିଜେଡ଼ି ବରିଷ୍ଠ ନେତାଙ୍କୁ କ୍ଷୁବ୍ଧ କରିଛି । ଦଳର ଭାବମୂର୍ତ୍ତି ସଙ୍କଟରେ ପଡ଼ିଥିବା ବେଳେ ସେମାନେ ଅଲୋଡ଼ା ରହିବା ସେମାନଙ୍କୁ ଅସହ୍ୟ ହୋଇଛି ।
ଦାମୋଦର ରାଉତଙ୍କ ଭଳି ଦଳର କିଛି ବରିଷ୍ଠ ନେତାଙ୍କ ମନ୍ତବ୍ୟ ଉତ୍କଟ ଦଳୀୟ ଅର୍ନ୍ତଦ୍ୱନ୍ଦର ନିଆଁ ଆଣିଛି । ପାଜେରୋ ସମ୍ପର୍କିତ ପ୍ରକୃତ ତଥ୍ୟ କେବଳ ସଞ୍ଜୟ ଦେଇପାରିବେ ଏବଂ ମାମଲାଟି ଦଳର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି ବୋଲି ଦାମଙ୍କ ବିବୃତି ଖାଲି ସଞ୍ଜୟଙ୍କୁ ଅଣନିଶ୍ୱାସୀ କରିନି ବରଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ବିଚଳିତ କରିଛି । ଦଳ ଏକାଠି ହୋଇ ବିରୋଧୀଙ୍କୁ ମୁକାବିଲା କରିବା ପରିବର୍ତ୍ତେ ସଞ୍ଜୟଙ୍କ ମୁଣ୍ଡ ଭିକ୍ଷା କରି ଯୁବ ବ୍ରିଗେଡ଼ ବିରୋଧୀ ଗୋଷ୍ଠୀ ନଖରେ ନଖ ଘଷୁଛନ୍ତି । ଏଭଳସ୍ଥିତିରେ ଏବେ ସମସ୍ତଙ୍କ ଅପେକ୍ଷା ସିବିଆଇ ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନକୁ ।