ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା ପୁଲିସ ଡିଜି ପଦରେ ନିଯୁକ୍ତି ପାଇଛନ୍ତି । ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱ ସହ ପୂର୍ଣ୍ଣ ଅତିରିକ୍ତ ଡିଜିପି ଏବଂ ଓଡ଼ିଶା ପୁଲିସ ଫୋର୍ସର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ଶର୍ମା । ଡିଜିପି ଡାକ୍ତର ରାଜେନ୍ଦ୍ର କୁମାର ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଥିବାରୁ ତାଙ୍କ ଜାଗାରେ ୧୯୮୬ ବ୍ୟାଚ୍ ର ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଥିବା ବି.କେ.ଶର୍ମାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ, ବିଦାୟୀ ଡିଜିପି ଡାକ୍ତର ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଏ ସଂକ୍ରାନ୍ତ ଫାଇଲ୍ କୁ ରାଜ୍ୟପାଳ ଅନୁମୋଦନ କରିବା ପରେ ମଙ୍ଗଳବାର ଦିନ ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଡାକ୍ତର ଶର୍ମା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି ।