ଭୁବନେଶ୍ୱର(ମିଡ-ଡେ ଓଡିଶା): ସଚିବାଳୟରେ ବିରାଦାରୀ ମହିଳା ଓଏଏସ୍ଙ୍କୁ ଲୁଙ୍ଗୁଡ଼େଇ ଇଜ୍ଜତ ହରାଇଥିବା ପ୍ରେମାନନ୍ଦ ଖୁଣ୍ଟିଆଙ୍କ ବିରୋଧରେ ଆସିଛି ଫ୍ରେସ୍ ନିଯୁକ୍ତି ଗପଲାତି ଅଭିଯୋଗ । ବେଆଇନ ଭାବେ ଜେଇ ଓ ଆସିଷ୍ଟାଣ୍ଟ ଏକଜକୁ୍ୟଟିଭ୍ ଇଂଜିନିୟର ନିଯୁକ୍ତିର ପୁରୋଧା ସାଜି ପାଖାପାଖି କୋଟିଏ ଟଙ୍କା ଅସୁଲ୍ କରିଥିବା ଅଭିଯୋଗ ଆସିଛି ତାଙ୍କ ବିରୋଧରେ । କୁଆଡେ ମନ୍ତ୍ରୀଙ୍କୁ ମନାଇ ରଖି ସେ ଏଭଳି କାର୍ଯ୍ୟକୁ ସମର୍ଥ କରିପାରିଛନ୍ତି ।
ପ୍ରେମାନନ୍ଦ ବାବୁ ସଚିବାଳୟରେ ଥିଲେ । ମହିଳା ଓଏଏସ୍ଙ୍କ ପଛରେ ପଡ଼ି ଗତ ଅକ୍ଟୋବର ମାସରେ ଗିରଫ ଓ ଚାକିରିରୁ ସସ୍ପେଣ୍ଡ ହୋଇଥିଲେ । ନିକଟରେ ରାଜ୍ୟ ସରକାର ତାଙ୍କ ଉପରୁ ସସ୍ପେଣ୍ଡ ଉଠାଇ ଓଡ଼ିଶା ଷ୍ଟେଟ୍ ଏଗ୍ରି୍ରିକଲଚରାଲ୍ ମାର୍କେଟିଂ ବୋର୍ଡ(ଓସାମ୍)ର ନିର୍ଦେଶକ ପଦରେ ଅବସ୍ଥାପିତ କରିଛନ୍ତି । ତେବେ ସେଠାକୁ ଯାଉ ଯାଉ ତାଙ୍କ ନାଁରେ ଯୋଡି ହେଲାଣି ଅପବାଦ । ଦାମୋଦର ରାଉତଙ୍କ ଭଳିଆ ମନ୍ତ୍ରୀଙ୍କୁ ସେ ବଶୀଭୂତ କରାଇ ବେଆଇନ କାର୍ଯ୍ୟକୁ ଆଇନସିଦ୍ଧ କରିବାରେ ସମର୍ଥ ହୋଇଥିବା ଅଭିଯୋଗ ହୋଇଛି ।
୫ଟି ଜୁନିୟର୍ ଇଂଜିନିୟର୍ ଓ ୫ ଟି ଆସିଷ୍ଟାଣ୍ଟ ଏକଜ୍ୟୁଟିଭ୍ ଇଂଜିନିୟର ପଦବୀରେ ନିଯୁକ୍ତି ପାଇଁ ଗତବର୍ଷ ଓସାମ୍ ଆବେଦନ ଆହ୍ୱାନ କରିଥିଲା । ନିୟମ ଅନୁଯାୟୀ, ଜେଇ ପୋଷ୍ଟିଂ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଟି ଓ ଏଇଇ ପୋଷ୍ଟିଂ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ଜରିଆରେ ହେବା କଥା । ଓଡ଼ିଶା ଗେଜେଟ୍ରେ ଏହାର ସ୍ପଷ୍ଟ ଉଲ୍ଲେଖ ରହିଛି । ମାତ୍ର ଓସାମ୍ ଏହି ନିୟମ କାନୁନ୍ ନ ମାନି ନିଜେ ସିଧାସଳଖ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଆହ୍ୱାନ କରିଥିଲା ଏବଂ ସାକ୍ଷାତକାର ଭିତ୍ତିରେ ନିଯୁକ୍ତିର ସୁଯୋଗ ଦେଇଥିଲା । ନିର୍ଦ୍ଧାରିତ ୧୫.୫.୨୦୧୫ ଭିତରେ ପ୍ରାର୍ଥୀମାନେ ଆବେଦନ କରିଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଅଟକି ଯାଇଥିଲା ।
