ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଛାତ୍ର ବିଜେଡ଼ି ସଭାପତି ବ୍ୟୋମକେଶ ଓରଫ୍ ବାପି ରାୟଙ୍କ ପାଇଁ ନିର୍ଲ୍ଲଜ ଓକିଲାତି କରିଛି ବିଜୁ ଜନତା ଦଳ । ଡି ବ୍ରଦର୍ସ-ଲିଙ୍କ୍ ଅଭିଯୋଗର ତଦନ୍ତ ଦାବି ନେଇ ଛାତ୍ର କଂଗ୍ରେସର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ମୁଖପାତ୍ର ଯେଭଳି ମାମଲାକୁ ଗାଲୁ ଠେଲିଛନ୍ତି ତାହା ଲୋକଙ୍କୁ ଦିନବେଳେ ଲଣ୍ଠନ ଦେଖାଇବା ଭଳି ହୋଇଛି । କେନ୍ଦୁଝରର ରଶ୍ମିରଞ୍ଜନ ଅପହରଣ ଓ ହତ୍ୟା ପଛରେ ନିଜର ସଂପୃକ୍ତି ଅଭିଯୋଗକୁ ଅଚିରେ ଚାପି ଦେବାରେ ସମର୍ଥ ହୋଇଥିବା ପ୍ରତାପ ଜେନାଙ୍କଠାରୁ ଅବଶ୍ୟ ଏହା ହିଁ ଆଶା କରିବା କଥା ।
ବାପି ରାୟଙ୍କ ପାଇଁ ଓକିଲାତି କରୁଥିବା ବିଜେଡ଼ି ଠିକ୍ ଜାଣିଛି ତାଙ୍କର ଅତୀତ ପୃଷ୍ଠଭୂମି । ଛାତ୍ର ଜୀବନରେ ବାପି ରାଜନୀତିର ର ଅକ୍ଷର ଜାଣି ନଥିଲେ କି କଲେଜ ଛାତ୍ର ସଂସଦ ନିର୍ବାଚନରେ କେବେ ବି ଲଢ଼ିନାହାନ୍ତି । ସେହି ଦୃଷ୍ଟିରୁ ତାଙ୍କର ନିଜସ୍ୱ ସଂଗଠନ ବୋଲେ କିଛି ନାହିଁ । ହେଲେ ସମସ୍ତଙ୍କୁ ଚକିତ କରି ପ୍ରଥମେ କଟକ ମଣ୍ଡଳ ଛାତ୍ର ବିଜେଡ଼ି ସଭାପତି ହେଲେ ବାପି । ପରେ ପରେ କଟକ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପଦକୁ ପ୍ରମୋସନ୍ ପାଇଗଲେ । ସେହି ସମୟରେ ପ୍ୟାରୀ ମହାପାତ୍ରଙ୍କ ଆର୍ଶିବାଦ ଲୋଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଲାଙ୍ଗୁଳ ଧରିଥିଲେ । ମାତ୍ର ୨୦୧୨ ମେ ୨୯ ପରେ ରାତାରାତି କଡ଼ ଲେଉଟାଇ ଦେବାଶିଷ ସାମନ୍ତରାୟଙ୍କ ପଟକୁ ଢ଼ଳିଗଲେ । ସେହି ସୁଯୋଗରେ ବାପିଙ୍କ ପ୍ରମୋଟରମାନେ ତାଙ୍କୁ ରାଜ୍ୟ ଛାତ୍ର ବିଜେଡ଼ିର ମୁଖିଆ କରିଦେଲେ । ଏମିତିକା ଆର୍ଶିବାଦ ପାଇଲେ ଯେ ରାତାରାତି ବିଧାୟକ ବନିଗଲେ ।