ଇତିମଧ୍ୟରେ ପ୍ରେମାନନ୍ଦ ଖୁଣ୍ଟିଆ ନିର୍ଦେଶକ ଭାବେ ସେଠାରେ ଯୋଗଦେଲେ । ଓସମା ବୋର୍ଡର ମେମ୍ବର ସେକ୍ରୋଟାରୀ ହୋଇଥିବାରୁ ନିଜର କ୍ଷମତା ଜାହିର କରି ଆଉ ୧୩ଟି ପୋଷ୍ଟ ପୂରଣ ପାଇଁ ବୋର୍ଡ ବୈଠକରେ ନିଷ୍ପତ୍ତି କରାଇଦେଲେ । ଏହିଭଳି ଭାବେ ପୂର୍ବର ମିଶାଇ ୧୩ ଟି ଜେଇ ପଦବୀ ଓ ୧୦ ଟି ଆସିଷ୍ଟାଣ୍ଟ ପଦବୀ ପାଇଁ ସାକ୍ଷାତକାର ଭିତ୍ତିରେ ଗତମାସରେ ନିଯୁକ୍ତି ସରିଯାଇଛି । ଜୁନ୍ ଶେଷ ସପ୍ତାହରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ସହ ଏଗ୍ରିମେଣ୍ଟ ହୋଇଛି । ତେବେ ଚାକିରି ପାଇଁ ଯୋଗ୍ୟତାକୁ ମାପକାଠି କରାଯାଇନି । ଅନ୍ୟୁନ ୫ ଲକ୍ଷ ଟଙ୍କା ଦେବାର ସାମର୍ଥ ରଖିଥିବା ପ୍ରାର୍ଥୀଙ୍କୁ ହିଁ ଦିଆଯାଇଛି ନିଯୁକ୍ତି । ସିଧା ଅର୍ଥରେ କହିଲେ, ୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି ଜେଇ ଓ ଏଇଇ ପଦବୀ । ପ୍ରାର୍ଥୀମାନଙ୍କ ସହ ଏଗ୍ରିମେଣ୍ଟ ବେଳେ ଏହି ଟଙ୍କା ନିଆଯାଇଥିବା ଅନେକ ପ୍ରାର୍ଥୀ ସ୍ୱୀକାର କରିଛନ୍ତି ।
ଟଙ୍କା ଦେଇ ଚାକିରି ପାଇଥିବା ପ୍ରାର୍ଥୀମାନେ ନିଜର ଗୁମୁରିଆ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଭୟରେ ପାଟି ଖୋଲୁନାହାନ୍ତି । ମାତ୍ର ଏହାକୁ ଚାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଶା ଡିପ୍ଲୋମା ବେକାରୀ ଯୁବକ ସଂଘ । ଜେଇ ଓ ଏଇଇ ଭଳି ଦ୍ୱିତୀୟ ଓ ପ୍ରଥମ ଶ୍ରେଣୀ ଚାକିରିରେ ନିଯୁକ୍ତି ପାଇଁ ଯଥାକ୍ରମେ ଏସ୍ଏସ୍ସି ଓ ଓପିଏସ୍ ଜରିଆରେ ଆସିବା ବାଧ୍ୟତାମୂଳକ । ମାତ୍ର ଏହାକୁ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି ଓସାମ୍ ବୋର୍ଡ । ବୋର୍ଡ ଅଧ୍ୟକ୍ଷ ନିଜେ ମନ୍ତ୍ରୀ ଦାମ ରାଉତ ବି ବେଆଇନ କାର୍ଯ୍ୟକୁ ଆଖି ବୁଜିଛନ୍ତି । ଓଲଟି ବହୁ ଅଯୋଗ୍ୟ ପ୍ରାର୍ଥୀ ଟଙ୍କା ଦେଇ ଚାକିରି ପାଇଛନ୍ତି ଏବଂ ମନ୍ତ୍ରୀଙ୍କୁ ମନାଇ ରଖିଥିବା ନିର୍ଦେଶକ ହିଁ ଏହାର ମାଷ୍ଟରମାଇଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସାହାସ ଅଛି ତ, ସାମନାକୁ ଆସନ୍ତୁ ବୋଲି ସଂଘ ତାଙ୍କୁ ଆହ୍ୱାନ ଦେଇଛି । ତେବେ ଟଙ୍କା ନେଇ ଚାକିରି ଆଦି ଅଭିଯୋଗ ସଂକ୍ରାନ୍ତରେ ଆମେ ନିର୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ପ୍ରତିକ୍ରିୟା ଲୋଡିଥିଲେ ମଧ୍ୟ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ ତାଙ୍କ ଅଫିସ୍ ମୋବାଇଲ୍ ନଂ ୯୯୩୭୦୭୯୭୦୦କୁ ଉଠାଇ ନ ଥିଲେ ।