ଛାତ୍ର ରାଜନୀତିରେ ସଂଘର୍ଷ ଜାଣି ନ ଥିବା ବାପି ବିଜେଡ଼ି ଛାତ୍ର ରାଜନୀତିର ଶୀର୍ଷକୁ ଛୁଇଁବା ପଛରେ ରାଜନୈତିକ ଆର୍ଶିବାଦର ଅଙ୍କ ଭାରି ଜଟିଳ । ତେବେ ଆଜି ପର୍ଯ୍ୟନ୍ତ କଳଙ୍କର ପରଦା ଆଢ଼ୁଆଳରେ ଥିବା ବାପି କଟକ ଡେପୁଟି ମେୟର ଅଜୟ ବାରିକଙ୍କ ସ୍କର୍ପିଓ ଚଢ଼ିବା ଖବର ପଦାକୁ ଆସିଲା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସିଧା ଆରୋପ ଆସିଛି ଧଳସାମନ୍ତ ବ୍ରଦର୍ସଙ୍କ ସହ ତାଙ୍କ ସମ୍ପର୍କର । ଦଳର ଜଣେ ଡେପୁଟୀ ମେୟରଙ୍କ ଗାଡ଼ି ଚଢ଼ିବାରେ କିଛି ଅପରାଧ ହୋଇନାହିଁ ବୋଲି ପ୍ରତାପ ଜେନା ବିଦ୍ରୁପ ହସରେ ସଫେଇ ଦେଉଛନ୍ତି । ହେଲେ ଡି-ବ୍ରଦର୍ସ ଲିଙ୍କଡ୍ ଅଜୁଙ୍କ ନୂଆ ସ୍କର୍ପିଓ ଓଆର ୦୫ ଏଫ-୦୦୦୧କୁ ବାପି ଖାଲି ଚଢ଼ୁ ନ ଥିଲେ ବରଂ ନିଜର କରିନେଇଥିଲେ । ଅଜୁ ଗାଡ଼ିଟିକୁ ଷ୍ଟେଟ୍ ବ୍ୟାଙ୍କରୁ ଋଣ ଆଣି କିଣିବା ପରେ କେଉଁ ପ୍ରେମରେ ବାପିଙ୍କୁ ଦାନ ଦେଇଥିଲେ ତାହା କଟକୀ ନେତା ପ୍ରତାପ ଜେନାଙ୍କୁ ଅଜଣା ନ ଥିବ । ସେ ନିଜେ ଏମିତି ଗାଡ଼ି କିଣି କାହାକୁ ବଦାନ୍ୟତା ଦେଖାଇପାରିବେ ତ?
ଖାଲି ସେତିକି ନୁହେଁ, ଡି-ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ପୁଲିସ ଦ୍ୱାରା ଦୁଇ ଦୁଇ ଥର ଜେରା ହୋଇସାରିଥିବା କଟକ ୭ ନମ୍ବର ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳ ବାପି ରାୟଙ୍କ ଆର୍ଶିବାଦ ଓ ଛତ୍ରଛାୟା ତଳେ କାୟା ବିସ୍ତାର କରିଥିବା କଟକରେ ସମସ୍ତଙ୍କୁ ଜଣା । ରଞ୍ଜିତା ଇନ୍ଦିରା ଗାନ୍ଧୀ ମହିଳା କଲେଜ ସଭାନେତ୍ରୀ ହେବାଠାରୁ ଆରମ୍ଭ କରି ବିଜେଡ଼ି କର୍ପୋରେଟର ହେବା ପଛରେ ବାପିଙ୍କର ଭୂମିକା ରହିଛି । ଆଉ ସେସବୁ ନିର୍ବାଚନରେ ସମସ୍ତ ଟଙ୍କା ଧଳସାମନ୍ତଙ୍କ ଭଣ୍ଡାରରୁ ଖର୍ଚ୍ଚ ହୋଇଥିବା ଦଳର ଅନେକ ନେତା କହିଛନ୍ତି । ସେହିଭଳି ଡି-ବ୍ରଦର୍ସ ଲିଙ୍କ୍ରେ ଗିରଫ ସମ୍ବିତ ବେହେରା ବି ବାପିଙ୍କ ଖାସ୍ ଟୋକା । ୨୦୧୩ ମସିହାରେ ଛାତ୍ର ବିଜେଡ଼ିର ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଥିଲେ ସମ୍ବିତ । ଗତ ନଭେମ୍ବର ୨୩ ରେ ଭୁବନେଶ୍ୱରରେ ଆୟୋଜିତ ଛାତ୍ର ସମାବେଶ ପାଇଁ କଟକରୁ ଯୋଗାଡ଼ିଆ ଦାୟିତ୍ୱ ଥିଲା ସମ୍ବିତଙ୍କର । ନିକଟରେ ମାର୍ଚ୍ଚ ୫ ବିଜୁ ଜନ୍ମ ଜୟନ୍ତୀ ପାଇଁ ପାର୍ଟି ଅଫିସରେ ପ୍ରସ୍ତୁତିି ବୈଠକଠାରୁ ଆରମ୍ଭ କରି ଭୁବନେଶ୍ୱର ସମାବେଶ ପାଇଁ ବି କଟକ ଦାୟିତ୍ୱ ସମ୍ବିତଙ୍କୁ ଦେଇଥିଲେ ବାପି । ମାତ୍ର ଲଜ୍ଜାର କଥା, ଡି ବ୍ରଦର୍ସ ଲିଙ୍କ୍ ରେ ସମ୍ବିତ ଗିରଫ ହେଲା କ୍ଷଣି ବାପି ଓ ଦଳର ନେତୃତ୍ୱ ତାଙ୍କୁ ନ ଚିହ୍ନିଲା ଭଳି ଅଭିନୟ କଲେ । ଦଳର ଏହି ମୁଖପାତ୍ର ପ୍ରତାପ ଜେନା ବି ସମ୍ବିତ ଦୁଇବର୍ଷ ହେଲା ଛାତ୍ର ସଂଗଠନ ସାଧାରଣ ସମ୍ପାଦକ ପଦରୁ ହଟିସାରିଥିବା ସଫେଇ ଦେଇଥିଲେ । ସୁତରାଂ ବିଜୁ ଜନତା ଦଳର ନ୍ୟସ୍ତସ୍ୱାର୍ଥ ନେତାମାନେ ସତକୁ କିଭଳି ଧର୍ଷଣ କରନ୍ତି ତାହା ଏଥିରୁ ସ୍ପଷ୍ଟ ।
ନିଜକୁ ସତୀ ବୋଲାଉଥିବା ବାପି ରାୟଙ୍କ କେଳେଙ୍କାରୀ ଫର୍ଦ୍ଦ ବି ଆହୁରି ଲମ୍ବା । ବିଜେଡ଼ି ଛାତ୍ର ସଂଗଠନର ମୁଣ୍ଡି ହୋଇଥିବା ଚୋରା ବନ୍ଧୁକ ବେପାରୀ ମନୋଜଙ୍କ ସମେତ କୁଖ୍ୟାତ ଚନ୍ଦନ ଓ ଚିକୁଙ୍କ ସହ ବାପିଙ୍କର ସମ୍ପର୍କ ସମସ୍ତଙ୍କୁ ଜଣା । ନିଜର ସ୍ୱାର୍ଥ ପାଇଁ ବିଜେଡ଼ି ଛାତ୍ର ସଂଗଠନର ଇଜ୍ଜତ ଉପରେ ସେମାନଙ୍କୁ ବାପି ପ୍ରତିଷ୍ଠା କରାଇଥିବା ନେଇ ଦଳୀୟ ଅସନ୍ତୋଷ ବି ରହିଛି । ବିଶେଷକରି ସିଆରଆରଆଇରେ ଚାକିରି କରି ବିଜେଡ଼ି ଛାତ୍ର ମୁଣ୍ଡି ହୋଇଥିବା ସ୍ମୃତିରଞ୍ଜନ ରାଉତ ଓରଫ୍ ଚିକୁଙ୍କ ସହ ବାପିଙ୍କର ଗୋପନ ସମ୍ପର୍କର ତଦନ୍ତ ହେଲେ ଅନେକ ମାରାତ୍ମକ ସତ ପଦାକୁ ଆସନ୍ତା ।